ହୁଗୁଳିଗଲାଣି ସୁରକ୍ଷା ବ୍ୟବସ୍ଥା: ବିଧାନସଭା ଗେଟ୍‌ ସାମ୍ନାରେ ପୁଲିସ୍‌-ବିକ୍ଷୋଭକାରୀ ଧସ୍ତାଧସ୍ତି

ଗୁଇନ୍ଦା ଫେଲ୍‌, ୯ ଗିରଫ, ପ୍ରତିବାଦରେ ଥାନା ଘେରିଲେ

ଭୁବନେଶ୍ୱର : ବିଧାନସଭା ଓ ଲୋକସେବା ଭବନ ସୁରକ୍ଷିତ ତ? ପୁଲିସ, ଗୁଇନ୍ଦା ସଜାଗ ଅଛି ତ? କଡ଼ା ସୁରକ୍ଷା ସତ୍ତ୍ବେ ସୋମବାର ଦିନ ଆଶାୟୀ କନିଷ୍ଠ ଶିକ୍ଷକ ବିଧାନସଭା ଭିତରକୁ ଧସେଇ ପଶିବା ଉଦ୍ୟମ କରିବା ସୁରକ୍ଷା ବ୍ୟବସ୍ଥା ଉପରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷତମାମ ବିଧାନସଭା ଓ ଲୋକସେବା ଭବନ କଡ଼ା ସୁରକ୍ଷାବଳୟ ମଧ୍ୟରେ ରହୁଛି। ଆଖପାଖ ଏବଂ ଚାରିପଟ ରାସ୍ତାକୁ ମଧ୍ୟ ସିଲ୍‌ କରାଯାଉଛି। ଗୁଇନ୍ଦା ଅଫିସର୍‌ ପଇଁନ୍ତରା ମାରୁଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ଲାଟୁନ୍‌ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଏତେ ସବୁ ବ୍ୟବସ୍ଥା ପରେ ବି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ବିଧାନସଭା ଫାଟକ ପାଖରେ କିପରି ପହଞ୍ଚିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଗୁଇନ୍ଦା ପାଖରେ ଖବର ନଥିଲା କି? ଯଦି ଥିଲା, ଗୁଇନ୍ଦା ପୁଲିସକୁ ଅବଗତ କରାଇଥିଲା କି? ପୁଲିସ କ’ଣ ପଦକ୍ଷେପ ନେଇଥିଲା? ଆନ୍ଦୋଳକାରୀ ଲୋୟର ପିଏମଜିରୁ ବିଧାନସଭା ଆଡ଼କୁ ଯିବା ପୁଲିସ ଜାଣିପାରିଲାନି କେମିତି? ଆଜିର ଏହି ଘଟଣା ଏଭଳି ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। ଏହା ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ଗୁଇନ୍ଦାର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି କୁହାଯାଉଛି।

ସୂଚନା ମୁତାବକ, ଗତ ୨୭ତାରିଖରୁ ଓଡ଼ିଶା ଆଶାୟୀ କନିଷ୍ଠ ଶିକ୍ଷକ ସଂଘ ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି, ୩୨ ବର୍ଷରୁ ୪୨ ବର୍ଷକୁ ବୟସସୀମା ବୃଦ୍ଧି ଏବଂ ସରକାରୀ ସ୍କୁଲ୍‌ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର ଆଦି ୩ ଦଫା ଦାବି ନେଇ ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଥିଲା। ୭ ତାରିଖରୁ ସଂଘ ଆମରଣ ଅନଶନରେ ବସିଥିଲା। ସଂଘର ଗୋଟିଏ ପରେ ଗୋଟିଏ ପଦକ୍ଷେପରୁ ଜଳଜଳ କରି ତୀବ୍ର ଅସନ୍ତୋଷ ବାରି ହେଉଥିଲା। ଉଦ୍‌ବେଗର ବିଷୟ ଯେ ଗୁଇନ୍ଦା ବିଭାଗ ଏ ବିଷୟରେ ତିଳେମାତ୍ର ଗନ୍ଧବାସ୍ନା ପାଇ ନଥିଲା। ଫଳରେ ସଂଘର ୨୦ରୁ ଅଧିକ ଆନ୍ଦୋଳନକାରୀ ଆଜି ସହଜରେ ଲୋୟର୍‌ ପିଏମ୍‌ଜିରୁ ସୁରକ୍ଷାବଳୟ ଭାଙ୍ଗି ବିଧାନସଭା ମୁଖ୍ୟ ଫାଟକ ପାଖରେ ପହଞ୍ଚିଥିଲେ। ଗେଟ୍‌କୁ ଠେଲାପେଲା କରି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ବହୁ ସମୟ କସରତ ପରେ ପୁଲିସ ସେଠାରୁ ୯ ଜଣଙ୍କୁ ଗିରଫ କରିବା ପରେ ସ୍ଥିତି ଆୟତ୍ତ ହୋଇଥିଲେ ବି ଉତ୍ତେଜନା ଲାଗି ରହିଥିଲା। ଆନ୍ଦୋଳନକାରୀ ଏତିକିରେ ଥମି ନଥିଲେ, ସେମାନଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦରେ ସହିଦନଗର ଥାନା ଆଗରେ ଧାରଣା ଦେଇଥିଲେ। ପୁଲିସ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଆଗକୁ ଶୀତକାଳୀନ ଅଧିବେଶନ ଅଛି। ଯଦି ଏବେଠୁ ଏତେ ଢ଼ିଲା, ସେତେବେଳେ କେମିତି ସମ୍ଭାଳି‌ବେ? ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଦାବି ନେଇ ସରକାରଙ୍କୁ ଘେରିବେ।

ସମ୍ବନ୍ଧିତ ଖବର