ଭୁବନେଶ୍ବର: ରାଜ୍ୟ ସରକାର ସବୁବେଳେ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନା କରିଛନ୍ତି। ବିଶେଷକରି ସରକାର ସବୁବେଳେ ବରିଷ୍ଠ ନାଗରିକମାନଙ୍କର ସାମାଜିକ ସୁରକ୍ଷା ନେଇ ଚିନ୍ତା କରନ୍ତି। ମଧୁବାବୁ ପେନସନ୍ ଯୋଜନା ଏବଂ ସାମାଜିକ ସୁରକ୍ଷା ଯୋଜନାରେ ପ୍ରାୟ ୪୮ ଲକ୍ଷ ୭୦ ହଜାର ହିତାଧିକାରୀ ଲାଭବାନ ହେଉଛନ୍ତି। ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସଠାରେ ଆୟୋଜିତ ଏକାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏପରି ମତ ଦେଇଛନ୍ତି।
ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ମଣିଷ ଯେତେବେଳେ ଅଲୋଡ଼ା ବୋଲି ନିଜକୁ ଭାବି ନିଏ, ସେତେବେଳେ ମାନସିକସ୍ତରରେ ହାରିଯାଏ। ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବ୍ୟକ୍ତିମାନେ ଆମ ଦେଶର ଶ୍ରେଷ୍ଠ ସଂପଦ। ତେଣୁ ନିଜକୁ ଅଲୋଡ଼ା ନଭାବି ନିଜକୁ ଉପଯୋଗୀ ମାନନ୍ତୁ। ବୟସ ୬୦ ବର୍ଷ ଛୁଇଁଲା ପରେ ନୂଆ ଜୀବନ ଆରମ୍ଭ ହୁଏ। ଏହି ନୂଆ ଜୀବନକୁ ଟି-୨୦ ମ୍ୟାଚ୍ ଭାବି ନିଜକୁ ଏହି ମ୍ୟାଚ୍ର ଖେଳାଳି ଭାବିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ମହାସଂଘର ସଭାପତି ଡା. କୃପାସିନ୍ଧୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସମାଜକୁ ବରିଷ୍ଠ ନାଗରିକମାନଙ୍କର ଆବଶ୍ୟକତା ରହିଛି। ଯୁବପିଢ଼ିଙ୍କୁ ଏହା ସ୍ବୀକାର କରିବାକୁ ପଡ଼ିବ। ପୁଲିସ ସବୁବେଳେ ବରିଷ୍ଠ ନାଗରିକମାନଙ୍କୁ ସହଯୋଗର ହାତ ବଢ଼ାଇଛି। ଏହି ଅବସରରେ ଶ୍ରୀ ପ୍ରିୟଦର୍ଶୀ ସାଇବର ଅପରାଧ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ହେଲ୍ପ-ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର କହିଲେ, ବରିଷ୍ଠ ନାଗରିକମାନେ ନିଜ ହକ୍ ପାଇଁ ସ୍ବର ଏକାଠି ଉତ୍ତୋଳନ କରିବାର ଆବଶ୍ୟକତା ରହିଛି। ଦ୍ବୈତନଗରୀରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେବଳ ପ୍ରକୋଷ୍ଠ କରି ଦେଇ ସରକାର ବସି ପଡ଼ିଲେ ହେବ ନାହିଁ।
ସାରା ରାଜ୍ୟର ଏହି ପ୍ରକୋଷ୍ଠ ହେବାର ଆବଶ୍ୟକତା ରହିଛି। ଏହି ଅବସରରେ ମହାସଂଘ ପକ୍ଷରୁ ପତ୍ରିକା ‘ଅପରାହ୍ନ’ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଡା. ପ୍ରସନ୍ନ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘର ଉପସଭାପତି ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ସୁରେଶ ଚନ୍ଦ୍ର କର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଯୁଗ୍ମ ସଂପାଦକ ରାଜକିଶୋର ସାମନ୍ତରାୟ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/13-2.jpg)