ରାଈ ଦାମୋଦର ବେଶ ଦେଖି ଗଦ୍‌ଗଦ୍‌ ହବିଷ୍ୟାଳି

ପୁରୁଣା ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁମାନେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିମାନେ ଆସି ବିଭିନ୍ନ ମଠ ଓ ଧର୍ମଶାଳାରେ ରହିଛନ୍ତି। ତେଣୁ ଏବେଠୁ ମାସକ ଯାକ ଏକାମ୍ର କ୍ଷେତ୍ର ହିବ‌ିଷ୍ୟାଳିଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠିବ। ମଠ, ମନ୍ଦିରର ତୁଳସୀ ଚଉଁରା ମୂ‌ଳେ ଶୁଭିବ ଭାଗବତ ପାଠ ଓ ରାଈ ଦାମୋଦର ପୁରାଣ ପାଠ।

ଆଜି ଭୋର୍‌ରୁ ହିବଷ୍ୟାଳିମାନେ ଗ୍ରହଣ ସ୍ନାନ କରିଥିଲେ। ଏହାପରେ ସେମାନେ ବିଭିନ୍ନ ମଠ, ଧର୍ମଶାଳା ଓ ମନ୍ଦିର ପରିସରରେ ଥିବା ତୁଳସୀ ଚଉଁରା ମୂଳେ ମୁରୁଜ ପକାଇ କାର୍ତ୍ତିକ ମାହାତ୍ମ୍ୟ ପାଠକରି ବ୍ରତ ଆରମ୍ଭ କରିଛନ୍ତି। ହୁଳହୁଳି, ଶଙ୍ଖନାଦ ଓ କାର୍ତ୍ତିକ ମାହାତ୍ମ୍ୟ ପାଠରେ କମ୍ପି ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ। ଏଥିସହିତ ସେମାନେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ‌ ରାଈ ଦାମୋଦର ବେଶ ଓ ଆଳତି ଦର୍ଶନ କରିଥିଲେ। ସନ୍ଧ୍ୟାରେ ଆକାଶ ଦୀପ ଜଳାଇଥିଲେ।

ହବିଷ୍ୟାଳିମାନେ ମାସ ସାରା କାର୍ତ୍ତିକ ମାହାତ୍ମ୍ୟ ପାଠ କରିବା ସହିତ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ ଶୁଣି ସମୟ ଅତିବାହିତ କରିବେ ବୋଲି କହିଛନ୍ତି। ଆଜି ଦିନ ତମାମ୍‌ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଗହଳି ଲାଗିରହିଥିଲା। କାର୍ତ୍ତିକ ବ୍ରତ ଆରମ୍ଭ ଥିବାରୁ ଆଜି ରବିବାର ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ରାଈ ଦାମୋଦର ବେଶ ଦର୍ଶନ ଓ ଅବଢ଼ା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଜମିଥିଲା। ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅନନ୍ତ ବାସୁଦେବ ମନ୍ଦିରରେ ମଧ୍ୟ ଅବଢ଼ା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସୁଆର ସେବାୟତମାନେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର