ଭୁବନେଶ୍ବରରେ ୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ବର: ଜୁନ୍ ୧ରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଶୀତଳ ଷଷ୍ଠୀ ମହୋତ୍ସବ ଓ ଉଦ୍ୟୋଗୀ ମେଳା ଅୟୋଜିତ ହେବ। ଏ ନେଇ ଆଜି ହୋଟେଲ ଏମ୍ପାୟାର୍ସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଶିବାଂଶୀ ଫାଉଣ୍ଡେସନର ସଦସ୍ୟା, ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବର ପରିକଳ୍ପନା କରାଯାଇଛି ।

ସୂଚନା ଅନୁଯାୟୀ ଆସନ୍ତା ଜୁନ୍ ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବ ଓ ୨ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉଦ୍ୟୋଗୀ ମେଳାରେ ପାରମ୍ପରିକ ଓଡ଼ିଆ ପିଠାପଣା , ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ହସ୍ତତନ୍ତ ଓ ହସ୍ତକଳା ସହିତ ଫ୍ୟାସନ ଓ ଲାଇଫଷ୍ଟାଇଲ ସାମଗ୍ରୀ ବିଭିନ୍ନ ଷ୍ଟଲ୍ ରେ ପ୍ରଦର୍ଶିତ ହେବ। ୧ ତାରିଖ ସନ୍ଧ୍ୟା ୬:୩୦ରେ ଏହି ଉଦ୍ୟୋଗୀ ମେଳା ଉଦଘାଟିତ ହେବାକୁ ଥିବା ବେଳେ, ୨ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ପ୍ରତିଷ୍ଠିତ ସିନେମା ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ,  ଶ୍ରୀମୟୀ ମିଶ୍ର, ଫ୍ୟାସନ ଡିଜାଇନର ଜୁବିନା ଅଲ୍ଲୀ, ମହିଳା ଉଦ୍ୟୋଗୀ  ପ୍ରସନ୍ନା ପତି, ଏସ୍ ଏଚ୍ ଜି ନେତ୍ରୀ ସଂଯୁକ୍ତା ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମହୋତ୍ସବରେ ଉଦ୍ୟୋଗୀ ମେଳା, ସମ୍ବଲପୁରୀ ବସ୍ତ୍ରକୁ ନେଇ ଫ୍ୟାସନ ସୋ’ ମଧ୍ୟ ଅୟୋଜିତ ହେବ ବୋଲି ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର