ଭୁବନେଶ୍ବର: ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୨୦ରେ ପ୍ରଫେସନାଲ ସ୍ନାତକ(ୟୁଜି) ପାଠ୍ୟକ୍ରମକୁ ୪ ବର୍ଷିଆ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ତେଣୁ ଏହାର କାର୍ଯ୍ୟକାରିତା ଉପରେ ଏକ ଆଲୋଚନାଚକ୍ର ଆଜି ୟୁସିସିଆଇଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ପ୍ରଫେସର ଗଙ୍ଗାଧର ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର କିଶୋର କୁମାର ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟ ଏମ୍‌ସିଏ ବିଭାଗ ମୁଖ୍ୟ ପ୍ରଫେସର ପିକେ ବେହେରା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ପୃଥ୍ୱୀରଞ୍ଜନ ପାଢ଼ୀ ଯୋଗଦେଇ କହିଲେ ଯେଉଁମାନେ ୪ ବର୍ଷର ଡିଗ୍ରି ସମାପ୍ତ କରିବେ ସେମାନଙ୍କ ପାଇଁ ଭବିଷ୍ୟତରେ ଉଚ୍ଚଶିକ୍ଷା ଓ ଗବେଷଣାରେ ବ୍ୟାପକ ସୁଯୋଗ ରହିଛି। ଶିଳ୍ପ ଉପଯୁକ୍ତ ପାଠ୍ୟକ୍ରମ, ଶିକ୍ଷା-ଶିକ୍ଷଣ ପ୍ରକ୍ରିୟା, ଶିଳ୍ପ ଇଣ୍ଟର୍ନସିପ୍, ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛ ମୂଲ୍ୟାଙ୍କନ ଉପରେ ଏନ୍‌ଇପି ପର୍ଯ୍ୟବେସିତ। ବିବିଏ, ବିସିଏ, ବି.କମ୍‌, ବିଏସ୍‌ସି, କମ୍ପ୍ୟୁଟର ସାଇନ୍ସ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମ ଏଆଇସିଟିଇ ପ୍ରଚଳିତ ମଡେଲ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ସେମାନେ କହିଥିଲେ। ସୃଷ୍ଟି ଏକାଡେମୀର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଫେସର ସନତ ପଟ୍ଟନାୟକ, ପ୍ରଫେସର ନିର୍ମଳ ରାଉତରାୟ, ନିହାରରଞ୍ଜନ ସ୍ୱାଇଁ, ଧର୍ମ ରାଉତ, ଆଲୋକ ଜାଠି, ପ୍ରଫେସର ପ୍ରଜ୍ଞା ପାରମିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।