ଦୁର୍ଦ୍ଦଶାରେ ସ୍ବାଭିମାନୀ କିନ୍ନର

ଭୁବନେଶ୍ବର: ମହାମାରୀ କ‌‌ରୋନା ପାଇଁ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ସ୍ବାଭିମାନୀ କିନ୍ନରମାନେ। ଅନ୍ୟମାନଙ୍କ ଆଗରେ ହାତ ନ ପାତି ପରିଶ୍ରମ କରି ନିଜ ଗୋଡ଼ରେ ଛିଡ଼ା ହେବାକୁ ପସନ୍ଦ କରୁଥିବା କିନ୍ନରମାନଙ୍କ ଉପରେ କରୋନା ମାଡ଼ ପଡ଼ିଛି। ଦେଢ଼ ମାସ ହେଲା କାମ ଧନ୍ଦା ହରାଇ ସେମାନେ ଏକ ପ୍ରକାର ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଛନ୍ତି। ତାଲା ବନ୍ଦ କଟକଣା ସାମାନ୍ୟ କୋହଳ ହୋଇଥିଲେ ବି ସେମାନଙ୍କ ନିଜ ରୋଜଗାରର ରାସ୍ତା ଖୋଲିନାହିଁ।

ରାଜଧାନୀରେ ବହୁ କିନ୍ନର ସିଲେଇ କରିବା, ପାର୍ଲରରେ କାମ କରିବା, ଜୁସ୍ ଦୋକାନରେ କାମ କରିବା, ଭଡ଼ା ଗାଡ଼ି ଚଲାଇବା, ନୃତ୍ୟ କରିବା, ମଡେଲିଂ କରିବା ଭଳି କାମରୁ ନିଜ ଜୀବିକା ଅର୍ଜନ କରନ୍ତି। କିନ୍ତୁ ବର୍ତ୍ତମାନ କରୋନା ଏମାନଙ୍କ ଜୀବିକା ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ତାଲାବନ୍ଦ ପାଇଁ ଏମାନଙ୍କ କର୍ମକ୍ଷେତ୍ର ବନ୍ଦ ହୋଇ ଯାଇଛି। ସିଲେଇ କରି ନିଜ ପେଟ ପୋଷୁଥିବା ଡମଣାର କିନ୍ନର ରୋମା, ଭରତପୁରର କାଜଲ ଓ ନୟାପଲ୍ଲୀର ରାନୀ ନିଜ ଜୀବିକାରେ ତାଲା ପଡ଼ିଥିବାରୁ ଚିନ୍ତାରେ ଅଛନ୍ତି। କଟକଣା କୋହଳ ହୋଇଥିଲେ ବି କାରବାର ହେଉନାହିଁ ବୋଲି ସେମାନଙ୍କ ରୋଜଗାର ହେଉନାହିଁ। ତାଲାବନ୍ଦ ପୂର୍ବରୁ ସ୍ଥାନୀୟ ଲୋକ ଓ ଦୋକାନରୁ ଅର୍ଡର ଆଣି ଏମାନେ ଭଲ ରୋଜଗାର କରୁଥିଲେ, କିନ୍ତୁ ବର୍ତ୍ତମାନ ପୂର୍ବଭଳି ଭଲ ପରିମାଣର ଅର୍ଡର ଆସୁନି।

ସେହିଭଳି ଡମଣାର କିନ୍ନର ସ୍ୟାଣ୍ଡି ଓ ଭରତପୁରର ଦେବସ୍ମିତା ବିୟୁଟି ପାର୍ଲରରେ କାମ କରି ପେଟ ପୋଷୁଥିଲେ। ମାତ୍ର ଏବେ ବି ପାର୍ଲର ଖୋଲିନଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ନୟା‌ପଲ୍ଲୀର କିନ୍ନର ମେନକା ଜଣେ ଜୁସ୍ ବ୍ୟବସାୟୀ ଭାବେ ଜଣାଶୁଣା। ଭରତପୁରରେ ସେ ତାଙ୍କ ଜୁସ୍ ଦୋକାନ ଖୋଲିଛନ୍ତି। ସେ ମର୍ଣ୍ଣିଂ ଵାକ୍‌ରେ ଆସୁଥିବା ଲୋକଙ୍କୁ ବିଭିନ୍ନ ହର୍ବାଲ ଜୁସ୍ ତିଆରି କରି ବିକ୍ରି କରନ୍ତି। ଦିନର ବାକି ସମୟରେ ଫଳ ଜୁସ୍ ବିକ୍ରି କରନ୍ତି। ଗ୍ରୀଷ୍ମ ଋତୁରେ ଜୁସ୍ ବେପାର ଭଲ ହେବା କଥା ଓ ଭଲ ଦି ପଇସା ରୋଜଗାର ହେବା କଥା। କିନ୍ତୁ କରୋନା ଓଲଟା ତାଙ୍କୁ ବେରୋଜଗାର କରିଦେଲା। ତଥାପି ସେ ହାରି ଯାଇନାହାନ୍ତି। ଏବେ ଏକ ରାସନ ଦୋକାନରେ କାମ କରୁଛନ୍ତି। ଉକ୍ତ ରୋଜଗାର ଯଥେଷ୍ଟ ନ ହେଲେ ବି କଷ୍ଟରେ ଚଳି ଯାଉଛନ୍ତି ବୋଲି ମେନକା କହିଛନ୍ତି।

ସମ୍ବନ୍ଧିତ ଖବର