ସ୍ୱାସ୍ଥ୍ୟ ପାଇଁ ଚାଲିଲେ ବରିଷ୍ଠ ନାଗରିକ

ହେଲ୍ଥ ପୋର୍ଟାଲ ଲାଇଫ୍‌ ଲିଙ୍କ୍‌ର ଅଭିନବ ପ୍ରୟାସ

ଭୁବନେଶ୍ୱର: ରବିବାର ସକାଳୁ ସକାଳୁ ଶୀତକୁ ଖାତିର ନକରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକାଠି ହୋଇଥିଲେ ରାଜଧାନୀର ତିନିଶହରୁ ଅଧିକ ବରିଷ୍ଠ ନାଗରିକ। ସମସ୍ତେ ଷାଠିଏ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ କୌଣସି ଯୁବକଙ୍କଠାରୁ ସେମାନଙ୍କ ମନରେ ଉତ୍ସାହ କମ୍‌ ନଥିଲା। କିଏ ବହୁଦିନ ପରେ ନିଜ ବନ୍ଧୁକୁ ପାଇ କୋଳେଇ ନେଉଥିଲେ ତ ଆଉ କିଏ କରମର୍ଦନ କରି ଭାବର ଆଦାନ ପ୍ରଦାନ କରୁଥିଲେ।

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସଚେତନତା ସହ ପରସ୍ପର ସହ ମତବିନିମୟ କରିବାର ଏପରି ନିଆରା ଅବସର ଆଣିଦେଇଥିଲେ ହେଲ୍ଥ ପୋର୍ଟାଲ ଲାଇଫ୍‌ ଲିଙ୍କ୍‌। ବରିଷ୍ଠ ନାଗରିକଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା ଲାଇଫ୍‌ ଲିଙ୍କ୍‌ ସିଟିଜେନ୍‌ ଓ୍ଵାକାଥନ୍‌। ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏକ ଶୋଭାଯାତ୍ରାରେ ଚାଲିଥିଲେ। ରାମମନ୍ଦିର ନିକଟରେ ପହଞ୍ଚିଲା ପରେ ସନ୍‌ସାଇନ୍‌ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ସେମାନେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ଏହି ଓ୍ଵାକାଥନ୍‌କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ନୀତିନ ଚନ୍ଦ୍ର ଉଦ୍‌ଘାଟନ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ଭାରତୀୟ ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଦୃଷ୍ଟିହୀନ କ୍ରିକେଟର ଜାଫର ଇକ୍‌ବାଲ୍‌ ପ୍ରମୁଖ ଓ୍ଵାକାଥନ୍‌ରେ ସାମିଲ ହୋଇଥିଲେ। ଏହି ଅବସରରେ ଲାଇଫ୍‌ ଲିଙ୍କ୍‌ର ପ୍ରତିଷ୍ଠାତା ତଥା ସନ୍‌ସାଇନ୍‌ ହସ୍ପିଟାଲର ଡାକ୍ତର ସାର୍ଥକ ପଟ୍ଟନାୟକ କହିଛନ୍ତି, ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ବରିଷ୍ଠ ନାଗରିକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଆମେ ସଂପୂର୍ଣ୍ଣ ଯତ୍ନବାନ ଅଛୁ। ନୂତନ ଭାବେ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ପୋର୍ଟାଲ ଲୋକମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍‌ ଡାକ୍ତରଙ୍କ ସହ ବରିଷ୍ଠ ନାଗରିକ ପରାମର୍ଶ କରିପାରିବେ। ପୋର୍ଟାଲ ସହିତ ଶହେ ଜଣ ବିଶିଷ୍ଟ ଡାକ୍ତର ସଂପୃକ୍ତ ଅଛନ୍ତି। ସବୁଠୁ ଆକର୍ଷଣର କଥା ହେଲା ପୋର୍ଟଲରେ ରୋଗୀମାନେ ପଞ୍ଜୀକରଣ ହେଲା ପରେ କେଉଁ ସମୟରେ ସେମାନେ କେଉଁ ମେଡିସିନ୍‌ ଖାଇବେ ତାଙ୍କୁ ଏସ୍‌ଏମ୍‌ସ୍‌ ଜରିଆରେ ସୂଚନା ମିଳିବ।

ଓ୍ଵାକାଥନ୍‌ରେ ସାମିଲ ହୋଇଥିବା ବରିଷ୍ଠ ନାଗରିକ ଡାକ୍ତର ଉପେନ୍ଦ୍ର କୁମାର ସାହୁ, କିଶୋର କୁମାର ସ୍ୱାଇଁ, ଦିବାକର ଜେନା ପ୍ରମୁଖ ଲାଇଫ୍‌ ଲିଙ୍କ୍‌ର ଏପରି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି। ଅନୁଷ୍ଠାନର କୋର୍‌ ଟିମ୍‌ ସଦସ୍ୟ ସୌମ୍ୟ ପଟ୍ଟନାୟକ, ତୁଷାର ପଟ୍ଟନାୟକ ଓ ମୟଙ୍କ୍‌ ଦରଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଖୁବ୍‌ ଉପାଦେୟ କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ପାଇଁ ଲାଇଫ୍‌ ଲିଙ୍କ୍‌ର ଏହା ଏକ ବେଶ ଉପାଦେୟ କାର୍ଯ୍ୟକ୍ରମ। ସମବୟସ୍କ ଲୋକଙ୍କ ସହିତ ସକାଳୁ ସକାଳୁ କିଛି ସମୟ ବିତେଇବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଅନେକ ସୂଚନା ମିଲିଲା। ଆୟୋଜକଙ୍କୁ ଧନ୍ୟବାଦ।
ଯୁଗଳ କିଶୋର ସାହୁ, ସାଧାରଣ ସମ୍ପାଦକ, ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ

 

ଲାଇଫ୍‌ ଲିଙ୍କ୍‌ ସ୍ୱାସ୍ଥ୍ୟ ସୁରକ୍ଷାର ପ୍ରତିଶ୍ରୁତି ଦେଲେ

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନେଇ ଆମକୁ ଲାଇଫ୍‌ ଲିଙ୍କ୍‌ କର୍ତୃପକ୍ଷ ପ୍ରତିଶ୍ରୁତି ଦେଲେ। ସାରା ରାଜଧାନୀର ବରିଷ୍ଠ ନାଗରିକଙ୍କୁ ଗୋଟିଏ ସ୍ଥାନରେ ପାଇ ଆମେ ବେଶ୍‌ ଖୁସି। ଲାଇଫ୍‌ ଲିଙ୍କ୍‌ର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମଝିରେ ମଝିରେ ବରିଷ୍ଠ ନାଗରିକଙ୍କ ପାଇଁ ଏମିତି କାର୍ଯ୍ୟକ୍ରମ ହେବା ଦରକାର।
ମଧୁମାଧବ ଜେନା, ସଭାପତି, ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ

ସମ୍ବନ୍ଧିତ ଖବର