ଭୁବନେଶ୍ୱର : ସକାଳ ଠିକ୍ ସାଢ଼େ ୧୦ଟା। କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ର ଓ୍ଵବପୋର୍ଟାଲ ଉଦ୍ଘାଟିତ ହେଲା। କୁହାଗଲା ହାତ ମୁଠାରେ ରହିବ କମିସନରେଟ୍ ପୁଲିସର ଟିକିନିଖ୍ ଖବର। ଗୋଟିଏ କ୍ଲିକ୍ରେ ଟ୍ରାଫିକର ବର୍ତ୍ତମାନ ସ୍ଥିତିଠାରୁ ଆରମ୍ଭ କରି ନିୟମ, ଆଇନ୍, ଯାନବାହାନ ନିୟନ୍ତ୍ରଣ, ଭିଡ଼ ଆଦି ସମ୍ପର୍କରେ ସାଧାରଣ ଲୋକ ଓ କମିସନରେଟ ପୁଲିସ ଜାଣି ପାରିବେ। କମିସନରେଟ୍ ପୁଲିସର ଏହି େଓ୍ଵବ୍ ପୋର୍ଟାଲ ଉନ୍ମୋଚନକୁ କେଇ ଘଣ୍ଟା ବି ବିତିନି, ସଂଧ୍ୟା ପ୍ରାୟ ୭ଟାବେଳେ ଓଲଟିଗଲା ରାଜଧାନୀର ଏକ ପ୍ରମୁଖ ଛକ ରସୁଲଗଡ଼ ଶିଳ୍ପାଞ୍ଚଳର ସ୍ଥିତି। ଛକକୁ ଜଗିଛନ୍ତି ସେଠାରେ ନୂଆ କରି ଖୋଲିଥିବା ସପିଂ ମଲ୍ର କେତେକ ଠେଙ୍ଗାଧାରୀ ଯୁବକ। ସେମାନେ ମନ ଇଚ୍ଛା ଗାଡ଼ିମୋଟରକୁ ଯିବା ଆସିବା କରିବାକୁ ଦେଉଛନ୍ତି। ଟ୍ରାଫିକ୍ ପୁଲିସ ଭଳି ହାତରେ ଲାଇନ୍ ବାଟନ୍ ମଧ୍ୟ ଧରିଛନ୍ତି। ଯେଉଁମାନେ ସେମାନଙ୍କ ସିଗନାଲ୍ ମାନୁ ନ ଥିଲେ ସେମାନଙ୍କୁ ହୁଇସିଲ୍ ମାରି ଇଙ୍ଗିତ ମଧ୍ୟ କରୁଛନ୍ତି। ଛକରେ କିଏ କୁଆଡ଼େ ଯାଉଛି ତାହା ବି ଜଣାପଡ଼ୁନି। ଆଜି ସଂଧ୍ୟାରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ସେହି ଛକରେ। ଏଭଳି ଅବ୍ୟବସ୍ଥା କେବଳ ଆଜି କିମ୍ବା କାଲିର ନୁହେଁ, ଗତ କିଛି ଦିନ ହେବ ସେହି ଛକରେ ଏମିତି ପରିସ୍ଥିତି ଲାଗି ରହିଛି। ଟ୍ରାଫିକ୍ ପୁଲିସର ନାକ ତଳେ ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଟ୍ରାଫିକ୍ ନିୟମ ସମ୍ପର୍କରେ ତିଳେ ମାତ୍ର ଧାର ଧରି ନ ଥିବା ଯୁବକମାନଙ୍କୁ ଟ୍ରାଫିକ୍ ପରିଚାଳନାର ଦାୟିତ୍ୱ ଦେଇ ଖସି ଯାଇଛି ପ୍ରଶାସନ। ଫଳରେ ଏବେ ସମଗ୍ର କଟକରୋଡ୍ରେ ଅହେତୁକ ଭିଡ ପରିଲକ୍ଷିତ ହେବା ସହିତ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଏ ନେଇ ଶିଳ୍ପାଞ୍ଚଳ ବାସିନ୍ଦା କମିସନରେଟ୍ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସଂଧ୍ୟାରେ ଡିସିପି ଅନୁପ ସାହୁ, ଟ୍ରାଫିକ୍ ଏସିପି ଅନୁପ କାନୁନଗୋ ପ୍ରମୁଖ ଏସ୍ପ୍ଲାନେଡ୍କୁ ଯାଇ ସ୍ଥିତିର ଯାଞ୍ଚ କରିଛନ୍ତି। କେଉଁ ଆଧାରରେ ଏସ୍ପ୍ଲାନେଡ୍ ପ୍ଲାନ୍ ପାଇଛି ତାକୁ କମିସନରେଟ୍ ପୁଲିସ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
କିଛି ଦିନ ତଳେ ରାଜଧାନୀ ସବୁଠାରୁ ବ୍ୟସ୍ତ ବହୁଳ ରାସ୍ତାର ଠିକ୍ ପାର୍ଶ୍ୱରେ ଏସ୍ପ୍ଲାନେଡ୍ ନାମକ ବହୁ ତଳ ବିଶିଷ୍ଟ ସପିଂ ମଲ୍ ଖୋଲିଛି। ଏହି ମଲ୍ ଏବେ ରାଜଧାନୀବାସୀଙ୍କ ସମେତ ଅନେକଙ୍କୁ ଆକର୍ଷିତ କରୁଛି। ପ୍ରତିଦିନ ଶହଶହ ସଂଖ୍ୟାରେ ଗାଡି ମୋଟର ଆସୁଛି। ସପିଂ ମଲ୍ର ସମ୍ମୁଖ ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ। ବମିଖାଲ ଓଭରବ୍ରିଜର ଶେଷ ଭାଗ ସେହି ସ୍ଥାନରେ। ସାମାନ୍ୟ ବର୍ଷାରେ ସେଠାରେ ଆଣ୍ଠୁଏ ପାଣି ଜମା ହୋଇଥାଏ। ମଲ୍ ଖୋଲିବା ପରେ ଏବେ ସେହି ରାସ୍ତାରେ ହଠାତ୍ ଉଠା ଦୋକାନ ସଂଖ୍ୟା ବଢ଼ି ଯାଇଛି। ଅଟୋଗୁଡ଼ିକ ମଧ୍ୟ ସେଠାରେ ପାର୍କିଂ କରିବା ଆରମ୍ଭ କରିଛନ୍ତି। ଯେଉଁଥି ପାଇଁ ସେଠାରେ ପ୍ରବଳ ଭିଡ଼ ହେଉଛି। ଆଉ ସଂଧ୍ୟାରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି। ଶିଳ୍ପାଞ୍ଚଳ ଭିତରକୁ ଓ ବାହାରକୁ ଯାତାୟାତ କରୁଥିବା ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡ଼ୁଛି। ପ୍ରାୟ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ରାସ୍ତାରେ ଅଟକିବାକୁ ପଡ଼ୁଛି। ଅନ୍ୟପକ୍ଷରେ ବମିଖାଲରୁ ରସୁଲଗଡ଼ ଛକ, ମାତ୍ର ୫ ମିନିଟ୍ର ରାସ୍ତାକୁ ଏବେ ଅତିକ୍ରମ କରିବାକୁ ୧୫ରୁ ୨୫ ମିନିଟ୍ ସମୟ ଲାଗୁଛି। ମଲ୍କୁ ଲାଗି କରି ରସୁଲଗଡ଼ ଶିଳ୍ପାଞ୍ଚଳ ରହିଛି। ଯେଉଁଠାରେ ଗଣମାଧ୍ୟମ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କାରଖାନା ରହିଛି। ଏଭଳି ପରିସ୍ଥତିରେ ସେଠାରେ ମଲ୍ ଖୋଲିବାକୁ କମିସନରେଟେ୍ ପୁଲିସ କେମିତି ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଶିଳ୍ପାଞ୍ଚଳ ବାସିନ୍ଦା। ମଲ୍ ଖୋଲିବାର ଦୁଇ ଦିନ ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସର ଜଣେ ଅଧିକାରୀ ଓ ଦୁଇ ଜଣ କନ୍ଷ୍ଟେବଲ୍ ନିୟୋଜିତ ହୋଇଥିଲେ। କିନ୍ତୁ ପରବର୍ତୀ ସମୟରେ ଟ୍ରାଫିକ୍ ପୁଲିସ ସେଠାରୁ ହଠାତ୍ ଗାଏବ ହୋଇ ଯାଇଛନ୍ତି।
ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି ସେଠାରେ ଅହେତକୁ ଭିଡ଼ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଆଜି ସଂଧ୍ୟାରେ ଟ୍ରାଫିକ୍ ଏସିପିଙ୍କ ସହିତ ସେ ଘଟଣାସ୍ଥଳ ବୁଲି ଦେଖିବାକୁ ଯାଇଥିଲି। ଏସ୍ପ୍ଲାନେଡ୍ କର୍ତୃପକ୍ଷଙ୍କଠାରୁ କମିସନରେଟ୍ ପୁଲିସ ପ୍ଲାନ୍ ମଗାଇଛି। କେଉଁ ଆଧାରରେ ସେମାନେ ଅନୁମତି ପାଇଛନ୍ତି, ତାର ଅନୁଧାନ କରାଯାଉଛି।
ଏସିପି ଅନୁପ କାନୁନଗୋ କହିଛନ୍ତି, ଭିଡ଼ ନେଇ ପୁଲିସ ପାଖରେ ଖବର ଅଛି। ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଉଛି। ଆସନ୍ତାକାଲି ଶିଳ୍ପାଞ୍ଚଳ ବାସିନ୍ଦାଙ୍କ ସହିତ ଏନେଇ ଆଲୋଚନା କରାଯିବ। ଖୁବ ଶୀଘ୍ର ସେଠାରେ ଟ୍ରାଫିକ୍ ପୁଲିସ ମଧ୍ୟ ନିୟୋଜିତ ହେବେ ବୋଲି ଏସିପି ଶ୍ରୀ କାନୁନଗୋ ସୂଚନା ଦେଇଛନ୍ତି।