‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ପକ୍ଷରୁ ଆଲୋଚନାଚକ୍ର : ଟ୍ରିବ୍ୟୁନାଲ୍ ମହାନଦୀ କି ଓଡ଼ିଶାକୁ ନ୍ୟାୟ ଦେଇପାରିବ ନାହିଁ: ରାଜେନ୍ଦ୍ର ସିଂହ
ଭୁବନେଶ୍ବର : ଟ୍ରିବ୍ୟୁନାଲ୍ କେବେ ନଦୀ କିମ୍ବା ନଦୀ ଉପରେ ନିର୍ଭରଶୀଳ ବ୍ୟକ୍ତିବିଶେଷକୁ ନ୍ୟାୟ ଦେଇପାରେନି। ଭାରତବର୍ଷରେ ଆଜି ପର୍ଯ୍ୟନ୍ତ ଗଠିତ ନଦୀ ଟ୍ରିବ୍ୟୁନାଲ୍ଗୁଡ଼ିକ ଏହାର ଜ୍ବଳନ୍ତ ଉଦାହରଣ। ଏମାନେ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ତଥା ମୂଳ ସମସ୍ୟାରୁ ଲକ୍ଷ୍ୟଚ୍ୟୁତ କରିବାର କାର୍ଯ୍ୟ କରନ୍ତି। ନଦୀ, ନଦୀର ଅର୍ଥନୀତି ତଥା ନଦୀ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ସମସ୍ୟା ଦେଖିବାର ଦୃଷ୍ଟିଭଙ୍ଗୀ ଟ୍ରିବ୍ୟୁନାଲ୍ର ବିଚାରପତିମାନଙ୍କ ପାଖରେ ନଥାଏ। ଏଣୁ ମହାନଦୀ ଟ୍ରିବ୍ୟୁନାଲ୍ ଗଠନର ୩ ବର୍ଷ ପରେ ବି ଓଡ଼ିଶା ତଥା ଛତିଶଗଡ଼ବାସୀଙ୍କୁ ନ୍ୟାୟ ମିଳି ପାରିଲା ନାହିଁ ବୋଲି କହିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂହ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ହୋଟେଲ କେଶରୀଠାରେ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମହାନଦୀ ଟ୍ରିବୁନାଲର ତିନିବର୍ଷ ପୂର୍ତ୍ତିର ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଶ୍ରୀ ସିଂହ ‘ମହାନଦୀ ଟ୍ରିବ୍ୟୁନାଲ୍ ଅତୀତ ଓ ଭବିଷ୍ୟତ’ ସମ୍ପର୍କିତ ଆଲୋଚନାଚକ୍ରରେ ଭାଗ ନେଇ ଆହୁରି କହିଲେ, ଟ୍ରିବ୍ୟୁନାଲ୍ କେବେ ମାନବାଧିକାର କଥା ବିଚାର କରେ ତ ଆଉ କେବେ ପ୍ରକୃତିର ଅଧିକାର ଉପରେ ବିଚାର କରେ। କିନ୍ତୁ ନଦୀର ଅଧିକାର କଥା ସମସ୍ତେ ଭୁଲି ଯାଆନ୍ତି। ଏହାର ସ୍ରୋତର ଏକ ନିୟମ ଥାଏ ଏବଂ ଏହା ନଦୀର ଅଧିକାର। କିନ୍ତୁ ଏ ଦିଗରେ ଆମେ କେବେ ବିଚାର କରୁନା। ଏଣୁ ଟ୍ରିବ୍ୟୁନାଲ୍ ଉପରେ ସମସ୍ତ ଆଶା ଠୁଳ ନ କରି ଓଡ଼ିଶାବାସୀ ଏହି ତିନି ବର୍ଷରେ ମହାନଦୀ ପାଇଁ ହରାଇଥିବା ସମସ୍ତ କଥାକୁ ନେଇ ଶ୍ବେତପତ୍ର ପ୍ରସ୍ତୁତ କରିବା ଉଚିତ।
ଏହି ଅବସରରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଲେ, ଛତିଶଗଡ଼ ଚେକ୍ଡ୍ୟାମ୍ କହି ଯେଉଁ ବଡ଼ବଡ଼ ବ୍ୟାରେଜ ନିର୍ମାଣ କଲା ଆମେ ତାକୁ ପୁନଃଯାଞ୍ଚ କରିବାକୁ ଭୁଲି ଆଜି ଏହି ଅବସ୍ଥାରେ ପଡ଼ିଛୁ। ସୁପ୍ରିମକୋର୍ଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଜନସ୍ବାର୍ଥ ମାମଲା ରୁଜୁ କରିବା ଦରକାର ଓ ରାଜ୍ୟ ସରକାର ମଧ୍ୟ ଛୋଟଛୋଟ ବନ୍ଧ ଦ୍ୱାରା ଆମ ରାଜ୍ୟରେ ପ୍ରବାହିତ ଜଳର ସୁବିନିଯୋଗ କରିବା ଦିଗରେ କାର୍ଯ୍ୟ କରିବା ଜରୁରି ବୋଲି ସେ କହିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗଦେଇ କହିଲେ, ରୋଗୀ ମୃତ୍ୟୁ ପରେ ଡାକ୍ତର ଆସିବା କାର୍ଯ୍ୟ ରାଜ୍ୟ ସରକାର କରି ଏବେ ବାଉଳା ହେଉଛନ୍ତି। ଏଥିପାଇଁ ସରକାର ପ୍ରଥମେ ନିଜର ଜଳର ସଠିକ ବିନିଯୋଗ କରନ୍ତୁ। ଛତିଶଗଡ଼ ସରକାର ତାଙ୍କ ରାଜ୍ୟ ପାଇଁ କଲେ ଆମେ କ’ଣ କରିଛୁ ବୋଲି ସରକାରଙ୍କୁ ପ୍ରଶ୍ନ କରିବା ଉଚିତ।
ନିର୍ବାଚନ କମିସନଙ୍କ ପରାମର୍ଶଦାତା ଡ. ଭଗବାନ ପ୍ରକାଶ କହିଲେ, ମହାନଦୀ ଆଇନଗତ ପ୍ରସଙ୍ଗ ନ ହୋଇ ସାମାଜିକ, ସାଂସ୍କୃତିକ ଜୀବନଜୀବିକାର ପ୍ରସଙ୍ଗ ହେବା ଆବଶ୍ୟକ। ଏହା ମଧ୍ୟ ମୌଳିକ ଆବଶ୍ୟକତାରେ ସାମିଲ ହେବା ଉଚିତ।
ଆବାହକ ଶ୍ରୀ ଦାସ କହିଲେ ଯେ ଟ୍ରିବ୍ୟୁନାଲ୍ଠାରୁ କୌଣସି ଦୃଷ୍ଟାନ୍ତମୂଳକ ନିର୍ଦେଶ ନମିଳିବା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ନଦୀର ପରିବେଶ ଓ ପ୍ରବାହ ସୁରକ୍ଷା କ୍ଷେତ୍ରରେ ଟ୍ରିବୁନାଲ କୌଣସି ପଦକ୍ଷେପ ନେଇନାହାନ୍ତି। ଅନ୍ତରୀଣ ନିର୍ଦେଶ ନ ମିଳିଲେ ଆଗାମୀ ଦିନରେ ତିନିଟି କାର୍ଯ୍ୟକ୍ରମ ପାଇଁ ମୁଖ୍ୟତଃ ନିଷ୍ପତ୍ତି ହୋଇଛି। ପ୍ରଥମତଃ ସୁପ୍ରିମକୋର୍ଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଟ୍ରିବ୍ୟୁନାଲ୍ କାର୍ଯ୍ୟକାରିତା ନେଇ ଜନସ୍ବାର୍ଥ ମାମଲା ଦାୟର କରାଯିବ। ଏଥିସହ ପୁନର୍ବାର ଆପୋସ ବୁଝାମଣା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଇବା ଓ ଆନ୍ଦୋଳନକୁ ତେଜୀୟାନ କରିବା ପାଇଁ ଏପ୍ରିଲ ୨୦ ରୁ ୩୦ ପର୍ଯ୍ୟନ୍ତ ମହାନଦୀର ଉତ୍ପତ୍ତିସ୍ଥଳ ମଧ୍ୟପ୍ରଦେଶରୁ ଅନ୍ତିମସ୍ଥଳ ପର୍ଯ୍ୟନ୍ତ ଅବବାହିକାରେ ଅଧିବାସୀଙ୍କୁ ଜାଗ୍ରତ ପାଇଁ ଜାତୀୟସ୍ତରୀୟ ସଚେତନତା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଆଲୋଚନାଚକ୍ରରେ ସିପିଏମ୍ ନେତା ଜନାର୍ଦ୍ଦନ ପତି, ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଆଇନଜୀବୀ ସୁରେନ୍ଦ୍ର ନାଥ କର, ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଫରୱାର୍ଡ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ବିଜୟ ପ୍ରଧାନ, ରବି ସାହୁ, ସଚ୍ଚିକାନ୍ତ ପ୍ରଧାନ, ଅରୁଣ ଜେନା, ଗଦାଧର ପ୍ରଧାନ ଓ ଅଶୋକ ଠକର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖପାତ୍ର ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ ଓ ପ୍ରଭାସିନୀ ରାଉତ ମହାନଦୀ ସଂଗୀତ ଗାନ କରିଥିଲେ।