ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ନେଇ ତୁମୁଳକାଣ୍ଡ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶବ ବ୍ୟବଚ୍ଛେଦ ଗୃହରେ ଭଙ୍ଗାରୁଜା

ଭୁବନେଶ୍ବର: ଭଞ୍ଜକଳା ମଣ୍ଡପ ପରିସରରେ ଥିବା ଜିମ୍‌ରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୁଲିସ। ମୃତକ ହେଲେ ୟୁନିଟ୍-୬ ଅଞ୍ଚଳ ଅକ୍ଷୟ ବସ୍ତିରେ ରହୁଥିବା ରଞ୍ଜିତ କୁମାର ନାୟକ। ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଉତ୍ତେଜନା ପ୍ରକାଶ ପାଇଛି। କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହରେ ସମ୍ପର୍କୀୟମାନେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଉତ୍ତେଜନାକୁ ଆଖି ଆଗରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରଞ୍ଜିତ ଭଞ୍ଜକଳା ମଣ୍ଡପ ପରିସରରେ ଥିବା ସରକାରୀ ଜିମ୍‌ରେ ପ୍ରାୟ ଦୁଇ ବର୍ଷ ହେଲା ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ବାଇକ୍‌ ଧରି ଡ୍ୟୁଟିକୁ ଆସିଥିଲେ। ଆଜି ସକାଳେ ଜିମ୍‌ର କର୍ମଚାରୀ ସେଠାରୁ ଯିବା ସମୟରେ ଗାମୁଛାରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଗୋଡ଼ ଦୁଇଟି ତଳେ ଲାଗିଥିଲା। ନିକଟରେ ତାଙ୍କର ବାଇକ୍‌ ରହିଥିବା ବେଳେ ଚାବି ଲାଗିଥିଲା। ସେହିପରି ଆଉ ଏକ ଗାମୁଛା ମଧ୍ୟ ତଳେ ପଡ଼ିଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ତାଙ୍କୁ କେହି ହତ୍ୟା କରି ଗାମୁଛାରେ ଟାଙ୍ଗି ଦେଇଛି ବୋଲି କହିଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ ପେଟ, କାନ ମୁଣ୍ଡା ନିକଟରେ ପରିବାର ଲୋକ କେତେକ ଦାଗ ଦେଖିଥିଲେ। ତେଣୁ ତାଙ୍କୁ ଆଘାତ ଦିଆଯାଇଥିବା ଅଭିଯୋଗ କରିଥିଲେ। ପେଟରେ ଛୁଞ୍ଚି ଭଳି ଥିବା ଦାଗ ପିମ୍ପୁଡ଼ି କାମୁଡ଼ା ଯୋଗୁଁ ହୋଇଥାଇ ପାରେ ବୋଲି ଡାକ୍ତର କହିବା ପରେ ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ ଗୃହର କାଚ ଝରକା ଭଙ୍ଗାରୁଜା କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଫୋର୍ସ ସହ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଅନ୍ୟପକ୍ଷରେ ରଞ୍ଜିତ କାମ କରୁଥିବା ସିକ୍ୟୁରିଟି ଗାର୍ଡ ସଂସ୍ଥା ତାଙ୍କୁ ତିନି ମାସର ଦରମା ଦେଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ପଛର ଏହା ଏକ କାରଣ ହୋଇଥାଇ ପାରେ ବୋଲି ସେମାନେ କହିଛନ୍ତି। ସେହିପରି ସିକ୍ୟୁରିଟି ସଂସ୍ଥାର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର