ଏନ୍‌ଏସ୍‌ଏମ୍‌ ସିଟି କଲେଜରେ ଆୟୋଜିତ ଆତ୍ମରକ୍ଷାର କୌଶଳ ପ୍ରଶିକ୍ଷଣ ଶିବିରରେ ତାଲିମ ନେଲେ ୩୬୧ ଛାତ୍ରୀ

କଟକ: ନେତାଜୀ ସୁବାଷ ମେମୋରିଆଲ (ଏନ୍‌ଏସ୍‌ଏମ୍‌) ସିଟି କଲେଜରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କୌଶଳ ସଂପର୍କରେ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ତାଲିମ ଶିବିରର ଆୟୋଜନ କରା ଯାଇଥିଲା। କଲେଜର ଅଧ୍ୟକ୍ଷ ଡ. ଦେବାଶିଷ ଜେନାଙ୍କ ନେତୃତ୍ୱରେ ବରିଷ୍ଠ ଅଧ୍ୟାପିକା ସୁଜାତା ସ୍ୱପ୍ନା ନାୟକଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି ତାଲିମ ଓ ପ୍ରଶିକ୍ଷଣ ଶିବିରରେ ଟ୍ରେନର ଭାବେ ପ୍ରିୟଙ୍କା ରାଉତରାୟ ଯୋଗଦେଇ ଛାତ୍ରୀମାନଙ୍କୁ ଜରୁରୀକାଳିନ ପରିସ୍ଥିତିରେ ଆତ୍ମରକ୍ଷା ପାଇଁ ଆବଶ୍ୟକ ପଡ଼ୁଥିବା ବିଭିନ୍ନ କୌଶଳ ସଂପର୍କରେ ପ୍ରଶିକ୍ଷଣ ଓ ତାଲିମ ପ୍ରଦାନ କରିଥିଲେ।

 

ଗତ ନଭେମ୍ବର ମାସଠାରୁ କଲେଜ ପରିସରରେ ଆରମ୍ଭ ହୋଇଥିବା ଏହି ତିନି ମାସିଆ ଆତ୍ମରକ୍ଷାର କୌଶଳ ପ୍ରଶିକ୍ଷଣ ଓ ତାଲିମ ଶିବିରରେ କଲେଜର +୨ ପ୍ରଥମ ବର୍ଷ ଓ +୩ ପ୍ରଥମ ବର୍ଷର ମୋଟ ୩୬୧ ଜଣ ଛାତ୍ରୀ ଅଂଶଗ୍ରହଣ କରିବା ସହ ପ୍ରଶିକ୍ଷଣ ଓ ତାଲିମ ନେଇଥିଲେ।

ନିକଟରେ ଆୟୋଜିତ ହୋଇ ଯାଇଥିବା ଏହି ତାଲିମ ଶିବିରର ଉଦ୍‌ଯାପନୀ ଉତ୍ସବରେ ଅଧ୍ୟାପକ ସୁମନ୍ତ ନାୟକ, ଡ. ସତ୍ୟପ୍ରିୟ ମହାନ୍ତି, ଅଦୈତ୍ୟ ସ୍ୱାଇଁ ଓ ଶ୍ରୀମତୀ ଅମିତା ଦାସ ପ୍ରମୁଖ ଯୋଗଦେଇ ତାଲିମ ଓ ପ୍ରଶିକ୍ଷଣ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିଳ୍ପା ପ୍ରଧାନ।

ସମ୍ବନ୍ଧିତ ଖବର