ବିଜେବି ସ୍ବୟଂଶାସିତ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନାଚକ୍ର

‘ରାଷ୍ଟ୍ରର ସ୍ବରୂପ ନିର୍ଦ୍ଧାରଣ ନୁହେଁ, ସରକାର ଗଢ଼ିବା ନିର୍ବାଚନର କାମ’

ଭୁବନେଶ୍ବର: ନିର୍ବାଚନ, ସରକାର ପରିବର୍ତ୍ତନ କରିବାର ଏକ ପ୍ରକ୍ରିୟା। ଏହା ରାଷ୍ଟ୍ରର ଚରିତ୍ର, ସ୍ଥିତି ଆଦି ପରିବର୍ତ୍ତନର ବାହକ ନୁହେଁ। ଯଦି ସରକାର ପରିବର୍ତ୍ତନ କରିବାରେ ନିର୍ବାଚନର ଭୂମିକା ସୀମିତ ରହେ ତାହା ସ୍ବାଗତଯୋଗ୍ୟ। ଯଦି ରାଷ୍ଟ୍ରର ସ୍ବରୂପ ପରିବର୍ତ୍ତନ ପାଇଁ ନିର୍ବାଚନକୁ ଆୟୁଧ କରାଯାଏ ତା’ର ପରିଣତି ଭୟଙ୍କର ହେବାର ଆଶଙ୍କା ରହିଛି ବୋଲି ଗବେଷକ ଓ ସମାଜ ବିଜ୍ଞାନୀ ପ୍ରଫେସର ବିଜୟ ବହିଦାର ମତପ୍ରକାଶ କରିଛନ୍ତି। ସୋମବାର ମଧ୍ୟାହ୍ନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ମେଳନ କକ୍ଷରେ ଅଧ୍ୟକ୍ଷା ଡ. ସୁପ୍ରଭା ପଟ୍ଟନାୟକଙ୍କ ପୋୖରୋହିତ୍ୟରେ ତଥା ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଜ୍ଞାନରଂଜନ ମହାନ୍ତିଙ୍କ ସଂଯୋଜନାରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ‘ନିର୍ବାଚନ-୨୦୧୯’ ବିଷୟରେ ଦ୍ବିତୀୟ ଓ ତୃତୀୟ ବର୍ଷ ସ୍ନାତକ ସମ୍ମାନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ଭାରତ ଭଳି ଏକ ବିବିଧତାର ଗଣତନ୍ତ୍ରରେ ନିର୍ବାଚନ ପ୍ରଭୁତ୍ବବାଦ ଆଡକୁ ବାଟ କଢ଼ାଉଛି କି’-ଏ ନେଇ ସଚେତନ ଛାତ୍ରଛାତ୍ରୀମାନେ ଜିଜ୍ଞାସୁ ହେବା ଉଚିତ ବୋଲି ପ୍ର. ବହିଦାର ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ୧୯୭୫-୭୭ ଦେଶରେ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଗଣମାଧ୍ୟମ ଏକଛତ୍ରବାଦକୁ ବିରୋଧ କରିଥିବା ବେଳେ ଏବେ ଅଧିକାଂଶ ଗଣମାଧ୍ୟମ ରାଷ୍ଟ୍ରର ସ୍ବରୂପ ପରିବର୍ତ୍ତନ ପ୍ରକ୍ରିୟାର ସିଡ଼ି ପାଲଟିବା ପରିତାପର ବିଷୟ। ସରକାରଙ୍କ ଯେ କୋୖଣସି ନିଷ୍ପତ୍ତି ସାମ୍ବିଧାନିକ ବିଧିବ୍ୟବସ୍ଥାର ପରିପନ୍ଥୀ ହେଲେ ସବୁ ସ୍ତରରେ ବିରୋଧ ହେବା ଉଚିତ। ସେହି ଦୃଷ୍ଟିରୁ ଦେଖିଲେ ଗଣମାଧ୍ୟମ ଆଉ ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇ ରହିନାହିଁ ବୋଲି ସେ କହିଥିଲେ। ଅନ୍ୟତମ ବକ୍ତା ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ସଦ୍ୟସମାପ୍ତ ଓଡ଼ିଶା ବିଧାନସଭା ନିର୍ବାଚନର ବିଭିନ୍ନ ଦିଗ ଉପରେ ଏକ ବିଶ୍ଳେଷଣାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ। ଛାତ୍ରୀ ସୁଶ୍ରୀ ଶାଶ୍ବତୀ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ସୁଶ୍ରୀ ସୁନନ୍ଦା ରାଉତ ‘ବିଧାନସଭା ନିର୍ବାଚନ-୨୦୧୯’ ଉପରେ ଓ ଛାତ୍ରୀ ସୁଶ୍ରୀ ତାପସୀ ପାଢ଼ୀ ଓ ସୁଶ୍ରୀ ଶ୍ରୁତି ସାମଲ ‘ଲୋକସଭା ନିର୍ବାଚନ-୨୦୧୯’ ଉପରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଛାତ୍ରୀ ସୁଶ୍ରୀ ନନ୍ଦିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ, ପ୍ରାଧ୍ୟାପକ ସୁମନ ଦାସ ଓ ପ୍ରାଧ୍ୟାପକ ଶୁଭଶ୍ରୀ ମିଶ୍ରଙ୍କ ତତ୍ତ୍ବବଧାନରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର