ବରିଷ୍ଠ ନାଗରିକଙ୍କୁ ପୁଲିସର ସମ୍ମାନ ଏମିତି : ବୃଦ୍ଧଙ୍କୁ ଥାନାରେ ଦୁର୍ବ୍ୟବହାର

ଭୁବନେଶ୍ୱର : ବୟସ ୯୩। ଆଖିକୁ ଠିକ୍‌ ଭାବେ ଦେଖା ଯାଉନି। ଛାତି ପଞ୍ଜରା ଗଣି ହୋଇ ଯାଉଛି। ଦେହ ଫୁଙ୍ଗୁଳା। ଦାନ୍ତ ନ ଥିବାରୁ ତାଙ୍କ କଥା ବି ଠିକ୍‌ ଭାବେ ଶୁଭୁ ନାହିଁ। ଅଣ୍ଟା ମଧ୍ୟ ଠିକ ଭାବେ ସଳଖି ପାରୁନାହାନ୍ତି। ନଇଁ ନଇଁ କ୍ୟାପିଟାଲ ଥାନାକୁ ଆସିଥିଲେ ତାଙ୍କ ପତ୍ନୀଙ୍କୁ ହୋଇଥିବା ଆକ୍ରମଣ ଓ ଲୁଟ ସଂପର୍କରେ ଅଭିଯୋଗ କରିବା ପାଇଁ। କିନ୍ତୁ କମିସନରେଟ ପୁଲିସ ‘ଉଇ କେୟାର ଓ ଉଇ ଡେୟାର’ ସ୍ଳୋଗାନ୍‌ ଦେଉଥିବାବେଳେ ଥାନାବାବୁମାନେ ତାଙ୍କ ଅଭିଯୋଗ ରଖିବେ କ’ଣ, ଘଣ୍ଟା ଘଣ୍ଟା କାଳ ଥାନାରେ ବସାଇ ରଖିଥିଲେ। ଦୁର୍ବ୍ୟବହାର କରି ଘଉଡ଼ାଇ ଦେଇଥିଲେ। ତେଣୁ ପୁଲିସ ଉପରୁ ଭରସା ତୁଟାଇ ଆଖି ମଳିମଳି ଥାନା ଛାଡ଼ି ଘରକୁ ପଳାଇଥିଲେ ବୃଦ୍ଧ ଜଣକ।

ବରିଷ୍ଠ ନାଗରିକଙ୍କ ପାଇଁ କମିସନରେଟ୍‌ ପୁଲିସର ଏକ ସ୍ୱତନ୍ତ୍ର ସେଲ୍‌ ମଧ୍ୟ ରହିଛି। ସେଲ ଦାୟିତ୍ୱରେ ଜଣେ ଜଣେ ଅଫିସର, କନଷ୍ଟେବଲ ଅଛନ୍ତି। କିନ୍ତୁ କମିିସନରେଟ୍‌ ପୁଲିସର ଏଭଳି ଯୋଜନା କେବଳ ଲୋକ ଦେଖାଣିଆ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ଥାନାରୁ ନିରାଶ ହୋଇ ଫେରିବା ପରେ ବୃଦ୍ଧ ଜଣକ କହିଛନ୍ତି ଏ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିବେ। ମରିବେ ଯଦି ସେହି ନବୀନ ନିବାସ ଆଗରେ। ଏ ବିଷୟରେ ଜାଣିବା ପରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଜଣେ ଏସିପିଙ୍କୁ ଘଟଣାର ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କମିସନରଙ୍କ ତନାଘନା ପରେ କ୍ୟାପିଟାଲ ଥାନା ପୁଲିସ ମଧ୍ୟ ତତ୍ପର ହୋଇ ଉଠିଛି। ରାତିରେ ବୃଦ୍ଧଙ୍କ ନିକଟକୁ ଯାଇ ତାଙ୍କ ଅଭିଯୋଗ ରଖିବା ସହ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ହୃଷୀକେଶ ମହାନ୍ତି ନାମକ ଜଣେ ୯୩ ବର୍ଷର ବୃଦ୍ଧ ବାପୁଜୀନଗର ପାଣିଟାଙ୍କି ବସ୍ତିରେ ରହନ୍ତି। ସେ ଓ ତାଙ୍କ ପତ୍ନୀ କମଳା ମାଗିଯାଚି ପେଟ ପୋଷନ୍ତି। କିଛି ଦିନ ହେବ ତାଙ୍କ ପଡ଼ିଶା ଘରେ ରହୁଥିବା ଜଣେ ବିହାରୀ ଯୁବକ ଦୁହିଁଙ୍କୁ ଧମକଚମକ ଦେଇ ସେ ମାଗି କରି ଆଣୁଥିବା ଟଙ୍କା ଛଡ଼ାଇ ନେଉଛି। ଏ ନେଇ ସେ ବିଭିନ୍ନ ସମୟରେ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ କିଛି ବି ଶୁଣେ ନାହିଁ। ଗତକାଲି ରାତିରେ ସେହି ବିହାରୀ ଯୁବକ ଜଣକ ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହିତ ୫ଶହ ଟଙ୍କା ଛଡ଼ାଇ ନେଇଥିଲା। ତେଣୁ ଆଜି ପୁଣିଥରେ ହୃଷୀକେଶ ସକାଳ ପ୍ରାୟ ୯ଟାବେଳେ ଥାନାକୁ ଆସିଥିଲେ ଅଭିଯୋଗ କରିବାକୁ। କିନ୍ତୁ ପୁଲିସ ତାଙ୍କ କଥାକୁ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ସଂଧ୍ୟା ୫ ପର୍ଯ୍ୟନ୍ତ ସେ ସେମିତି ଥାନା ବାରଣ୍ଡାରେ ବସି ରହିଥିଲେ। ବାରମ୍ବାର ପୁଲିସକୁ ନେହୁରା ହୋଇଥିଲେ ମୋତେ ଟିକେ ନ୍ୟାୟ ଦିଅନ୍ତୁ। ଯଦି ନ୍ୟାୟ ଦେଇ ପାରୁନାହାନ୍ତି ଶାନ୍ତିରେ ମରିବା ପାଇଁ ୬ ଖଣ୍ଡ ବାଉଁଶ ଦିଅନ୍ତୁ। ଆଉ କେତେ ଦିନ ସେ ବିହାରୀ ଯୁବକଠାରୁ ଏଭଳି ନିର୍ଯାତନା ସହିବି ବୋଲି ବୃଦ୍ଧ ଜଣକ ଯେତେ କହିଥିଲେ ମଧ୍ୟ କୌଣସି ପୁଲିସ ଅଧିକାରୀ ଶୁଣି ନ ଥିଲେ। ଓଲଟି ଥାନାରୁ ତଡ଼ି ଦେଇଥିଲେ।

ବଡ଼ କଥା ହେଉଛି ବୃଦ୍ଧଙ୍କ କଥାକୁ ପୁଲିସ ଶୁଣୁ ନ ଥିବାବେଳେ ଥାନାରେ ଡିସିପି ସତ୍ୟବ୍ରତ ଭୋଇ ଉପସ୍ଥିତ ଥିଲେ। ଖଣ୍ଡଗିରି ଥାନା ଅଞ୍ଚଳରେ ଧରା ପଡ଼ିଥିବା ଏକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ ଉପରେ ଗଣମାଧ୍ୟମକୁ ସୂଚନା ଦେଉଥିଲେ। ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଥାନାକୁ ଆସିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସଂପୃକ୍ତ ବୃଦ୍ଧଙ୍କୁ ପୁଲିସ କର୍ମଚାରୀମାନେ ଥାନା ବାହାରକୁ ପଠାଇ ଦେଇଥିଲେ।

ଏ ସମ୍ପର୍କରେ କ୍ୟାପିଟାଲ ଥାନାର ଜଣେ ଅଧିକାରୀ କହଛନ୍ତି, ଆମେ ସେହି ବୃଦ୍ଧଙ୍କୁ ଭୋକ ଉପାସରେ ବସାଇ ନାହୁଁ। ୫୦ ଟଙ୍କା ଖାଇବାକୁ ଦେଇଛୁ। ତେବେ ସେ କେତେବେଳେ ଥାନାରୁ ଚାଲିଗଲେ ଜାଣିନୁ।

ଏ ବିଷୟରେ ଜାଣିବା ପରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଏଭଳି ଘଟଣା ଘଟିଥିଲେ ଦୁର୍ଭାଗ୍ୟଜନକ। ଜଣେ ଏସିପିଙ୍କୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ଯଦି ଥାନାରେ କେହି ପୁଲିସ କର୍ମଚାରୀ ବୃଦ୍ଧଙ୍କୁ ଦୁର୍ବ୍ୟବହାର କରିଥିବେ ତା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କମିସନରଙ୍କ ହସ୍ତକ୍ଷେପ ପରେ କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡ଼ନାୟକ ରାତିରେ ପାଣିଟାଙ୍କି ବସ୍ତିକୁ ଯାଇ ବୃଦ୍ଧଙ୍କୁ ଖୋଜି ବାହାର କରିବା ସହ ତାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରିଛନ୍ତି ଏବଂ ଆକ୍ରମଣ କରିଥିବା ସଂପୃକ୍ତ ଯୁବକଙ୍କୁ ଗିରଫ କରିବାକୁ ତନାଘନା ଜାରି ରହିଛି।

ସମ୍ବନ୍ଧିତ ଖବର