ସଂଗୀତ-ନାଟକର ଉତ୍ତୁଙ୍ଗ ପୁରୁଷ ଶେଖର ସେନ୍‌ ଓଡ଼ିଶାରେ : ଜଣେ ନାଟୁଆ, ୩୮ ଚରିତ୍ର

ଭୁବନେଶ୍ୱର : ଅଠତିରିଶ ଚରିତ୍ର। ପଇଁଚାଳିଶ ଗୀତ। ତେୟାଳିଶ ଶାସ୍ତ୍ରୀୟ ରାଗ। ୨ ଘଣ୍ଟାର ଏକ ନାଟକରେ ଜଣେ ଯେ ଏ ସବୁକୁ ଆୟତ୍ତ କରିପାରେ, ତାହା ନିଶ୍ଚେ ଅସମ୍ଭବ ମନେ ହେଉଥିବ। ମାତ୍ର ଏଭଳି ଏକ ବିସ୍ମୟକୁ ସାକାର ରୂପ ଦେବାରେ ସିଦ୍ଧହସ୍ତ ନାୟକ ହେଉଛନ୍ତି ଶେଖର ସେନ୍‌। ୧୯୯୮ରୁ ନାଟ୍ୟ ଜୀବନର ଯାତ୍ରା ଭିତରେ ଏଯାବତ ସେ ଏଭଳି ୫ଟି ନାଟକ କରିଛନ୍ତି। ଅଥଚ ସେଇ ୫ଟି ନାଟକ ୯୭୬ ଥର ମଂଚସ୍ଥ ହୋଇ ଦର୍ଶକଙ୍କ ଭିତରେ ଶିହରଣ ସୃଷ୍ଟି କରିଛି। ମଙ୍ଗଳବାର ବିଶ୍ୱ ନାଟକ ଦିବସରେ ସେ ତାଙ୍କର ବହୁ ଚର୍ଚିତ ନାଟକ ‘କବିର’ ମଂଚସ୍ଥ କରିବାକୁ ଓଡ଼ିଶା ଆସିଥିବା ବେଳେ ବଖାଣିଛନ୍ତି ତାଙ୍କ ମନର କଥା। କହିଛନ୍ତି ନାଟକ ତ ଅନେକ ହେଉଛି, କିନ୍ତୁ ମୁଁ ଏମିତି ନାଟକ କରେ ଯାହା ଜଣେ କେବେ ବି ଆଗରୁ ଦେଖିନଥାଏ।

ବାସ୍ତବରେ ତାଙ୍କର ସଂଗୀତ ଭିତ୍ତିକ ନାଟକ ସମ୍ପୂର୍ଣ୍ଣ ନିଆରା। ତେବେ ୧୯୯୭ ପର୍ଯ୍ୟନ୍ତ ସେ ନାଟୁଆ ନଥିଲେ, କି ନାଟକ ବାବଦରେ କୌଣସି ତାଲିମ ନେଇନଥିଲେ। ବରଂ ହିନ୍ଦୁସ୍ତାନୀ ସଂଗୀତରେ ଶ୍ରୋତାଙ୍କ ନିକଟରେ ନିଜର ପରିଚିତି ସୃଷ୍ଟି କରିଥିଲେ। ଜୀବନ କାଳ ମଧ୍ୟରେ ୧୨୦୦ ସଂଗୀତ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବେଳେ ତାଙ୍କର ୨୦୦ରୁ ଊର୍ଧ୍ୱ ସଂଗୀତ ସିଡି ଏଯାବତ ମୁକ୍ତିଲାଭ କରି ସାରିଛି। କିନ୍ତୁ ଲୋକନାଟ୍ୟ ଓ ନାଟକ ଦ୍ୱାରା ପ୍ରଭାବିତ ହୋଇ୧୯୯୮ରେ ସେ ଆକସ୍ମିକ ଭାବେ ପଶି ଆସିଥିଲେ ନାଟକ ଜଗତକୁ। ଚିନ୍ତା କଲେ, ଏମିତି ନାଟକ କରିବି ଯାହା ଦର୍ଶକ କେବେ ବି ଆଗରୁ ଦେଖିନଥିବେ। ସେଇ ଲକ୍ଷ୍ୟ ନେଇ ସେ ସନ୍ଥ ତୁଳସୀ ଦାସ, କବିର, ସୁରଦାସ, ବିବେକାନନ୍ଦ ଓ ସାହେବ ଭଳି ୫ଟି ନାଟକ ଏପର୍ଯ୍ୟନ୍ତ ନିଜେ ଲେଖିଛନ୍ତି, ସଂଗୀତ ଦେଇଛନ୍ତି, ଗୀତ ବି ନିଜେ ଗାଇଛନ୍ତି। ପୁଣି ଏକକ ଅଭିନୟରେ ଦର୍ଶକଙ୍କୁ ୨ ଘଣ୍ଟା ବାନ୍ଧିବାର ପ୍ରମାଣ ବି ଦେଇଛନ୍ତି। ଯାହା ତାଙ୍କୁ ଦେଇଛି ପଦ୍ମଶ୍ରୀ ଭଳି ସମ୍ମାନ। ପୁଣି କେନ୍ଦ୍ର ସଂଗୀତ ନାଟକ ଏକାଡେମିର ଅଧ୍ୟକ୍ଷ ହେବାର ସୁଯୋଗ।

ଏତେ ପରେ ବି ସେ ଚଳଚ୍ଚିତ୍ରରେ ଅଭିନୟ କରିନାହାନ୍ତି। କମଲ ହାସନଙ୍କ ଭଳି ଅଭିନେତାଙ୍କ ଅଫରକୁ ବି ମନା କରି ଦେଇଛନ୍ତି। ତାଙ୍କ କହିବା କଥାହେଲା, ଚଳଚ୍ଚିତ୍ର ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରାଗ ରହିଛି। ମାତ୍ର ନାସିରୁଦ୍ଦିନ ଶାହ ଯଦି କୌଣସି ଏକ ଚରିତ୍ରରେ ଅଭିନୟ କରନ୍ତି, ତେବେ ସେ ଚରିତ୍ର ଭିତରେ ବେଳେବେଳେ ଦର୍ଶକ ନାସିରୁଦ୍ଦିନଙ୍କୁ ଦେଖନ୍ତି। କିନ୍ତୁ ମୁଁ ଯେବେ ବିବେକାନନ୍ଦ ଭୂମିକାରେ ଅଭିନୟ କରେ ମତେ କେବଳ ଦର୍ଶକଟିଏ ବିବେକାନନ୍ଦ ଭାବେ ଗ୍ରହଣ କରେ। ସେ ଏକଥା ବି କୁହନ୍ତି ମୋ ନାଟକର ଭାଷା ସଂଗୀତରେ ପରିପୂର୍ଣ୍ଣ।

ତାଙ୍କର ପ୍ରଥମ ମଂଚସ୍ଥ ସନ୍ଥ ତୁଳସୀ ନାଟକ ପାଇଁ ସେ ନିଜ ପତ୍ନୀଙ୍କ ଗହଣା ଗାଣ୍ଠିକୁ ବିକ୍ରି କରି ଦେଇଥିଲେ। ମାତ୍ର ଆଜି ଯଦି ସେ କେଉଁଠିକୁ ନାଟକ କରିବାକୁ ଯାଆନ୍ତି ତେବେ ସେଠି ଘଣ୍ଟାଏ ଆଗରୁ ଦର୍ଶକ ଜାଗା ମାଡ଼ି ବସନ୍ତି। ସବୁଠୁ ଅଧିକ ଅର୍ଥ ବି ନିଅନ୍ତି। କିନ୍ତୁ ସମସ୍ତ ଟଙ୍କାରୁ କିଛି ଅଂଶ ସେ ଅନ୍ୟ କଳା ଓ କଳାକାରଙ୍କୁ ଉତ୍ସାହିତ କରିବାରେ ବିନିଯୋଗ କରନ୍ତି।

ସମ୍ବନ୍ଧିତ ଖବର