ଛାତ୍ରଙ୍କୁ ବାଡ଼େଇ ହାତ ଭାଙ୍ଗିଦେଲେ ସିନିଅର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ସୁନ୍ଦରପଦା-ଜଟଣୀ ରାସ୍ତାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କୁ ଜଣେ ସିନିଅର ଓ ତାଙ୍କ ଭାଇ ନିସ୍ତୁକ ମାଡ଼ ମାରିଛନ୍ତି। ଦୁଇ ଭାଇଙ୍କ ମାଡ଼ରେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର ହେଲେ ଆର୍ଯ୍ୟମାନ ମହାନ୍ତି(୧୮)। ଆକ୍ରମଣରେ ତାଙ୍କର ବାମ ହାତ ବାହୁ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆର୍ଯ୍ୟମାନ ଦ୍ବିତୀୟ ବର୍ଷ ବି.ଟେକ୍ ଛାତ୍ର। ଗତକାଲି ତାଙ୍କର ପରୀକ୍ଷା ଥିଲା। ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହା ପରେ ଚତୁର୍ଥ ବର୍ଷର ଛାତ୍ର ଓ ତାଙ୍କ ଭାଇ ମିଶି ପ୍ଲାଷ୍ଟିକ ପାଣି ପାଇପରେ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଥିଲେ। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପୂର୍ବ ବିବାଦ ରହିଥିବା ପୁଲିସ ଅନୁମାନ କରୁଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନରଙ୍କ ନିକଟରେ ଟ୍ବିଟ୍ ଯୋଗେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର