ଭୁବନେଶ୍ବର: ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ଘଟିଲା। ରାଜ୍ୟ ସରକାରଙ୍କ ସମ୍ପତ୍ତି ଏକ ଘରୋଇ ସଂସ୍ଥା ଜବତ କଲା। ଅଧିକାରୀମାନଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି ଯୋଗୁ ସରକାର ଏଭଳି ଏକ ଅଭାବନୀୟ ପରିସ୍ଥିତିର ସାମ୍ନା କଲେ। ସମ୍ବଲପୁରରେ ଏକ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ଏଲ୍ ଆଣ୍ଡ ଟିକୁ ସରକାର ନ ଦେବାରୁ ଗତକାଲି ସନ୍ଧ୍ୟାରେ ବାଣିଜ୍ୟ କୋର୍ଟ ସିଭିଲ୍ ଜଜ୍(ସିନିୟର ଡିଭିଜନ୍)ଙ୍କ ଆଦେଶ ବଳରେ, ପୁଲିସ୍ ସହାୟତାରେ ନିର୍ମାଣ ସୌଧରେ ଥିବା ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏହି ୨୦ କୋଟି ବଢ଼ି ବଢ଼ି ୧୨୦ କୋଟି ଛୁଇଁଛି। ସରକାର ଏହି ୧୨୦ କୋଟି ଦାଖଲ ନ କଲେ ଆଗକୁ ଏହି କୋଠାର ସମସ୍ତ ସାମଗ୍ରୀ ଜବତ ହେବ। ଏହି ପ୍ରକଳ୍ପରେ ସାମିଲ ଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଦେଶ ହୋଇଛି।
ତେବେ ପ୍ରଶ୍ନ ଉଠୁଛି, ସରକାର ଏହି ଅତିରିକ୍ତ ଶହେ କୋଟି କେଉଁ ପାଣ୍ଠିରୁ ଦେବେ? ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ? ବାରମ୍ବାର ମାମଲା ହାରୁଥିଲେ ମଧ୍ୟ ଚ୍ୟାଲେଞ୍ଜ କରିବାକୁ କିଏ ସରକାରଙ୍କୁ ବୁଦ୍ଧି ଦେଇଥିଲା? ଏସବୁ ଉପରେ କଣ ସରକାର ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସୂଚନା ମୁତାବକ, ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ୧୬୫ କିଲୋମିଟର ରାସ୍ତା ନିର୍ମାଣ କରିଥିଲା ଏଲ୍ ଆଣ୍ଡ ଟି। ଏଥିପାଇଁ ବିଧିବଦ୍ଧ ଟେଣ୍ଡର ହୋଇଥିଲା ଏବଂ ଏଲ୍ ଆଣ୍ଡ ଟି ଟେଣ୍ଡର ନେଇଥିଲା। କାମ ସରିବା ପରେ ପୂର୍ତ୍ତ ବିଭାଗ ୨୦ କୋଟି ଟଙ୍କା ସଂସ୍ଥାକୁ ଦେଇନଥିଲା। କାମ ସରିବା ପରେ ବିଭିନ୍ନ ବାହାନା କରି ପୂର୍ତ୍ତ ବିଭାଗ ଏହି ଅର୍ଥ ନ ଦେବାରୁ ଏଲ୍ଆଣ୍ଡଟି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୦୪ ମସିହାରେ ଓଡ଼ିଶା ଆର୍ବିଟେସନ ସେଣ୍ଟରରେ ମାମଲାର ଫଏସଲା ହୋଇଥିଲା କି ଏହି ଅର୍ଥ ସରକାର ଏଲ୍ଆଣ୍ଡଟିକୁ ପ୍ରଦାନ କରିବେ। କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସେଠାରେ ହାରିବା ପରେ ସରକାର ସୁପ୍ରିମକୋର୍ଟ ଯାଇ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ। ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କର ପରାଜୟ ହୋଇଥିଲା। ତଥାପି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସେଠାରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ସେଥିରେ ମଧ୍ୟ ସରକାର ହାରିଗଲେ। ଇତିମଧ୍ୟରେ ଏହି ୨୦ କୋଟି ଟଙ୍କାର ସୁଧ ବଢ଼ି ବଢ଼ି ମୂଳ ସହ ୧୨୦ କୋଟିରେ ପହଞ୍ଚିଥିଲା। କୋର୍ଟଙ୍କ ଆଦେଶ ସତ୍ତ୍ବେ ଏହି ଅର୍ଥ ସରକାର ପୈଠ ନ କରିବାରୁ ଏଲ୍ ଆଣ୍ଡ ଟି ସିଭିଲ୍ ଜଜ୍(ବାଣିଜ୍ୟ)ଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟ ବାରମ୍ବାର ନୋଟିସ୍ ପଠାଇବା ପରେ ସମ୍ପତ୍ତି ଜବତ କରିବାକୁ ଆଦେଶ ଦେଇଥିଲେ।
ଗତକାଲି ସନ୍ଧ୍ୟାରେ ପୁଲିସ ସହାୟତାରେ ଏହି କାର୍ଯ୍ୟାଳୟରୁ ୯ ଟେବୁଲ୍, ୯ ଏସି, ୧୫ ଆଲମିରା ଓ ୧୮ କମ୍ପ୍ୟୁଟର ଜବତ ହୋଇଛି। ଏନେଇ ଏଲ୍ଆଣ୍ଡଟି ଓକିଲ ଗୌତମ ମୁଖାର୍ଜୀ କହିଛନ୍ତି, ଓଡ଼ିଶା ଆର୍ବିଟେସନ ସେଣ୍ଟର ଫଇସଲା ଶୁଣାଇବା ପରେ ସରକାର ଏହି ଅର୍ଥ ପଇଠ କରିଦେବାର ଥିଲା। କିନ୍ତୁ ଅଧିକାରୀମାନଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବେ ସରକାରଙ୍କୁ ଅକଳରେ ପକାଇଛି। ଏବେ ସୁଧ ବାବଦକୁ ଅତିରିକ୍ତ ଶହେ କୋଟି ଟଙ୍କା ସରକାର କୋଉଠୁ ଦେବେ? ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଏବେ ତ ସବୁ ଇ-ପେମଣ୍ଟ ହେଉଛି। ଏତେଗୁଡ଼ାଏ ଟଙ୍କା କାହିଁକି ବାକି ରହିଲା? ସରକାର କାହିଁକି କୋର୍ଟ ଯାଇଥିଲେ? ତାହା ଦେଖିବାକୁ ପଡ଼ିବ। ଏ ସବୁ ବୁଝିବା ପରେ ଯାହା ଯାହା କିଛି କହିହେବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/49-4.jpg)
