କଳାକାର ଭତ୍ତା ହିତାଧିକାରୀ ଚୟନ: ବ୍ଲକ୍‌ କାର୍ଯ୍ୟାଳୟ ପାଲଟିଲା କଳାକେନ୍ଦ୍ର

ବାଲିପାଟଣା: ଆଜି ବାଲିପାଟଣା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଏକ ନିଆରା ପରିବେଶ। ଲାଗୁଥିଲା ସତେଯେମିତି ଏହା କୌଣସି କଳାକେନ୍ଦ୍ର। କିଏ ଓଡ଼ିଶୀ ସଂକୀର୍ତ୍ତନ ବା ନଦିଆ ତାଳରେ ମୃଦଙ୍ଗ ବଜାଉଥିଲା ତ କାହାର ବଂଶୀରୁ ଭାସିଆସୁଥିଲା ସୁନ୍ଦର ସ୍ବର। କିଏ ପାଲା ପ୍ରଦର୍ଶନ କଲା ତ କିଏ ଗୋଟିପୁଅ ନୃତ୍ୟ କରୁଥିଲା। କେତେବେଳେ ଘୋଡ଼ା ନାଚ, ଦଣ୍ଡନାଚର କୋଳାହଳ ଦେଖିବାକୁ ମିଳୁଥିଲା ତ କେତେବେଳେ ହାର୍ମୋନିୟମ୍‌ରୁ ରାଗ କଳାବତି ବହି ଆସୁଥିଲା। କଳାକାର ଭତ୍ତା ହିତାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଆଜି ଏମିତି ଥିଲା ପରିବେଶ।

ସୂଚନାନୁସାରେ, ଆଜି ଏହି ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ୪୭୦ଜଣ ଆଶାୟୀ କଳାକାର ଆସିଥିଲେ। ବ୍ଲକ୍‌ ପ୍ରଶାସନ ତରଫରୁ ଆଜି ଅଡିସନ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ବ୍ଲକ୍‌ର ୧୭ପଞ୍ଚାୟତରୁ ଏହି ୪୭୦ କଳାକାର ପୂର୍ବାହ୍ନରୁ ବ୍ଲକ ପରିସରରେ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ। ଝାଞ୍ଜ, ମୃଦଙ୍ଗ, ଖୋଳ, ହାର୍ମୋନିୟମ, ବଂଶୀ ପ୍ରଭୃତି ବାଦ୍ୟଯନ୍ତ୍ର ସାଙ୍ଗରେ ଆଣି ସେମାନେ ଆସିଥିଲେ। ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବାକେନ୍ଦ୍ର ପ୍ରକୋଷ୍ଠରେ କଳାକାରମାନେ ନିଜ ନିଜ ଦସ୍ତାବିଜ୍‌ ଏବଂ ବାଦ୍ୟଯନ୍ତ୍ର ଯାଞ୍ଚ କରାଇଥିଲେ। ବ୍ଲକ୍‌ ପ୍ରଶାସନ ଓ ଚୟନ କମିଟି ଆଶାୟୀ କଳାକାରମାନଙ୍କ ସାକ୍ଷାତକାର ନେଇଥିଲେ। ସମସ୍ତ କଳାକାରଙ୍କ ପ୍ରଦର୍ଶନକୁ ଭିଡିଓ ରେକର୍ଡ କରାଯାଉଥିଲା। ଏଥିରେ ସଂକୀର୍ତ୍ତନ ମଣ୍ଡଳୀ, କଣ୍ଠଶିଳ୍ପୀ, ପାଲାକାର, ଘୋଡ଼ା ନାଚ, ନଦିଆ ମେଳ, ଗୋଟିପୁଅ, ବଂଶୀ ଓ ହାର୍ମୋନିୟମ୍‌ ବାଦକମାନେ ସାକ୍ଷତାକାର ଦେଇଥିଲେ। ସାକ୍ଷାତକାର ସରୁସରୁ ସନ୍ଧ୍ୟା ହୋଇଯାଇଥିଲା। ତଥାପି ଦୂରଦୂରାନ୍ତରୁ ଆସିଥିବା ଭତ୍ତା ଆଶାୟୀ କଳାକାରମାନେ ଅପେକ୍ଷା କରି ସାକ୍ଷାତକାର ଦେଇଥିଲେ।

ଆଜିର ସାକ୍ଷାତକାରରୁ ୪୨୬ ଜଣ ପ୍ରାଥମିକ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିଲେ ବି ଜିଲ୍ଲାପାଳଙ୍କ ନିକଟକୁ ୫୦ଜଣଙ୍କ ନାମ ପଠାଯିବ। ସେଥିରୁ ମାତ୍ର ୨୦ଜଣଙ୍କୁ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେଣୁ ଅନେକ ଆଶାୟୀ ଭତ୍ତା ପାଇଁ ଯୋଗ୍ୟ ହୋଇଥିଲେ ବି କଟିବେ। ଏହି କଳାକାରମାନଙ୍କ ମଧ୍ୟରୁ ଅନେକ ବୃଦ୍ଧାବସ୍ଥାରେ ପହଞ୍ଚି ସାରିଛନ୍ତି। ତେଣୁ ଅନେକ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହେବା ନିଶ୍ଚିତ ହେବା ପରେ ହତାଶ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ବ୍ଲକ୍‌ରେ ୨୫୨ଜଣ କଳାକାର ଭତ୍ତା ପାଉଥିଲେ। ଏହା ଭିତରେ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେହି ସ୍ଥାନରେ ପୁଣି ନୂଆ ନାଁ ଯୋଗ କରାଯିବ ଏବଂ ଅଧିକ ୪ଜଣଙ୍କୁ ମନୋନୀତ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ବିଡିଓ ଆଦିକନ୍ଦ ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଧର ସ୍ବାଇଁ, ଅର୍ଜୁନ ପରିଡ଼ା, ସଉରି ଜେନା, ବିଷ୍ଣୁଚରଣ ପରିଡ଼ା, ପ୍ରମୋଦ ବାରିକ, ତ୍ରୈଲୋକ୍ୟ ପରିଡ଼ା, ପ୍ରଭାତ ଜେନା, ସନ୍ତୋଷ ଦାଶ ଓ ପ୍ରସନ୍ନ ପୃଷ୍ଟି ଚୟନକର୍ତ୍ତା ଭାବେ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୂତିଆ ଓ ସହାୟକ ସଂଗ୍ରାମ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର