ଚନ୍ଦ୍ରଶେଖରପୁର : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସପ୍ତମ ବାର୍ଷିକ ଉତ୍ସବ ଆଜି ଚନ୍ଦ୍ରଶେଖରପୁରସ୍ଥିତ କ୍ରିଷ୍ଟାଲ୍ କୋର୍ଟୟାର୍ଡରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ କଲ୍ୟାଣ ଓ ସମସ୍ୟା ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି, ବସ୍ଭଡ଼ା ରିହାତି ଆଦି ଦାବିଗୁଡ଼ିକ ସମ୍ପର୍କରେ ସରକାର ସହୃଦୟତାର ସହିତ ବିଚାର କରୁଥିବା ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ।
ମହାସଂଘର ସଭାପତି ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ସ୍ଥାନୀୟ କର୍ପୋରେଟର୍ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ପ୍ରାୟ ୮୫ ବରିଷ୍ଠ ନାଗରିକ ସଂଘର ୫୦୦ରୁ ଊର୍ଧ୍ୱ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲା, ବ୍ଲକ୍, ସହରାଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କର ଉତ୍ସର୍ଗୀକୃତ ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ ମହାସଂଘର ସଭାପତି ଶ୍ରୀ ଜେନା। ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ବାସ କରୁଥିବା ଦୁଃସ୍ଥ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଉପସ୍ଥିତ ସମସ୍ତ ସଦସ୍ୟମାନେ ନିବେଦନ କରିଥିଲେ। ସଂଗଠନର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀ, ହେଲ୍ପ ଏଜ୍ ଇଣ୍ଡିଆ, ସର୍ବଭାରତୀୟ ବରିଷ୍ଠ ନାଗରିକ ମହାସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକୁ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ଅବନୀନ୍ଦ୍ର କର ବେଦପାଠ ଉଚ୍ଚାରଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ବିଧାୟକ, ମେୟର ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉତ୍ସବସ୍ଥଳକୁ ଯାଇ ମହାସଂଘର ସପ୍ତମ ବାର୍ଷିକ ଉତ୍ସବ ଅବସରରେ ଅଭିନନ୍ଦନ ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Federation-Of-Senior-Citizens-Association-of-odisha-Prg3.jpg)