ଭୁବନେଶ୍ବର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସବୁ କିଛି ଆମ ପାଇଁ ଗ୍ରହଣୀୟ, କରଣୀୟ ଓ ସ୍ମରଣୀୟ। ଏଣୁ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଅଧିକ ଆଲୋଚନା, ତର୍କ ଓ ବିତର୍କର ଅବକାଶ ଆଉ ନାହିଁ। ଯଦି କିଛି ଅଛି, ତାହା ହେଉଛି ଆମ ଉତ୍ତରପିଢ଼ି ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା। ଏଥିପାଇଁ ଶ୍ରୀଜଗନ୍ନାଥଙ୍କୁ ନେଇ ଆଲୋଚନାଚକ୍ରଗୁଡ଼ିକର ଆବଶ୍ୟକତା ଥାଇପାରେ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲି‌ମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। 
‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‌’ ଆନୁକୂଲ୍ୟରେ ଆଜି ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଆଜିକାଲି ଅନ୍ଧଭକ୍ତମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଖି ଖୋଲି ଭଗବାନଙ୍କୁ ଭକ୍ତି କରିବା ଓ ଆଖି ବୁଜି ଭକ୍ତି କରିବା ଭିତରେ ବହୁ ଅନ୍ତର ରହିଛି। ଚକାଆଖି, ଆଖି ଖୋଲି ସବୁ ଦେଖୁଛନ୍ତି। ତାଙ୍କଠାରୁ ଆମେ ଶିକ୍ଷାଲାଭ କରି ଆଖି ବନ୍ଦ କରି ଭକ୍ତ ହେବା ପରମ୍ପରାରୁ ଦୂରେଇ ଯିବା ଉଚିତ। ଆଖି ଖୋଲି ସବୁ ଜାଣି, ଅନୁଭବ କରି ଏଭଳି ଏକ ଭକ୍ତମଣ୍ଡଳୀ ଗଠନ କରିବା ଉଚିତ, ଯାହା ଆମ ଗଣତନ୍ତ୍ର ଓ ଅସ୍ମିତା ପାଇଁ ଅଧିକ ଅନୁକୂଳ ହେବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି। 

Advertisment

ଏହି ଅବସରରେ ‘ଶ୍ରୀଜଗନ୍ନାଥ ଉପାସନାରେ ଦାରୁ ଦେବତା  ଶାବର ସଂସ୍କୃତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ କହିଥିଲେ, ବିଶ୍ବର ସର୍ବପ୍ରାଚୀନ ରହସ୍ୟମୟ ‌ଦେବତା ହେଉଛନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଉତ୍କଳର ଆଦିମ ଅଧିବାସୀ, ଦ୍ରାବିଡ଼ ତଥା ଆର୍ଯ୍ୟ ସଭ୍ୟତାର ମହାମିଳନରେ ଶ୍ରୀଜଗନ୍ନାଥ ଚେତନାର ପ୍ରବହମାନ ଧାରା ଓ ବିକାଶରେ ଅପୂର୍ବ ସମନ୍ବୟ ପରିଲକ୍ଷିତ ହୋଇଛି। ଏହି ଧାରା ମଧ୍ୟରୁ ପ୍ରାଚୀନ ଶାବର ପରମ୍ପରା ଅନ୍ୟତମ। ଶାବର ସଂସ୍କୃତିରେ ବୃକ୍ଷ ପୂଜା ପରମ୍ପରା ରହିଥିବା ବେଳେ ବୃକ୍ଷରୂପୀ ଦେବତାଙ୍କୁ ସେମାନେ ଜଗନ୍ତ ବୋଲି ସମ୍ବୋଧନ କରୁଥିଲେ। ଗବେଷକମାନେ ଜଗନ୍ତ ଅର୍ଥ ଜଗତର ଦେବତା ବୋଲି ଅଭିହିତ କରନ୍ତି। ଏଥିରୁ ହିଁ ଜଗନ୍ନାଥ ଶବ୍ଦ ଆସିଥାଇପାରେ ବୋଲି ଅନୁମାନ କରାଯାଉଥିବା ଶ୍ରୀ ସ୍ବାଇଁ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ ଶ୍ରୀଜଗନ୍ନାଥ ଉପାସନାରେ ଶାବରୀୟ ପ୍ରଭାବ ଉପରେ ବକ୍ତବ୍ୟ ରଖିଥିଲେ। 

ଟ୍ରଷ୍ଟ୍‌ର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ପର୍ବରେ ସାଧାରଣ ସମ୍ପାଦକ ନନ୍ଦକିଶୋର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟ୍‌ର କାର୍ଯ୍ୟକାରୀ ସଭାପତି ଭାସ୍କର ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଆୟୋଜିତ ଏକ ଅଧିବେଶନରେ ବରିଷ୍ଠ ଗବେଷକ ମଥୁରେନ୍ଦ୍ର ପୃଷ୍ଟି, ପୂର୍ଣ୍ଣେନ୍ଦୁ କୁମାର ନନ୍ଦ, ଗୁରୁପ୍ରସାଦ ମହାପାତ୍ର, ଶରତ ଚନ୍ଦ୍ର ପରିଡ଼ା, ହେନେରିତା ମିଶ୍ର, ଜନ୍ମେଜୟ ଚୌଧୁରୀ ଓ  ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ ପ୍ରମୁଖ ସନ୍ଦର୍ଭ ଉପସ୍ଥାପନା କରିଥିଲେ।