ବରିଷ୍ଠ ନାଗରିକ କମିଟି ବାଟବଣା : ଚିନ୍ତାରେ କଟୁଛି ବାର୍ଧକ୍ୟ

ଭୁବନେଶ୍ବର : ବୟସ ବୟାଅଶୀ। ପୁଅ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ। ‌ମାତ୍ର ଯୋଉ ପୁଅ ନାଁରେ ବୁଢ଼ା ବାପ ନିଜ ଘରଦ୍ବାର କରିଦେଇଥିଲେ ସେଇ ପୁଅ ନିଜ ୮୨ ବର୍ଷୀୟ ବୃଦ୍ଧ ପିତା ଓ ମାତାଙ୍କୁ ଘରୁ ବାହାରି ଯିବାକୁ ନୋଟିସ୍‌ ପଠାଇଛି। ଫଳରେ ଅସହାୟ ବୃଦ୍ଧ ପିତା ଏନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଭରଣ ପୋଷଣ ଆଇନ୍‌ ଅନୁଯାୟୀ ନିଜର ହକ୍‌ ଦାବି କରିଛନ୍ତି। ମାତ୍ର ବର୍ଷେ ବିତିଯିବା ପରେ ମଧ୍ୟ ଏପର୍ଯ୍ୟନ୍ତ ମାମଲାର ମୀମାଂସା ହୋଇପାରୁ ନାହିଁ। ଖୋଦ୍‌ ରାଜଧାନୀ ଉପକଣ୍ଠରେ ଜଣେ ବୃଦ୍ଧାଙ୍କୁ ଦୀର୍ଘ ବର୍ଷେ ହେଲା ଏପରି ଦହଗଞ୍ଜ ହେବାକୁ ପଡ଼ୁଛି। ଖାଲି ସେଇ ବୃଦ୍ଧ ନୁହନ୍ତି, ଏମିତି ଅନେକ ବୃଦ୍ଧ ବୃଦ୍ଧାଙ୍କ କରୁଣ ନିବେଦନ ଏବେ ଫାଇଲ୍‌ ତଳେ ଚାପି ହୋଇଯାଉଛି। ଅନେକ ବରିଷ୍ଠ ନାଗରିକ ସଂଶୟରେ ଦିନ କାଟୁଥିଲେ ବି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ବାସ୍ତବରେ ମୁହଁ ଖୋଲିବା ପାଇଁ ସେମିତି ଏକ ପରିବେଶଟିଏ ସୃଷ୍ଟି କରାଯାଇ ପାରିନାହିଁ।

ପିତାମାତା ଓ ବରିଷ୍ଠ ନାଗରିକ ଭରଣ ପୋଷଣ ଆଇନ୍‌ ୨୦୦୭ ମୁତାବକ ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକ କମିଟି ଗଠନ ହେବାର ନିୟମ ରହିଛି। ଜିଲ୍ଲାପାଳ ଏହାର ଆବାହକ ରହିବା ସହ ବିଭିନ୍ନ ବର୍ଗରୁ କିଛି ବରିଷ୍ଠ ନାଗରିକ ଏହି କମିଟିର ସଦସ୍ୟ ରହିବାର ବିଧି ରହିଛି। ପ୍ରତି ୩ ମାସରେ ବୈଠକ ବସିବା ନେଇ ମଧ୍ୟ ଆଇନ୍‌ ରହିଛି। ବୈଠକରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଘଟୁଥିବା ବିଭିନ୍ନ ଘଟଣାବଳୀ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପାରିଲେ ଅନ୍ତତଃ ସମ୍ପୃକ୍ତ ବୟାଅଶୀ ବର୍ଷୀୟ ବୃଦ୍ଧଙ୍କ ସମସ୍ୟାର ଫଇସଲା ହୋଇ ସାରନ୍ତାଣି। ମାତ୍ର ବୈଠକ ବସିବା ତ ଦୂରର କଥା ସବୁ ଜିଲ୍ଲାରେ ସରକାରୀ ସ୍ତରରେ କମିଟିର ସଦସ୍ୟ କିଏ ଅଛନ୍ତି ସେ ବାବଦରେ କମିଟିର ଅନ୍ୟ ସଦସ୍ୟଙ୍କୁ ବି ଜଣା ନ ଥିବ। ଏପରିକି ଭରଣ ପୋଷଣ ଆଇନ୍‌ ମୁତାବକ ମାମଲାର ଫଇସଲା ପାଇଁ ମଧ୍ୟ କିଛି ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା ନାହିଁ। ୨୦୧୩ ମସିହାରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଆରତି ଆହୁଜା ଏ ବାବଦରେ ଚିଠି କରିବା ପରେ ବରିଷ୍ଠ ନାଗରିକ କମିଟି ଗଠନ କରାଯାଇଛି। ମାତ୍ର ଯିଏ କମିଟିରେ ସଦସ୍ୟ ତାଲିକାରେ ଯାହାର ନାଁ ଅଛି ସେ ବି ସଦସ୍ୟ ଅଛି ବୋଲି ଜାଣନ୍ତି ନାହିଁ।

