ବାଲିପାଟଣା: ପୂର୍ବରୁ ପରିବା ଚାଷ କରି ବଡ଼ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିବା ଚାଷୀ ଏବେ ବିହନ ଉତ୍ପାଦନ କରି ରୋଜଗାରର ନୂଆ ରାହା ପାଇଛି। ସ୍ବପ୍ନ ଭଳି ଲାଗୁଥିଲେ ବି ଏବେ ସେହି ଚାଷୀ ବିହନ ଅମଳରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି। ବାଲିପାଟଣାର ପରିବା ଚାଷୀଙ୍କୁ ଏମିତି ନୂଆ ବାଟ ଦେଖାଇଛି କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (ଚେସ୍)। ଆର୍କା ଅର୍ଜୁନ ଫ୍ରେଞ୍ଚ୍ କିସମର ବିନ୍ସ ବିହନ ଉତ୍ପାଦନ କରି ଜୟଦେବ କୃଷକ ସୁରକ୍ଷା ମଞ୍ଚର କିଛି ସଦସ୍ୟ ଚାଷୀ ଆଜି ଲକ୍ଷପତି ହେବାର ସୁଯୋଗ ପାଇଛନ୍ତି।
ସୂଚନାନୁସାରେ ଚେସ ପରାମର୍ଶରେ ୨୦୧୯ ମସିହାରେ ଜୟଦେବ କୃଷକ ସୁରକ୍ଷା ମଞ୍ଚ ଏହି ଉନ୍ନତ ଧରଣର ପରିବା ଚାଷ କରି ମଞ୍ଜି ବିକ୍ରି କରିଥିଲେ। ଏଥିପାଇଁ ପୂର୍ବରୁ କିଛି କୃଷକଙ୍କୁ ଚେସ୍ ପକ୍ଷରୁ ବେଙ୍ଗାଲୁରୁ ପଠାଯାଇ ତାଲିମ୍ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଦେଉଳିଧରପୁର ପଞ୍ଚାୟତ ଭଅଁରା ନିଜିଗଡ଼ ଗ୍ରାମର ତାରାକାନ୍ତ ପାତ୍ର ଓ ଭାକରସାହି ପଞ୍ଚାୟତ ଗଡ଼ଚାରିପଡ଼ା ଗାଁର ସୁଶାନ୍ତ କୁମାର ପାତ୍ର। ତାରାକାନ୍ତ ପ୍ରଥମ ଥର ତାଙ୍କ ଏକ ଏକର ଜମିରେ ଆର୍କା ଅର୍ଜୁନ ଫ୍ରେଞ୍ଚ ବିନ୍ସ ଚାଷ କରିଥିଲେ। ୨୭ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରି ସେ ପ୍ରାୟ ୯. ୨୬ କ୍ବିଣ୍ଟାଲ ବିହନ ଉତ୍ପାଦନ କରିଥିଲେ। ତାରାକାନ୍ତଙ୍କଠାରୁ ଚେସ୍ ଏହି ବିହନ କିଣି ନେଇଥିଲେ ଏବଂ ସେ ୧.୫୩ ଲକ୍ଷ ଟଙ୍କା ପାଇଥିଲେ। ସେହିପରି ସୁଶାନ୍ତ କୁମାର ପାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚ କରି ୩୦ ଗୁଣ୍ଠ ଜମିରେ ଆର୍କା ଅର୍ଜୁନ ବିନ୍ସ ଚାଷ କରିଥିଲେ ଓ ଚେସ୍କୁ ବିକ୍ରି କରି ୧.୬୫ ଲକ୍ଷ ଟଙ୍କା ପାଇଥିଲେ। ସେମାନଙ୍କ ଏହି ସଫଳତା ଏବେ ବାଲିପାଟଣା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ବାଲିପାଟଣା, ବାଲିଅନ୍ତା, କଣ୍ଟାପଡ଼ା, ନିମାପଡ଼ା ପ୍ରଭୃତି ବ୍ଲକ୍ରେ ଏବେ ଏହି ବିହନ ଉତ୍ପାଦନ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି। ଏବେ କୃଷକ ସୁରକ୍ଷା ମଞ୍ଚରେ ପ୍ରାୟ ୧୦୦ ଶହେ ସଭ୍ୟ ସାମିଲ୍ ହେଲେଣି।
ଭୁବନେଶ୍ୱର ଚେସ୍ର ପ୍ରଧାନ ବୈଜ୍ଞାନିକ ପି. ଶ୍ରୀନିବାସଙ୍କ ତତ୍ତ୍ବାବଧାନରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଫଳତା ପାଇଁ ଆଇସିଏଆର୍ ଓ ଆଇଆଇଏଚ୍ଆର୍ ବେଙ୍ଗାଲୁରୁରେ ଜୟଦେବ କୃଷକ ସୁରକ୍ଷା ମଞ୍ଚ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ଜୟଦେବ କୃଷକ ସୁରକ୍ଷା ମଞ୍ଚ ସଭାପତି ବାବୁନି ସାହୁ କହିଛନ୍ତି ଯେ ପୂର୍ବରୁ ଯେଉଁ ଚାଷୀ ବିହନ କିଣି ଚାଷ କରୁଥିଲେ, ସେମାନେ ଆଜି ବିହନ ବିକ୍ରି କରିପାରୁଛନ୍ତି। ବିହନ ଉତ୍ପାଦନ କରି ପୂର୍ବର ପରିବା ଚାଷ ତୁଳନାରେ ୨/୩ ଗୁଣା ଲାଭ ପାଉଛନ୍ତି। ଆଗକୁ ବିହନ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ମଞ୍ଚ କାମ କରିବ ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି। ରାଜ୍ୟରେ ବାଲିପାଟଣା କିଭଳି ପରିବା ବିହନ ଉତ୍ପାଦନ ହବ୍ ହେବ ସେହିଦିଗରେ ମଞ୍ଚ କାମ କରିବ ବୋଲି ସେ କହିଛନ୍ତି। ଚେସ୍ର ମୁଖ୍ୟ ବୈଜ୍ଞାନିକ ପି ଶ୍ରୀନିବାସଙ୍କ କହିବା କଥା ଜୟଦେବ କୃଷକ ସୁରକ୍ଷା ମଞ୍ଚ ବିହନ ଉତ୍ପାଦନରେ ସଫଳତା ହାସଲ କରିଛି। ଆଗକୁ ସେମାନେ କିଭଳି ବାଇଗଣ, ଟମାଟ, ଭେଣ୍ଡି, କଲରା, ପୋଟଳ, ଜହ୍ନି, ଝୁଡ଼ଙ୍ଗ ଆଦି ଅନ୍ୟାନ୍ୟ ପରିବା ବିହନ ଉତ୍ପାଦନ କରିବେ, ସେନେଇ ତାଲିମ ଦିଆଯିବ।