ଭୁବନେଶ୍ବର: ବିଏମ୍ସି କାର୍ଯ୍ୟାଳୟରେ ସୁରକ୍ଷା ଢିଲା। ସିସିଟିଭି ଅଚଳ। ଗତକାଲି ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାର ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ନାହିଁ। ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆକ୍ରମଣ ସମୟରେ ସୁରକ୍ଷାକର୍ମୀ ସୁରକ୍ଷା ଦେଇ ପାରିଲେ ନାହିଁ। ଏହାକୁ ନେଇ ଆଜି ବିଭନ୍ନ ମହଲରେ ନାନା ଆଲୋଚନା ମୁଣ୍ଡ ଟେକିଛି। କାହିଁକି ବିଏମ୍ସି ଅଫିସ୍ରେ ସୁରକ୍ଷା ଢିଲା? ସୁରକ୍ଷାକର୍ମୀ ଥାଇ କାହିଁକି ଆକ୍ରମଣକାରୀଙ୍କୁ ପ୍ରତିରୋଧ କଲେ ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏମିତିକି ଆକ୍ରମଣକାରୀଙ୍କ କବଳରୁ ଅଧିକରୀଙ୍କୁ ଛଡ଼ାଇ ଆଣିବାକୁ ସାମାନ୍ୟତମ ପ୍ରୟାସ କଲେ ନାହିଁ କାହିଁକି? ଯଦି ଜଣେ ଅଧିକାରୀଙ୍କୁ ସୁରକ୍ଷାକର୍ମୀ ସୁରକ୍ଷା ଦେଇ ପାରୁନାହାନ୍ତି ତେବେ ବିଏମ୍ସି ଅଫିସ୍କୁ ଆସୁଥିବା ସାଧାରଣ ଲୋକ କାହା ଭରଷାରେ ବିଭିନ୍ନ କାମ ପାଇଁ ଆସିବେ? ଏହି ଘଟଣାକୁ ନେଇ ଆଜି ବିଏମ୍ସିର ଅନେକ କର୍ମଚାରୀ କ୍ଷୋଭ ପ୍ରକାଶ କରିଛନ୍ତି। ଘଟଣାର ପ୍ରତିବାଦରେ ବିଏମ୍ସି ଅଧିକାରୀ/କର୍ମଚାରୀ ବିଏମ୍ସି କମିସରଙ୍କୁ ଲିଖିତ ଅଭିଯୋଗ ଦେବା ସହ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟବନ୍ଦ କରିଛନ୍ତି।
ମାଡ଼ ଘଟଣାକୁ ନିନ୍ଦା କଲେ ବିଏମ୍ସି କମିସନର
କାହିଁକି ସିସିଟିଭି ନଥିଲା ସ୍ମାର୍ଟସିଟିକୁ ପଚରାଯିବ
ସୁରକ୍ଷାକୁ ନେଇ ପୁଲିସ ସହ ଆଲୋଚନା କରାଯିବ
ରିପୋର୍ଟ ଆସିଲେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ
ଏସମ୍ପର୍କରେ କମିସନର ରାଜେଶ ପ୍ରଭାକର ପାଟିଲ ପ୍ରତିକ୍ରିୟା ରଖି କହିଛନ୍ତି, ଗତକାଲି ବିଏମ୍ସିର ଅଫିସରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଘଟଣାକୁ ନିନ୍ଦା କରୁଛୁ। ଯାହାକୁ ବିଏମ୍ସିରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ବିରୋଧ କରୁଛନ୍ତି। ଭବିଷ୍ୟତରେ କିପରି ଏଭଳି ଘଟଣା ନଘଟିବ ସେ ନେଇ ସୁରକ୍ଷାକର୍ମୀ ଅଧିକ ବଢ଼ାଯିବ। ବିଏମ୍ସି କାର୍ଯ୍ୟାଳୟ ବିଲଡିଂକୁ ସ୍ମାର୍ଟ ସିଟି ଲିମିଲେଟ୍ ପରିଚାଳନା କରୁଛି। ସିସିଟିଭି ସେହି ସ୍ଥାନରେ ଯଦି ଅଚଳ ଥିଲା କ’ଣ ପାଇଁ ଥିଲା, ଆମେ ଏକଥା ତାଙ୍କୁ ପଚାରିବୁ। ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ଘଟଣାକୁ ଦୃଷ୍ଟି ଦିଆଯିବ। ବିଏମ୍ସି ଅଫିସ୍କୁ ସାଧାରଣ ଲୋକ କାମ ପାଇଁ ଆସୁଛନ୍ତି। ତେଣୁ ବିଏମ୍ସି ଅଫିସକୁ ସୁରକ୍ଷାବଳୟ ଭିତରେ ବା ପ୍ରତିବନ୍ଧକ ଲଗାଇ ପାରିବୁ ନାହିଁ। ଭବିଷ୍ୟତ ପାଇଁ ସିପିଙ୍କ ସହ କଥା ହୋଇ ପଦକ୍ଷେପ ନେବୁ। ରତ୍ନାକାର ସାହୁ ଜଣେ ବରିଷ୍ଠ ଅଧିକାରୀ। ସେ ଦୁର୍ଗମ ଅଞ୍ଚଳରେ ସେବା ଯୋଗାଇ ଆସିଛନ୍ତି। ସେ ଜଣେ ଭଲ ଲୋକ। ତାଙ୍କୁ ମାଡ଼ ଘଟଣାକୁ ନେଇ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆମେ ଲୋକମାନଙ୍କ ପାଇଁ ଯେଉଁ ସେବା ଅଛି ତାକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରୁଛୁ। ମୁଁ କର୍ମଚାରୀମାନଙ୍କ ସହ କଥା ହୋଇ ସେବା ଯୋଗାଇବାକୁ ଚେଷ୍ଟା କରିବି। ବଡ଼ କଥା ହେଲା, ସବୁସ୍ତରରୁ ଆମକୁ ସହଯୋଗ ମିଳୁଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ସମସ୍ତ ଅଧିକାରୀ ଆମ କଥା ଗ୍ରହଣ କରୁଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ସମସ୍ତେ ଅତିରିକ୍ତ କମିସନରଙ୍କ ସହ ଅଛୁ। ସେ ସ୍ବଚ୍ଛସାଥୀଙ୍କ ଉପରେ ତଦନ୍ତ କରିଛନ୍ତି। ମୁଁ ଗତକାଲି ନଥିବାରୁ ରିପୋର୍ଟ ଦେଖିପାରିନାହିଁ। ରିପୋର୍ଟ ଆସିଲେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବଚ୍ଛତାର ସହ ନ୍ୟାୟ ପ୍ରଦାନ କରାଯିବ। ରତ୍ନାକର ସାହୁ ତାଙ୍କର କାମ ଜାଣିଛନ୍ତି। ଜଣେ ସ୍ବଚ୍ଛ ସାଥୀଙ୍କ ଉପରେ କାହିଁକି ଆକ୍ରୋଶ ରଖିବେ ବୋଲି କହିଛନ୍ତି କମିସନର।