ଭୁବନେଶ୍ବର: ରାଜଧାନୀର ସୁରକ୍ଷା ବ୍ୟବସ୍ଥାରେ ‘ଡ୍ରୋନ୍‌’କୁ ସାମିଲ କରାଯାଇଛି। ଫଳରେ କମିସନରେଟ୍‌ ପୁଲିସ୍‌ ଏବେ ଆକାଶ ମାର୍ଗରୁ ବି ପାଟ୍ରୋଲିଂ କରିପାରିବ। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଡ୍ରୋନ୍‌କୁ ପାଟ୍ରୋଲିଂ ଟିମ୍‌ରେ ସାମିଲ କରାଯାଇଛି। ୫ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରୁଥିବା ଏହି ଡ୍ରୋନ୍‌ ଆକାଶ ମାର୍ଗରୁ ରାଜଧାନୀର ୫ କିମି ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ସ୍ଥାନ ଉପରେ ନଜର ରଖିପାରିବ। ଏଥିରେ ଖଞ୍ଜା ଯାଇଥିବା ଉଚ୍ଚ କ୍ଷମତାସଂପନ୍ନ (ହାଇ-ଡେଫିନେସନ୍‌) କ୍ୟାମେରା ଟ୍ରାଫିକ୍‌, ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ତ୍ବରିତ ପଦକ୍ଷେପ ନେବାରେ ପୁଲିସ୍‌ ପାଇଁ ସହାୟକ ହୋଇପାରିବ। ଏଥିରେ ଥିବା ନାଇଟ୍‌-ଭିଜନ୍‌ ଟେକ୍ନୋଲୋଜି ଦ୍ବାରା ରାତି ବେଳାର ଦୃଶ୍ୟକୁ ମଧ୍ୟକୁ କଏଦ୍‌ କରାଯାଇପାରିବ।

Advertisment

ରାଜଧାନୀରେ ବର୍ଷତମାମ ବିଭିନ୍ନ ହାଇପ୍ରୋଫାଇଲ୍‌ କାର୍ଯ୍ୟକ୍ରମ ଲାଗି ରହୁଛି। ଜି-୨୦ ସମ୍ମିଳନୀଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ, ବିଧାନସଭା ଅଧିବେଶନ, ଧାରଣା-ଅନଶନ-ବିକ୍ଷୋଭ, ହକି ବିଶ୍ବକପ୍‌, ଭିଭିଆଇପିଙ୍କ ଆଗମନ, ରଥଯାତ୍ରା ଭଳି ସମୟରେ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍‌ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥାଏ। ସେ କ୍ଷେତ୍ରରେ ଏହି ଡ୍ରୋନ୍‌ ବହୁମାତ୍ରାରେ ପୁଲିସ୍‌ ପାଇଁ ସହାୟକ ହୋଇପାରିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଡ୍ରୋନ୍‌କୁ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ କରାଯାଇ ସହର ଉପରେ ନଜର ରଖାଯାଇପାରିବ। ଗତକାଲି ଏହି ଡ୍ରୋନ୍‌ର ସଫଳ ପରୀକ୍ଷଣ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

publive-image

ତେବେ କମିସନରେଟ୍‌ ପୁଲିସ୍‌ରେ ଡ୍ରୋନ୍‌ ସାମିଲ ହେବା ନୂଆ ନୁହେଁ। ଲେନ୍‌ ଡ୍ରାଇଭିଂ, ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ, ରଙ୍ଗରୁଟ୍‌ ଡ୍ରାଇଭିଂ ଭଳି ଅବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ୨୦୧୯ ମସିହାରେ ପୁଲିସ୍‌ ଡ୍ରୋନ୍‌ ଉଡ଼ାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ଆରମ୍ଭର କିଛି ଦିନ ପରେ ଅଚଳ ହୋଇଗଲା। ଡ୍ରୋନ୍‌ ଖରାପ ହୋଇଗଲା। କିନ୍ତୁ ଏହା ଭିତରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ବ୍ୟବସ୍ଥାକୁ ପୁନଶ୍ଚ ଆରମ୍ଭ କରାଯାଇନାହିଁ।
ଏ ବାବଦରେ କମିସନରେଟ୍‌ ଟ୍ରାଫିକ୍‌ର ଜଣେ ଅଧିକାରୀ କହିଛନ୍ତି, ଉକ୍ତ ଡ୍ ରୋନ୍‌ଟି ସୌରଶକ୍ତି ଚାଳିତ ଥିଲା। ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମରାମତି ପାଇଁ ମୁମ୍ବାଇର ଏକ ସଂସ୍ଥାକୁ ଚିଠି ଲେଖାଯାଇଥିଲା। କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ଆସିବା ପରେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରି ନଥିଲା। ତେବେ ଖୁବ୍‌ଶୀଘ୍ର ଉକ୍ତ ଡ୍ ରୋନ୍‌ ବ୍ୟବସ୍ଥା ଆରମ୍ଭ ହେବ।