ଉଦ୍ୟାନ କୃଷି ବିଭାଗ ବେଫିକର : ବନ୍ୟାଞ୍ଚଳ ଚାଷୀଙ୍କୁ ମଞ୍ଜି ଚିନ୍ତା

ବାଲିଅନ୍ତା : କୁଆଖାଇ, କୁଶଭଦ୍ରା, ଧନୁଆ ଓ ଭାର୍ଗବୀ ନଦୀ ବନ୍ୟାରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ବିଶେଷକରି ନଦୀ ପଠାରେ ହୋଇଥିବା ପରିବା ଫସଲ ପୂରା ନଷ୍ଟ ହୋଇଯାଇଛି। ଏତେ କ୍ଷତି ସହିବା ସତ୍ତ୍ବେ ଚିରାଚରିତ ଢ଼ଙ୍ଗରେ ଚାଷୀ ପୁଣି ଅଣ୍ଟା ଭିଡ଼ିବା ଦେଖାଗଲାଣି। ପରିବା ଜମି ପ୍ରସ୍ତୁତ କରିବାରେ ଲାଗି ପଡ଼ିଲେଣି। କିନ୍ତୁ ମଞ୍ଜି ମିଳୁନି। ଏଭଳି ଦୁଃସମୟରେ ଚାଷୀମାନେ ରିହାତି ଦରରେ ଭଲ ମଞ୍ଜି ପାଇବାକୁ ଆଶା ବାନ୍ଧିଥିବା ବେଳେ ଉଦ୍ୟାନ କୃଷି ବିଭାଗର ଦର୍ଶନ ମିଳୁନାହିଁ। ଖୋଲା ବଜାରରୁ ଚଢ଼ା ଦରରେ ମଞ୍ଜି କିଣିବା ସହଜ ହେଉନଥିବାରୁ ବହୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ଏହା ଭିତରେ ସପ୍ତାହେ ହେଲା ବନ୍ୟା ପାଣି ଛାଡ଼ିଗଲାଣି। ଚାଷୀମାନେ ବିଲ ସଫା କରି ହଳ କରିବା ଦେଖାଗଲାଣି। ଢିପ ଜମିରେ କୋଶଳା, ଧନିଆ, ପାଳଙ୍ଗ, ଭେଣ୍ଡି, ବାଇଗଣ, କଲରା, ମୂଳା, ଫୁଲକୋବି, ବନ୍ଧା କୋବି ଓ କନ୍ଦମୂଳ, ପିଆଜ ଓ ଆଳୁଚାଷ କରିବା ପାଇଁ ପ୍ରସ୍ତୁତ ହେଲେଣି। ତେବେ ଏତିକିବେଳେ ଚାଷୀମାନଙ୍କ ସହ ଉଦ୍ୟାନ କୃଷି ବିଭାଗ ଠିଆ ହେବା କଥା। ଚାଷୀମାନଙ୍କୁ ରିହାତି ଦରରେ ବିହନ ଓ ଆବଶ୍ୟକ ଔଷଧ ଯୋଗାଇବା ସହ ଉପଯୁକ୍ତ ପରାମର୍ଶ ଦେବା ଦରକାର ହେଉଛି ବୋଲି ଚାଷୀମାନେ କହୁଛନ୍ତି। ହେଲେ ବ୍ଲକ ଉଦ୍ୟାନ କୃଷି ବିଭାଗ କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳୁନାହିଁ। ଚାଷୀଙ୍କୁ ପରିବା ମଞ୍ଜି ଯୋଗାଇ ଦେବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ପରିବା ମଞ୍ଜି ରିହାତି ମୂଲ୍ୟରେ ପାଇବା ଆଶାରେ ଚାଷୀମାନେ ବାଲିଅନ୍ତା ବ୍ଲକ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଛନ୍ତି। ହେଲେ ଅଧିକାଂଶ ଦିନ ଉକ୍ତ ବ୍ଲକ ଉଦ୍ୟାନ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ବରେ ଥିବା କର୍ମଚାରୀ ଓ ଅଧିକାରୀମାନେ ଅନୁପସ୍ଥିତ ରହୁଥିବା ଦେଖି ନିରାଶ ହୋଇ ଫେରୁଥିବା ଚାଷୀମାନେ କହିଛନ୍ତି। ତେଣୁ ଅନ୍ୟ ଉପାୟ ନ ପାଇ ଚାଷୀମାନେ ଖୋଲା ବଜାରରୁ ପନିପରିବା ମଞ୍ଜି ଚଢ଼ା ମୂଲ୍ୟରେ କିଣିବାକୁ ବାଧ୍ୟ ହେଉଛନ୍ତି। ଖୋଲା ବଜାରରୁ ଆଣିଥିବା ବାଇଗଣ ଓ ଭେଣ୍ଡି ମଞ୍ଜି ଖରାପ ଥିବାରୁ ଭଲ ଗଛ ବା ଅମଳ ହେଉନାହିଁ ବୋଲି ଜଣାଶୁଣା ଚାଷୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି। ବର୍ତ୍ତମାନ ତଳି ପଡ଼ିବା ପାଇଁ ଉପଯୁକ୍ତ ସମୟ। ତେଣୁ ଏତିକିବେଳେ ମଞ୍ଜି ନ ଯୋଗାଇଲେ, କିଛି ଲାଭ ହେବ ନାହିଁ ବୋଲି ନବାଟି ଗାଁର ଚାଷୀ ନାରାୟଣ ଭୋଇ କହିଛନ୍ତି।

ବାଲିଅନ୍ତା ବ୍ଲକ ଉଦ୍ୟାନ କୃଷି ଅଧିକାରୀ ପଦ୍ମିନୀ ବଳଙ୍କ ସୂଚନାନୁସାରେ ବନ୍ୟ‌ା କ୍ଷତିଗ୍ରସ୍ତ ଚାଷୀଙ୍କୁ ପରିବା ମଞ୍ଜି ଯୋଗାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଓ ଖୁବ୍‌ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର