ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ଆଜି ଜଣେ ପରିବା ବ୍ୟବସାୟୀଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଛି। ମୃତକ ହେଲେ, ବାଲିପାଟଣା ବନମାଳିପୁର ଅଞ୍ଚଳର ବିକ୍ରମ କୁମାର ସାହୁ (୨୮)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Advertisment

ସୂଚନା ମୁତାବକ, ଦୀର୍ଘ ବର୍ଷ ହେବ ବିକ୍ରମ ନୂଆପଲ୍ଲୀ ବେହେରାସାହି ଛକରେ ପରିବା ଦୋକାନ କରିଥିଲେ। ଗତ ଦୁଇ ଦିନ ହେବ ଦୋକାନ ବନ୍ଦ ଥିବାରୁ ପାଖ ଦୋକାନୀ ତାଙ୍କ ହାଲଚାଲ୍‌ ଜାଣିବା ପାଇଁ ଫୋନ୍‌ କରିଥିଲେ। ହେଲେ ବାରମ୍ବାର ଚେଷ୍ଟା ପରେ ବି କୌଣସି ଉତ୍ତର ନ ମିଳିବାରୁ ଆଜି ସକାଳେ ସେ ରାଧାକୃଷ୍ଣ ଗଳିରେ ଥିବା ତାଙ୍କ ଘରକୁ ଯାଇଥିଲେ। ତାଙ୍କ ଘର କବାଟ ଭିତରୁ ବନ୍ଦ ଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ମଧ୍ୟ କବାଟ ଖୋଲି ନଥିଲା। ଝରକା ଖୋଲି ଭିତରକୁ ଦେଖିବା ବେଳକୁ ବିକ୍ରମଙ୍କ ଶବ ଫ୍ୟାନ୍‌ରେ ଝୁଲି ରହିଥିଲା। ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିକ୍ରମଙ୍କ ପରିବାରଲୋକ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହକୁ ଜବତ କରାଯାଇଥିଲା। ତେବେ ସେ କାହିଁକି ଆତ୍ମହତ୍ୟା କଲେ? ଏହା ପଛର କ’ଣ କାରଣ ରହିଛି? ସମସ୍ତ ଦିଗକୁ ନେଇ ପୁଲିସ ତନାଘନା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ୍‌ କହିଛି।