ଭୁବନେଶ୍ବର : ରାଜଧାନୀରେ କଟକ ରୋଡରେ ବାର୍ରେ ଚୋରା ମଦ କାରବାର ଘଟଣାର ପର୍ଦ୍ଦାଫାସ୍ କରିଥିଲା କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି)। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା। ଚୋରାରେ ମଦ ବିକ୍ରି ଅଭିଯୋଗରେ ବାରରେ ଗଚ୍ଛିତ ଥିବା ବିପୁଳ ପରିମାଣର ମଦକୁ ଜବତ କରି ନିଜ ହେପାଜତକୁ ନେଲା ଭୁବନେଶ୍ବର ଅବକାରୀ ରେଞ୍ଜ। କିନ୍ତୁ କେତେ ପରିମାଣର ମଦ ଜବତ ହେଲା, ତାହାର ଖବର ପୁଲିସ ପାଖରେ ନାହିଁ। ଅବକାରୀ ଟିମ୍ ଜବତ କରି ନେଇଥିବା ମଦର ତାଲିକା ମଧ୍ୟ ପୁଲିସ ପାଖରେ ନାହିଁ। କେବଳ ବାର୍ ବାହାରୁ ଜବତ ହୋଇଥିବା ୧୮ଲିଟର ମଦର ତାଲିକା ପ୍ରସ୍ତୁତ କରି ଦୁଇଜଣଙ୍କୁ କୋର୍ଟଚାଲାଣ କରି ଦେଇ କାମ ସାରି ଦେଇଛି ପୁଲିସ।
ଅବକାରୀ ଟିମ୍ ବାର ଭିତରେ ମଦ ଜବତ କରିଥିବାରୁ ତା’ର ତାଲିକା ସେମାନଙ୍କ ପାଖରେ ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଆମର ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହି ଘଟଣାରେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ମଧ୍ୟ ଉଠିଛି।
ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ଅନୁସାରେ, ଅବକାରୀ ଟିମ୍ ବାର୍ ଭିତରୁ ଯେଉଁ ମଦ ଜବତ କରି ନେଲା, ତାହାର ଏକ ତାଲିକା ପୁଲିସ ପାଖରେ ନିହାତି ରହିବା ଜରୁରୀ। କାରଣ ଚୋରା ମଦ କାରବାରର ମୂଳ ମାମଲା ପୁଲିସ ରୁଜୁ କରିଛି। ସେହି ମାମଲାର ତଦନ୍ତ ଲାଗି ଏହି ତାଲିକା ବେଶ୍ ସହାୟକ ହେବ। ଏହା ସହ ଜବତ ଟିମରେ ଥିବା କର୍ମଚାରୀଙ୍କ ବୟାନ, ଭିଡିଓ କ୍ଲିପିଂ ତଦନ୍ତକୁ ଆଗକୁ ନେଇ ପାରିବ। ଏଠାରେ ପ୍ରଶ୍ନ ଉଠୁଛି, ଚୋରା ମଦ କାରବାର ନେଇ ପୁଲିସ ମାମଲା ରୁଜୁ କରିଥିବା ବେଳେ ଅବକାରୀ ଟିମ୍ ଜବତ କରିଥିବା ବିପୁଳ ପରିମାଣର ମଦ ତାଲିକା ପୁଲିସ ରଖିଲା ନାହିଁ କାହିଁକି? ଏହା କ’ଣ ପୁଲିସ ତଦନ୍ତର ଦିଗ ନୁହେଁ କି? ଏହି ମଦ କାରବାର କ’ଣ ବାର୍ ଡ୍ରାଇଭର ଓ ସୁରକ୍ଷା କର୍ମୀ ଚଲାଇଥିଲେ କି? ମଦ କାରବାରର ମୁଖ୍ୟ କାର୍ପଟଦାର ଗଲେ କୁଆଡ଼େ? ନା ତଦନ୍ତ ସେଇଠି ଅଟକି ଯିବ? ଏଭଳି ଦିଗ ଏବେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ଏକ ମଦ ଦୋକାନରେ ଚୋରା କାରବାର ଚାଲିଥିବା ଅଭିଯୋଗ ପରେ ମଦ ଜବତ କରିଥିଲା ଅବକାରୀ ଥାନା। ସେଠାରୁ କିଛି ମଦ ଗାଏବ ହେବା ନେଇ ଜଣେ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ ସହ ମାମଲା ମଧ୍ୟ ରୁଜୁ ହୋଇଥିଲା। ଲକ୍ଡାଉନ୍ ପାଇଁ ମଦ ଦୋକାନ, ବାର ବନ୍ଦ ରହିଥିଲେ ବି ଚୋରା କାରବାର ଘଟଣାକୁ ଅତି ହାଲୁକା ଭାବେ ନେଇଛି ଅବକାରୀ ରେଞ୍ଜ। ଏହା ଗୁରୁତର ଅପରାଧ ନୁହେଁ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ। ଷ୍ଟକ୍ ଯାଞ୍ଚ କରାଯିବା ପରେ କେବଳ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି। ଅବକାରୀ ଟିମର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଚୋରା ମଦ କାରବାରକୁ ନେଇଗତକାଲି କଟକ ରୋଡ୍ରେ ଥିବା ରେନ୍ ଦ କ୍ଲବ୍ ବାର୍ରେ ଚଢ଼ଉ କରିଥିଲା କ୍ୟୁଏଟି। ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରି ନେଇଥିଲା ଅବକାରୀ ଟିମ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/alcohol-.jpg)