ନ୍ୟାୟ ପାଇଁ ବୃଦ୍ଧାଙ୍କ ଥାନା ଆଗରେ ଧାରଣା, ଶୁଣୁନି ଚନ୍ଦ୍ରଶେଖରପୁର ପୁଲିସ

ଚନ୍ଦ୍ରଶେଖରପୁର: ଜଣେ ବୃଦ୍ଧା ପେଟରୁ କାଟି ସଞ୍ଚିଥିବା ଅର୍ଥକୁ ପଡ଼ୋଶୀ ନେଇ ଆଉ ଫେରାଇଲେ ନାହିଁ। ମ‌ାଗିବାରୁ ହତ୍ୟା ଧମକ ଦେଲେ। ଥାନାରେ ଅଭିଯୋଗ କରିବାରୁ ଘରୁ ଲୁଟ୍‌ପାଟ କରି ନିଆଁ ଲଗାଇଦେଲେ। ହେଲେ ଥାନା ବାବୁ ଶୁଣିଲେନି। ଦୁଇ ମାସ ହେଲା ବାରମ୍ବାର ଥାନାକୁ ଆସି ଅଭିଯୋଗ କରୁଥିଲେ ହେଁ ପୁଲିସ କର୍ଣ୍ଣପାତ କଲାନାହିଁ। ଶେଷରେ ନ୍ୟାୟ ପାଇବା ପାଇଁ ଆଜି ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ। ମାତ୍ର ତାଙ୍କ କଥା କେହି ନଶୁଣିବାରୁ ସେ ପୁଣି ନିରାଶ ହୋଇ ସଂଧ୍ୟାରେ ଫେରି ଯାଇଥିବା ଜଣାପଡ଼ିଛି। ବୃଦ୍ଧା ଜଣକ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳ ଶ୍ରୀକୃଷ୍ଣ ନଗର ବସ୍ତିରେ ରହୁଥିବା ସୁଷମା ଭାରତୀ(୫୬)।

ସୁଷମାଙ୍କ କହିବା ଅନୁଯାୟୀ ସେ ଏକ ଘରୋଇ କଲେଜରେ ଝାଡ଼ୁଦାର ଭାବେ କାର୍ଯ୍ୟ କରନ୍ତି। ଦରମା ବାବଦକୁ ଯାହା ପାଆନ୍ତି ତାକୁ ସଞ୍ଚୟ କରି ନିଜ ପାଖରେ ରଖିଥିବା ବେଳେ ଗତ ଡିସେମ୍ବର ୬ତାରିଖରେ ସେହି ବସ୍ତିର ଜଣେ ମହିଳା ତାଙ୍କ ପାରିବାରିକ ଅସୁବିଧା କଥା କହି ସୁଷମାଙ୍କଠାରୁ ୮୦ ହଜାର ଟଙ୍କା ଧାର ନେଇଥିଲେ। ମାତ୍ର କିଛି ଦିନ ମଧ୍ୟରେ ଫେରାଇ ଦେବେ ବୋଲି କହି ସେ ଆଉ ଟଙ୍କା ଫେରାଇ ନଥିଲେ। ସୁଷମା ଟଙ୍କା ମାଗିବାରୁ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଆକ୍ରୋଶ ମୂଳକ ଭାବେ ତାଙ୍କ ଘରୁ ଲୁଟ୍‌କରି ପୋଡ଼ି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍ ଘଟଣାର ତଦନ୍ତ କରୁନାହିଁ ବୋଲି ସୁଷମା କହିଛନ୍ତି।

ସମ୍ବନ୍ଧିତ ଖବର