ହେଲ୍‌ପଏଜ୍‌ ଇଣ୍ଡିଆର ରିପୋର୍ଟ ମୁତାବକ ୨୯ ପ୍ରତିଶତ ସମ୍ପର୍କୀୟ ନିଜ ବୃଦ୍ଧ ପିତାମାତାଙ୍କୁ ବୋଝ ମଣୁଛନ୍ତି। ୩୫ ପ୍ରତିଶତ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ସେବା କରିବାରେ ସନ୍ତୁଷ୍ଟ ନୁହନ୍ତି। ସବୁଠୁ ବଡ଼ କଥା ହେଉଛି ୮୪.୨ ପ୍ରତିଶତ ସମ୍ପର୍କୀୟ ସନ୍ତାନ ସନ୍ତତି କିମ୍ବା ଅନ୍ୟ ସମ୍ପର୍କୀୟମାନେ ବୃଦ୍ଧବୃଦ୍ଧାଙ୍କୁ ଘରୋଇ ସହାୟିକାଙ୍କ ଭରସାରେ ଛାଡ଼ି ଦେଇ ଚାଲିଯାଉଛନ୍ତି। ତେବେ ବି ଏ ନେଇ ହୋଇଥିବା ଅନେକ ସରକାରୀ ଯୋଜନା ‌କେବଳ କାଗଜପତ୍ରରେ ସୀମିତ ରଖି ଛାଡ଼ି ଦିଆଯାଉଛି। ହେଲ୍‌ପଏଜ୍‌ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି, ଜିଲ୍ଲା ବରିଷ୍ଠ ନାଗରିକ କମିଟି ରହିଲେ ‌ହିଁ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସଂଘଟିତ ଅନେକ ଘଟଣାର ସମାଧାନ ହୋଇପାରିବ। ଏଥିସହ ଆଇନ୍‌ର ରୂପାୟନ ପାଇଁ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା ନ କଲେ ଏସବୁ କେବେ ସଫଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ବାସ୍ତବ କଥା ହେଉଛି ସରକାର ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ପୂଳାପୂଳା ଯୋଜନା କରିଛନ୍ତି। ନିଃସଙ୍ଗତା ଏଡ଼ାଇବାକୁ ସବୁ ବ୍ଲକ୍‌ ସମେତ ଭୁବନେଶ୍ବରର ୱାର୍ଡମାନଙ୍କରେ ବରିଷ୍ଠ ନାଗରିକ ଯତ୍ନ କେନ୍ଦ୍ର ଖୋଲିବାକୁ ଯୋଜନା ହୋଇଛି। ପିତାମାତା ଓ ବରିଷ୍ଠ ନାଗରିକ ଭରଣ ପୋଷଣ ଆଇନ୍‌ ମୁତାବକ, ପ୍ରତି ଜିଲ୍ଲାରେ ୧୫୦ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯିବାର ଯୋଜନା ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ସ୍କୁଲ୍‌ କଲେଜ୍‌ରେ ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ କରାଇବା ପାଇଁ ବ୍ରହ୍ମାକୁମାରୀଙ୍କ ଜରିଆରେ ସ୍ବତନ୍ତ୍ର କାଉନ୍‌ସେଲିଂର ଯୋଜନା କରାଯାଇଛି। ଉଭୟ ଘରୋଇ ଓ ସରକାରୀ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ଫାଙ୍କା ରହୁଛି କି ନାହିଁ ଏବଂ ବରିଷ୍ଠ ନାଗରିକଙ୍କ ସହାୟତା ନିମନ୍ତେ ବସ୍‌ଷ୍ଟାଣ୍ଡ୍‌ରେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବାର ଯୋଜନା ହୋଇଛି। ମାତ୍ର ଏସବୁ ଶୀତଳ ଭଣ୍ଡାରରେ ରହିଯାଇଛି। ଓଡ଼ିଶା ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ପି.କେ ଦାସଙ୍କ କହିବା ମୁତାବକ ସରକାରୀ ସ୍ତରରେ ବହୁ ଯୋଜନା ହେଉଛି, କିନ୍ତୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏହା ବରିଷ୍ଠ ନାଗରିକଙ୍କୁ ନିରାଶ କରୁଛି। ବିଶେଷକରି ସୁରକ୍ଷା ଏବେ ଆମ ପାଇଁ ଆହ୍ବାନ ପାଲଟିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର