ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ବରିଷ୍ଠ ନାଗରିକ-ପୁଲିସ ମୁହାଁମୁହିଁ

ବରମୁଣ୍ଡାରେ ବି ଅବ୍ୟବସ୍ଥା

ଚନ୍ଦ୍ରଶେଖରପୁର/ଖଣ୍ଡଗିରି : ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଗୁରୁବାର ମଧ୍ୟାହ୍ନରେ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ କିଛି ସ୍ଥାନୀୟ ବରି‌ଷ୍ଠ ନାଗରିକ ଓ ଇନ୍‌ଫୋସିଟି ଥାନା ପୁଲିସ୍ ମୁହାଁମୁହିଁ ହୋଇଛନ୍ତି। ବରିଷ୍ଠ ନାଗରିକଙ୍କ ସୂଚନା ଅନୁଯାୟୀ, ସେମାନେ କିଛି ଦିନ ହେବ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଅଫଲାଇନ୍ ମାଧ୍ୟମରେ ଟିକା ନେଉଥିଲେ। ମାତ୍ର ଆଜି ସକାଳୁ ସେମାନେ ଖରାରେ ଠିଆ ହୋଇ ଫାଟକ ନିକଟରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ସେମାନଙ୍କୁ କେବଳ ଅନ୍‌ଲାଇନ୍ ପଞ୍ଜୀକରଣ କରାଯାଇଥିବା ଲୋକଙ୍କୁ ଟିକା ଦିଆଯିବ ବୋଲି କହିଥିଲେ। ଫଳରେ ସେମାନେ ଉତ୍ତେଜିତ ହୋଇ ସୁରକ୍ଷାକର୍ମୀଙ୍କ ସହ ବଚସା କରିଥିଲେ। ଏହା ପରେ କିଛି ସମୟ ପାଇଁ ସେଠାରେ ଧାରଣାରେ ବସିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଇନ୍‌ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ନାଗରିକମାନଙ୍କୁ ସେଠାରୁ ପଳାଇ ଯିବା ପାଇଁ କହିଥିଲା। ତେବେ ଉପସ୍ଥିତ ୫୦ରୁ ଅଧିକ ବରିଷ୍ଠ ନାଗରିକ ଏହାକୁ ନେଇ ପୁଲିସ୍ ସହ ପାଟିତୁଣ୍ଡ କରିଥିଲେ। ପୂର୍ବରୁ କାହିଁକି ସୂଚନା ଦିଆଗଲା ନାହିଁ ଏବଂ ବରିଷ୍ଠ ନାଗରିକମାନେ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବା ସମ୍ଭବ ନୁହେଁ ବୋଲି ସେମାନେ ଅଭିଯୋଗ କରିଥିଲେ।

ସେହିପରି ବରମୁଣ୍ଡା ୫୦ନଂ ଵାର୍ଡସ୍ଥିତ ୟୁପିଏଚ୍‌ସି ଟିକାକରଣ କେନ୍ଦ୍ରରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା। ସୀମିତ ୧୫୦ ଡୋଜ୍ ଟିକା ଦିଆଯାଉଥିବାରୁ ବହୁ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ଠିଆ ହେବା ପରେ ଅସନ୍ତୁଷ୍ଟ ହୋଇ ଫେରିଥିଲେ। ଏହାକୁ ନେଇ ଟିକା ଦେଉଥିବା କର୍ମଚାରୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର