କାଳିଆର ମୁହଁ ଦେଖିଦେଲେ ସବୁ ସମସ୍ୟାର ସମାଧାନ ହୋଇଯାଏ: ପ୍ରଶାନ୍ତ ନନ୍ଦ

ରେଡିଓ ଚକଲେଟ୍‌ ପକ୍ଷରୁ ୱେବିନାର୍‌ ‘କାଳିଆର ଲୀଳା’

ଭୁବନେଶ୍ବର: ‘କାଳିଆ’ର ଭାବ ଲାଗିଲେ, କାଳିଆ ପ୍ରତି ଭଲ ପାଇବା ବଢ଼ିଗଲେ, ଆଖିରୁ ସ୍ବତଃ ଲୁହ ଝରିପଡ଼େ। କାଳିଆର ମୁହଁ ଦେଖିଲେ ଜୀବନର ଯେକୌଣସି ସମସ୍ୟାର ସମାଧାନ ଆପେ ବାହାରିଯାଏ। ରାଜ୍ୟସଭା ସାଂସଦ, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଆଜି ଏହା କହିଛନ୍ତି। ରଥଯାତ୍ରା ଅବସରରେ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ୱେବିନାର୍ ‘କାଳିଆର ଲୀଳା’‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ନନ୍ଦ ଆହୁରି କହିଥିଲେ ଯେ ମହାପ୍ରଭୁଙ୍କ କୃପାବଳରେ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶେଷ ଶ୍ରାବଣ’କୁ ଅଜସ୍ର ସଫଳତା ମିଳି ପାରିଥିଲା। କାଳିଆର ରଥ ତାଙ୍କ ଚଳଚ୍ଚିତ୍ରର ବ୍ୟାନର୍ ସମ୍ମୁଖରେ ଅଟକିଯିବା ତାଙ୍କୁ ନିଶ୍ଚିତ କରାଇଥିଲା ଯେ ଏହି ଚଳଚ୍ଚିତ୍ର ଓଡ଼ିଶାର ମାଇଲ୍‌ଖୁଣ୍ଟ ହୋଇ ରହିବ। ଏହାବ୍ୟତୀତ ଶ୍ରୀଜଗନ୍ନାଥ, ପୁରୀ ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଶ୍ରୀ ନନ୍ଦ ନିଜର ଅନେକ ଅଭୁଲା ସ୍ମୃତି ଉପରେ ଆଲୋକପାତ କରିଥିଲେ।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଶ୍ରୀଜଗନ୍ନାଥ ଓଡ଼ିଶା ଓ ଓଡ଼ିଆମାନଙ୍କର ପରିଚୟ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ବେଳର ଅନୁଭୂତି ବର୍ଣ୍ଣନା କରି ସେ କହିଥିଲେ ଯେ ସେତେବେଳେ ଓଡ଼ିଶା କେଉଁଠି ବୋଲି ଯିଏ ଜାଣି ପାରୁନଥିଲା, ଶ୍ରୀଜଗନ୍ନାଥଙ୍କ ଧାମରୁ ଆସିଛି ବୋଲି କହିଲେ ସେ ବୁଝିପାରୁଥିଲେ। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଧ୍ୟରେ ଥିବା ଦିନଗୁଡ଼ିକ ଆମ ପାଇଁ ଏକ ଉତ୍ସବର ସମୟ। କିନ୍ତୁ ଏବେ କଟକଣା ପାଇଁ ଏହି ଉତ୍ସବକୁ ଆମେ ପାଳି ପାରୁନାହୁଁ। ହେଲେ ଗତବର୍ଷ ଯେଉଁ ଚମତ୍କାର ହେଲା, ୫୦ବର୍ଷ ପରେ ତାହା ଏକ ବିରାଟ ଉଦାହରଣ ହୋଇ ରହିବ ଯେ ଠାକୁର ନିଜେ ନିଜ ଇଚ୍ଛାରେ ସବୁ କରାନ୍ତି। କଣ୍ଠଶିଳ୍ପୀ ମହାପ୍ରସାଦ କର ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ପ୍ରଶାନ୍ତ ନନ୍ଦଙ୍କ ଏକ ହିନ୍ଦୀ ଧାରାବାହିକର ଭକ୍ତି ଗୀତ ଗାଇ କାର୍ଯ୍ୟକ୍ରମକୁ ଜଗନ୍ନାଥମୟ କରିଦେଇଥିଲେ। ପଦ୍ମଶ୍ରୀ ଡ. ରଜତ କର ପ୍ରଭୁ ଜଗନ୍ନାଥ ଏବଂ ଭକ୍ତ ବିଭୀଷଣଙ୍କ ମଧ୍ୟରେ ଥିବା ଭାବର ସଂପର୍କକୁ ନେଇ ଅତି ଭାବଗର୍ଭକ କଥା କହିଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କିପରି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇ ଲେଖନୀ ଚାଳନା କରି ସଫଳ ହେଲେ, ସେ ସମ୍ପର୍କରେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ପ୍ରାଞ୍ଜଳ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ।

କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରୁ ‘ନୀଳାଚଳ ଧାମ ଯାଇ ମୁଁ ପାରୁନି, ଏଇଠୁ କରୁଛି ଦଣ୍ଡବତ’ ଭକ୍ତି ଗୀତଟି ପ୍ରତ୍ୟେକଙ୍କ ମନରେ ଭକ୍ତିରସ ଭରି ଦେଇଥିଲା। ତିରୁପତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ହରେକୃଷ୍ଣ ଶତପଥୀ ବିଭିନ୍ନ ଶାସ୍ତ୍ରର ଉଦାହରଣ ମାଧ୍ୟମରେ ଶ୍ରୀଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ ନିବିଡ଼ତାକୁ ବ୍ୟକ୍ତ କରିଥିଲେ। ‘ଅନନ୍ୟ ଶ୍ରୀ ଜଗନ୍ନାଥ’ ସଂସ୍ଥାନର ସଂପାଦକ ପୀତବାସ ରାଉତରାୟ ନିଜର ବକ୍ତବ୍ୟ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବ୍ୟାଖ୍ୟା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡ. ଭାସ୍କର ମିଶ୍ର ଶ୍ରୀଜଗନ୍ନାଥ ଓ ଟାହିଆର ସମ୍ପର୍କ ତଥା ରାଘବ ଦାସଙ୍କ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦ ବିଜୟିନୀ ଶତପଥୀ, ଅଧ୍ୟାପିକା ଓ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବିଦୂଷୀ ଡ. କଲ୍ୟାଣୀନନ୍ଦୀ ଶତପଥୀ, ପୁରୀ ନେବଳ ଦାସ ମଠ ମହନ୍ତ ଡ. ରାମଚରଣ ଦାସ, ଅନନ୍ୟା ବାଣୀସାଧିକା ପ୍ରୀତିନନ୍ଦା ରାଉତରାୟ, ପ୍ରାଧ୍ୟାପକ ରଘୁନାଥ ପଣ୍ଡା, ପ୍ରଖ୍ୟାତ ବକ୍ତା ଶରଣାରବିନ୍ଦ ଓଝା, ପ୍ରଭୁ ଜଗନ୍ନାଥଙ୍କ ଅଦ୍ଭୂତ ଲୀଳାକୁ ନେଇ ଭାବଭିତ୍ତିକ କଥା ଉପସ୍ଥାପନ କରିଥିଲେ।

ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ ସୌରଭ ନାୟକ, ପ୍ରଫୁଲ୍ଲ ବେହେରା, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଲୋପାମୁଦ୍ରା ଦାସ ଏବଂ ବର୍ଣ୍ଣାଳୀ ହୋତା କାଳିଆଙ୍କର ଭକ୍ତିଗୀତ ଗାଇ ସମସ୍ତଙ୍କୁ ଭାବ ସମୁଦ୍ରରେ ବୁଡ଼ାଇ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ରଥଯାତ୍ରା ସମୟରେ ରେଡିଓ ଚକଲେଟ୍ କିପରି ଜଗନ୍ନାଥଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି, ସେ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ଆର୍‌.ଜେ ସଂଗ୍ରାମ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଆର୍‌.ଜେ ଆର୍ଯ୍ୟ। ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ସଂଗ୍ରାମ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର