ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଯେଭଳି ଚୋରି, ଡକାୟତି, ଲୁଟ୍ ଆଦି ଅପରାଧ ବଢ଼ିଚାଲିଛି ତାହା ଏବେ ଚିନ୍ତାର କାରଣ ପାଲଟିଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ସମାନ ସ୍ଥିତି ଦେଖାଦେଇଛି। କାରଣ ଲୁଟ୍ପାଟ କରି ଅପରାଧୀମାନେ ଯେଭଳି ଆତଙ୍କ ଖେଳାଇଲେଣି; ସେମାନେ କୌଣସି ସ୍ତରକୁ ଯାଇପାରନ୍ତି। ରାତି ହେଲେ ଲୋକଙ୍କ ଛାତି ଥରୁଛି। ରାଜ୍ୟର ସୁରକ୍ଷା ପାଇଁ ପୁଲିସ ଦକ୍ଷତା ବଢ଼ିବା ଦରକାର ବୋଲି ସେ କହିଛନ୍ତି। ନିଜ ଘରେ ଘଟିଥିବା ଚୋରି ମାମଲାକୁ ନେଇ ମଧ୍ୟ ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ପୁଲିସ ଚୋରକୁ ଧରିପାରି ନାହିଁ। ଯଦିଓ ପୁଲିସ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ହେଲେ ଦିନ ଯେତେ ଗଡ଼ୁଛି ଘଟଣାକୁ ନେଇ ସସ୍ପେନ୍ସ ମଧ୍ୟ ସେତେ ବଢ଼ୁଛି। ଚୋର ଧରିବା ଆଶା କ୍ଷୀଣ ହେଉଛି। ପୁଲିସ କହୁଛି ଯେ ସେମାନେ ୭୦% ମାମଲାରେ ଚୋରଙ୍କୁ ଧରିବାରେ ସଫଳ ହେଉଛନ୍ତି। ତେବେ ଯେଉଁ ୩୦% ମାମଲାରେ ଚୋର ଧରାପଡ଼ିନାହାନ୍ତି; ମୁଁ ବୋଧେ ସେହି ମାମଲାରେ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଦିନ ଗଡ଼ୁଛି ଆଶା ମଉଳୁଛି
ପୁଲିସ ଦକ୍ଷତାର ବିକାଶ ହେବା ଦରକାର
ପ୍ରକାଶ ଥାଉ କି, ଜାନୁଆରି ୨୬ ସାଙ୍ଗକୁ ଉତ୍କର୍ଷ ଓଡ଼ିଶା ପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁକରାଯାଇଥିବା ବେଳେ କଡ଼ା ସୁରକ୍ଷାକୁ ବି ଖାତି କରିନଥିଲେ ଲୁଟେରା। ଜଣେ ମୁଖା ପିନ୍ଧା ଲୁଟେରା ନୂଆପଲ୍ଲୀ ଭିଭିଆଇପି ଅଞ୍ଚଳ ଆଇଆରସି ଭିଲେଜ୍ ଏନ୍-୨ ଅଞ୍ଚଳରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘରେ ପଶି ୫୦ଲକ୍ଷର ଗହଣା ଓ ୨.୫ଲକ୍ଷ ଟଙ୍କା ନେଇଯାଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇଥିଲେ। ପୁର୍ନବାର ଶ୍ରୀ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜଧାନୀର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଚିନ୍ତାର ବିଷୟ ଯେ ସିସିଟିଭିରେ ଲୁଟ୍ ସମୟରେ ପୁରା ଚିତ୍ର ରହିଥିଲେ ବି ପୁଲିସ ଗିରଫ କରିବା ତ ଦୂରର କଥା ଏପର୍ଯ୍ୟନ୍ତ ଲୁଟେରାକୁ ଚିହ୍ନଟ କରିପାରି ନାହିଁ।