ସ୍ବୟଂ ସହାୟକ ଗୋଷ୍ଠୀ ୱାର୍ଡ ଅଫିସ ଚଳାଇବା ପ୍ରସଙ୍ଗ: ବାଉଳା ହେଉଛି ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଏମ୍‌ସି ୱାର୍ଡ ଅଫିସ ଚଳାଇବା ପ୍ରସଙ୍ଗରେ ବାଉଳା ହେଉଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଶିକ୍ଷାଗତ ଯୋଗ୍ୟତା ନଥାଇ ମହିଳାମାନେ ୱାର୍ଡ ଅଫିସ ପରିଚାଳନା କରିବା ଜଣାପଡ଼ିବା ପରେ ପ୍ରବଳ ବିରୋଧ ହେବାରୁ ବିଭାଗ ନିଷ୍ପତ୍ତି ବଦଳାଇଛି। କିନ୍ତୁ ଯେଉଁ ଦିନ ସଂଶୋଧିତ ବିଜ୍ଞପ୍ତି ଜାରି ପାଇଁ ଚିଠି କରାଯାଇଛି, ସେହି ଦିନକୁ ହିଁ ‌ଶେଷ ତାରିଖ ରଖାଯାଇଛି। ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କ ଏପରି ବେପରୱା କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

ସଂଶୋଧିତ ବିଜ୍ଞପ୍ତିରେ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ରଖାଯାଇଛି। କିନ୍ତୁ ସକାଳେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଆବେଦନ କରିବାକୁ ଧାର୍ଯ୍ୟ ହୋଇଥିବାରୁ ଆବେଦନ କରିବାକୁ ଥିବା ଗୋଷ୍ଠୀମାନେ କେବଳ ଦ୍ବନ୍ଦ୍ବରେ ପଡ଼ିନାହାନ୍ତି ବରଂ ଏହି ବିଜ୍ଞପ୍ତି କେବଳ ଏକ ପ୍ରହସନ ହୋଇଛି। କେବଳ ବିରୋଧ ହେବାରୁ ବିଜ୍ଞପ୍ତି ସଂଶୋଧିତ କରାଗଲା ବୋଲି ଦର୍ଶାଇବାକୁ ଯୋଜନା ହୋଇଛି। ବାସ୍ତବରେ ଯାହା ଯେମିତି ପୂର୍ବରୁ ଥିଲା ଠିକ୍‌ ସେହିଭଳି ହେବ। ବିରୋଧ କରୁଥିବା ଅଧିକାରୀଙ୍କୁ ଭୁଆଁ ବୁଲାଇବା ପାଇଁ ସଂଶୋଧନ କରାଯାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଗୋଟିଏ ଦିନରେ ଅର୍ଥାତ୍‌ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଏହି ୱାର୍ଡ ଅଫିସ୍‌ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଥିବା ଜଣାପଡ଼ିଛି।

ସାରା ରାଜ୍ୟରେ ଗୋଟିଏ ଦିନରେ ଖୋଲିବ ୱାର୍ଡ ଅଫିସ
ବିରୋଧ ପରେ ବଦଳିଲା ନିଷ୍ପତ୍ତି
ଧାର୍ଯ୍ୟ ହେଲା ଏସ୍‌ଏଚ୍‌ଜି ସଦସ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା

ମହିଳା ୱାର୍ଡ ଅଫିସ୍‌ ଚଳାଇବା ନେଇ ସରକାର ଘୋଷଣା କରିବା ପରେ କେବଳ ଭୁବନେଶ୍ବର ନୁହେଁ, ବରଂ ସାରା ରାଜ୍ୟରେ ଥିବା ବିଭିନ୍ନ ପୌରସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାଗତ ଯୋଗ୍ୟତା ନଥିବା ମହିଳାଙ୍କ ଅଧୀନରେ କାମ କରିବା କଥାକୁ ସେମାନେ ସହଜରେ ଗ୍ରହଣ କରିପାରି ନଥିଲେ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏହା ଉପରେ ମାନସମନ୍ଥନ କରିଥିଲା ଓ ବିଜ୍ଞପ୍ତିରେ ସଂଶୋଧନ କରିଥିଲା। ପୂର୍ବରୁ ଏହି ଏସ୍‌ଏଚ୍‌ଜି ଗୋଷ୍ଠୀ ଚୟନ କରିବା ପାଇଁ ବିଏମ୍‌ସି ବିଜ୍ଞାପନ ପ୍ରକାଶ କରିସାରିଥିଲା ଓ ଆବେଦନ ଶେଷ ତାରିଖ ମଧ୍ୟ ଚାଲି ଯାଇଥିଲା। କେବଳ ଚୟନ ପ୍ରକ୍ରିୟା ଜାରି ରହିଥିଲା। ଏଭଳି ସ୍ଥିତିରେ ଗୃହ ଓ ନଗର ଉନ୍ନୟନ ବିଭାଗ ଗତ ୩୧ ତାରିଖରେ ବିଜ୍ଞପ୍ତି ସଂଶୋଧନ କରି ୧୬ ପରିବର୍ତ୍ତେ ଜାନୁଆରି ୩୧ ତାରିଖକୁ ଆବେଦନର ଶେଷ ତାରିଖ ରଖିଥିଲା। କିନ୍ତୁ ଅନେକ ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହି ଖବର ଜାଣିବା ବେଳକୁ ଶେଷ ତାରିଖ ଚାଲି ଯାଇଥିଲା।

ସଂଶୋଧିତ ବିଜ୍ଞପ୍ତି ମୁତାବକ, ପ୍ରତ୍ୟେକ ପୌରସଂସ୍ଥା ଏକ ଚୟନ କମିଟି ଗଠନ କରିବେ। କଟକ ଓ ଭୁବନେଶ୍ବର ପାଇଁ ଗଠିତ ହେବାକୁ ଥିବା କମିଟିରେ କମିସନର (କିମ୍ବା ସେ ଚାହୁଥିବା ଯେ କୌଣସି ଅଧିକାରୀ) କମିଟିର ଅଧ୍ୟକ୍ଷ ରହିବେ। ଜଣେ ଡେପୁଟି କମିସନର ସଦସ୍ୟ ଆବାହକ ରହିବାକୁ ଥିବା ବେଳେ ମିସନ ଶକ୍ତି ବିଭାଗରୁ ଜଣେ ପ୍ରତିନିଧି, କମ୍ୟୁନିଟି ଅର୍ଗାନାଇଜର(ସିଓ) ଓ ସିଟି ମିସନ ମ୍ୟାନେଜର ସଦସ୍ୟ ରହିବେ। ମୁନିସିପାଲିଟି ଓ ଏନ୍‌ଏସିଗୁଡ଼ିକରେ ଜିଲ୍ଲାପାଳ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ସଦସ୍ୟ ଆବାହକ ରହିବେ। ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଜିଲ୍ଲାପାଳ ଅଧ୍ୟକ୍ଷ ଓ କମିସନର ସଦସ୍ୟ ଆବାହକ ରହିବେ। ଏସ୍‌ଏଚ୍‌ଜି ଅତି କମ୍‌ରେ ଗୋଟିଏ ବର୍ଷର ପୁରୁଣା ହୋଇଥିବ। ସେହି ୱାର୍ଡ କିମ୍ବା ଉପଲବ୍ଧ ନ ହେଲେ ପଡ଼ୋଶୀ ୱାର୍ଡରୁ ସେମାନଙ୍କୁ ଚୟନ କରାଯିବ। ଏସ୍‌ଏଚ୍‌ଜିର ପ୍ୟାନ୍‌ ନମ୍ବର ରହିବା ସହ ପୂର୍ବରୁ ସେମାନେ ବିଭିନ୍ନ ଆୟକାରୀ ଯୋଜନାରେ ସାମିଲ ହୋଇଥିବେ। ସେମାନଙ୍କ ନାମରେ ଫୌଜଦାରୀ ମାମଲା ନ ଥିବ।

ଆସନ୍ତା ୧୩ରୁ ୨୦ ମଧ୍ୟରେ ଯୋଗ୍ୟ ଏସ୍‌ଏଚ୍‌ଜି ସହ ବିଏମ୍‌ସି ଚୁକ୍ତିନାମା ସ୍ବାକ୍ଷର କରିବ। ୨୨ରୁ ୨୮ ଯାଏଁ ସେମାନଙ୍କୁ ୱାର୍ଡ ଅଫିସ ପରିଚାଳନା ବାବଦରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପୂର୍ବ ବିଜ୍ଞପ୍ତି ଅନୂଯାୟୀ ୮ ତାରିଖରେ ସାରା ରାଜ୍ୟରେ ୱାର୍ଡ ଅଫିସ(୨୦୫୫ଟି) କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଗୋଟିଏ ତାରିଖରେ ଖୋଲିବା ପାଇଁ ନୂଆ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶତପ୍ରତିଶତ ରାଜସ୍ବ(ହୋଲ୍ଡିଂ ଟ୍ୟାକ୍ସ, ଜଳକର, ସମ୍ପତ୍ତି କର, ଟ୍ରେଡ୍‌ ଲାଇସେନ୍ସ, ଷ୍ଟଲ ଫି) ପ୍ରଭୃତି ଆଦାୟ ନିଶ୍ଚିତ କରିବା, ଅଫିସ୍‌ର ସମସ୍ତ ଆର୍ଥିକ କାରବାର, କ୍ୟାସ୍‌ବୁକ୍‌ ପରିଚାଳନା, ସଚେତନତା ସୃଷ୍ଟି କରିବା, ଆପାତକାଳୀନ ସ୍ଥିତିରେ ୱାର୍ଡ ଅଫିସ୍‌କୁ ‘ଏମର୍‌ଜେନ୍‌‌ସି ଅଫିସ୍‌’ ଭାବେ ପ୍ରସ୍ତୁତ କରିବା, ଅଫିସ ଚାବି ରଖିବା, ୱାର୍ଡ ଅଫିସରଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରିବା ପ୍ରଭୃତି କାର୍ଯ୍ୟ ଏହି ଗୋଷ୍ଠୀଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର