ଭୁବନେଶ୍ୱର : ଫଟୋ ନିଉଜ୍ ଟାଇମ୍ସର ବାର୍ଷିକ ଉତ୍ସବ ପାଳନ ଅବସରରେ ଆଦିବାସୀ ଓ ଓଡ଼ିଶାରେ ଜଙ୍ଗଲ ଅଧିକାର ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ପାନ୍ଥନିବାସ ପରିସରରେ ଅନୁଷ୍ଠିତ ଏହି କର୍ମଶାଳାରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଦିବାସୀଙ୍କ ପାଇଁ ଆଉ ଅନେକ କିଛି କରିବାକୁ ଅଛି ବୋଲି କହିଛନ୍ତି। ସେ କହିଛନ୍ତି, ଜନସଂଖ୍ୟାର ୨୨.୮୫ ପ୍ରତିଶତ ଜନଜାତି ସମ୍ପ୍ରଦାୟ ରହିଛନ୍ତି। ୨୦୦୬ ମସିହାରେ ହୋଇଥିବା ଜଙ୍ଗଲ ଜମି ଅଧିକାର ଆଇନ ବଳରେ ୪.୧୨ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ପଟ୍ଟ ବଣ୍ଟନ ହୋଇଥିଲେ ମଧ୍ୟ ୭୫ ପ୍ରତିଶତ ଡିମାର୍କେସନ୍ କରାଯାଇଛି। ବାସ୍ତବରେ ଯେଉଁମାନେ ଜଙ୍ଗଲରେ ବାସ କରୁଛନ୍ତି ସେମାନେ ପଟ୍ଟା ପାଉନାହାନ୍ତି। ୧୩ ପ୍ରକାରର ପିଟିଜି ଶ୍ରେଣୀର ଆଦିବାସୀ ରହିଛନ୍ତି। ଅନ୍ଧବିଶ୍ୱାସ, ବାଲ୍ୟବିବାହ ପ୍ରଭୃତି କୁତ୍ସିତ ପ୍ରଥା ରହିଥିବାରୁ ସେମାନଙ୍କର ଉନ୍ନତିରେ ବାଧା ପହଞ୍ଚୁଛି। କେତେକ ଗୋଷ୍ଠୀ ମଧ୍ୟ ଧର୍ମ ପରିବର୍ତନ କରିବାକୁ ଲାଗିଥିବାରୁ ବିକାଶରେ ବାଧା ହୋଇଛି।
ଏହି କର୍ମଶାଳାରୁ ବାହାରିବାକୁ ଥିବା ନିଷ୍କର୍ଷ ନିଶ୍ଚିତ ଭାବରେ ଏହି ଆଦିବାସୀଙ୍କୁ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ବାଟ ଦେଖାଇବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଆଦିବାସୀମାନେ କିଭଳି ନିଜ ଉନ୍ନତି ପାଇଁ ଯୋଜନା କରିପାରିବେ ସେ ନେଇ ନିକଟ ଅତୀତରେ ବିଧାନସଭା ସରଗରମ ହୋଇଥିବା ପେଶା ଆଇନ ଉପରେ ଗରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଅଭିନେତ୍ରୀ ଲେସ୍ଲିଆନ୍ ତ୍ରିପାଠୀ, ଇଂ ଭରତଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ସତ୍ୟଜିତ୍ ରାୟ ଚୌଧୁରୀ, ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପତ୍ରିକାର ସମ୍ପାଦକ ଗିରିଧାରୀ ଲାଲ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେବା ଅବସରରେ ୧୫ ଦିନ ଧରି ଶିମିଳିପାଳର କୋର୍ ଅଞ୍ଚଳରୁ ନିକଟ ଅତୀତରେ ବିସ୍ଥାପିତ ହୋଇଥିବା ତିନୋଟି ଗାଁକୁ ଯାଇ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। କାଳିଦାସ ମିଶ୍ର ମଧ୍ୟ ଉପସ୍ଥିତ ରହି ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ଗିରିଜା ପ୍ରସାଦ ମିଶ୍ର ଓ ଶିବଦତ୍ତ ଦାଶ ଦୁଇଜଣ ଛାତ୍ର ଏହି ପ୍ରସଙ୍ଗ ଉପରେ ନିଜର ନିବନ୍ଧ ଉପସ୍ଥାପନ କରିଥିବା ବେଳେ ଶୈଳେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।