ଚୋରା କିରାସିନି ଡିପୋରେ ଚଢ଼ଉ, ୭.୨ ହଜାର ଲିଟର ଜବତ

ମାଷ୍ଟର ମାଇଣ୍ଡ ଚକରା ଚମ୍ପଟ, ୨ ଅଟକ

ଭୁବନେଶ୍ବର: ଆଜି ଅପରାହ୍ଣରେ ଜଟଣୀ ଥାନା ପୁଲିସ ଯାଁଳା ଫାଣ୍ଡି ଅଧୀନ ପିତାପଲ୍ଲୀରେ ଚାଲିଥିବା ଏକ ଚୋରା କିରାସିନି ଡିପୋରେ ଚଢ଼ଉ କରିଥିଲା। ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ଆଜ୍‌ବେଷ୍ଟସ ଘରୁ ପୁଲିସ ୩୨ଟି ବ୍ୟାରେଲ୍‌ ଓ ୧୬ଟି ଜେରିକେନ୍‌ରେ ଥିବା ୭ ହଜାର ୨ ଶହ ଲିଟର କିରାସିନି ଜବତ କରିଥିଲା। ଜବତ କିରାସିନିର ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚୋରା କାରବାରର ମାଷ୍ଟର ମାଇଣ୍ଡ ଚକରା ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ପୁଲିସ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନାଯୋଗ୍ୟ ପିତାପଲ୍ଲୀରେ କିରାସିନି ମାଫିଆମାନେ ଚୋରା କାରବାର ଚଳାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ପିତାପଲ୍ଲୀ ଢ଼ାବା ନିକଟ କେନ୍ଦ୍ରୀୟ ନାରିକେଳ ଫାର୍ମ ପଛ ଜଙ୍ଗଲରେ ଚୋରା ଡିପୋ ଚାଲୁଥିଲା। ବାରମ୍ବାର ଚଢ଼ଉ ହେବା ପରେ ଏବେ ମାଫିଆ ଚକରା ଗାଁ ମୁଣ୍ଡ ଉକ୍ତ ଘରକୁ ଡିପୋ ଉଠାଇ ନେଇଥିଲା। ୧୬ ନମ୍ବର ଜାତୀୟ ରାଜପଥଠାରୁ ମାତ୍ର କେଇ ଗଜ ଦୂରରେ ଥିବା ଏହି ଘରୁ ଆନ୍ଧ୍ର ଟ୍ରକମାନେ କିରାସିନି କିଣି ନେଉଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରୁ ସଂଗ୍ରହ କରୁଥିବା ଏହି ଚୋରା କିରାସିନିକୁ ଚକରା ଓ ତା ସହଯୋଗୀମାନେ ଆନ୍ଧ୍ର ଟ୍ରକ୍‌ମାନଙ୍କୁ ବିକି ମାଲେମାଲ୍ ହେଉଥିଲେ। ଆଜି ଜଟଣୀ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା।

ଆଜ୍‌ବେଷ୍ଟସ୍‌ ଘରୁ ୩୨ଟି ଯାକ ବ୍ୟାରେଲ୍ ମିଳିଥିବା ବେଳେ ପାଖ ଏକ ବାଡ଼ିରୁ ୧୬ଟି ବଡ଼ ଜେରିକେନ୍ ମିଳିଥିଲା। ତେଣୁ ପୁଲିସ ଉକ୍ତ ବାଡ଼ିର ମାଲିକ ଓ ତାଙ୍କ ପୁଅକୁ ଉଠାଇ ନେଇଛି। କିରାସନି ସବୁ ଚକରାର ବୋଲି ସେମାନେ ପୁଲିସକୁ କହିଥିବା ଜଣାପଡ଼ିଛି। ଜବତ କିରାସିନି ପିଡିଏସ୍‌ ମାଲ୍ ବୋଲି ସ୍ପଷ୍ଟ ହୋଇଥିଲେ ବି କେଉଁ ସରକାରୀ ଡିପୋରୁ ସବୁ ଉଠିଥିଲା, ତାହା ଜଣାପଡ଼ିନାହିଁ। ତେଣୁ ପୁଲିସ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ସହ ତଦନ୍ତ କରିବା ପରେ ସବୁ କଥା ପଦାକୁ ଆସିବ ବୋଲି କୁହାଯାଉଛି। ଏହି କିରାସିନି ଜଟଣୀ କିମ୍ବା ଖୋର୍ଦ୍ଧା ସରକାରୀ ଡିପୋରୁ ଆସିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର