ବରିଷ୍ଠ ନାଗରିକ ମହାସଂଘ ପ୍ରତିଷ୍ଠା ଦିବସ 

ବରିଷ୍ଠଙ୍କୁ ଉପେକ୍ଷା କରି ସମାଜ ଆଗକୁ ବଢ଼ି ପାରିବନି

ଭୁବନେଶ୍ୱର: ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ ‌ହୋଇଛି। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ବରିଷ୍ଠ ନାଗରିକମାନେ ଜ୍ଞାନର ଦ୍ରୁମ। ବରିଷ୍ଠ ନାଗରିକମାନଙ୍କୁ ଉପେକ୍ଷା କରି ସମାଜ ଆଗକୁ ବଢ଼ିପାରିବ ନାହିଁ। ସେମାନଙ୍କ ଜ୍ଞାନ କୌଣସି ପୁସ୍ତକରୁ ଆସି ନାହିଁ, ବରଂ ଜୀବନର ଅଭିଜ୍ଞତାରୁ ଏହି ଜ୍ଞାନ ସଂଗୃହୀତ ହୋଇଛି। ଏହି ଜ୍ଞାନର ଉତ୍ସ ଯୁବପିଢ଼ିକୁ ରାହା ଦେଖାଉଛି। ସେମାନଙ୍କର ଜ୍ଞାନ ଓ ସମାଜ ପ୍ରତି ଅବଦାନକୁ ଆମେ ସମ୍ମାନ ଦେବା ଜରୁରୀ। ସରକାର ସେମାନଙ୍କ ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟିତ। ୨୦୧୬ ମସିହାରେ ହୋଇଥିବା ଓଡ଼ିଶା ବରିଷ୍ଠ ନାଗରିକ ନୀତି ବେଶ୍‌ ଆଦୃତ ହେବା ସହ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ଯୋଗ୍ୟ ହୋଇଛି।  ପାଖାପାଖି ୨୭ଲକ୍ଷ ବରିଷ୍ଠ ନାଗରିକଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ୨ ଶହ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ଜରାରୋଗ ୱାର୍ଡ ସହ କାଉନ୍‌ସେଲିଂ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ପ୍ରତ୍ୟେକ ଥାନାରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌ ଖୋଲାଯିବା ସହ ବୃଦ୍ଧମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିବିଶେଷ ଓ ଅନୁ‌ଷ୍ଠାନମାନଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସର୍ବୋପରି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ବରିଷ୍ଠ  ନାଗରିକଙ୍କ ପାଇଁ ଦେଶର ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ପାଇଁ ସୁଯୋଗ ଦେଇଛି। ଆଜି ନାଗରିକମାନେ ଏକାଠି ହୋଇ ସୁଖଦୁଃଖ ବାଣ୍ଟିବାର ପ୍ରୟାସ କରିଛନ୍ତି, ଖୁସିରେ ବଞ୍ଚିବାକୁ ସ୍ଥିର କରିଛନ୍ତି, ତାହା ଅତ୍ୟନ୍ତ ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ପୁଲିସ କମିସନର ସତ୍ୟଜିତ ମହାନ୍ତି ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଦିଗରେ ଉଦ୍ୟମ ଜାରି ରଖିବା ପାଇଁ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ନୟା‌ଗଡ଼ର ଶତାୟୁ କାଶୀନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାସଂଘ ସଭାପତି କୃପାସିନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଡା. ପ୍ରସନ୍ନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସେ ବରିଷ୍ଠ ନାଗରିକ ଭତ୍ତାକୁ ୩ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ବରିଷ୍ଠ ନାଗରିକ ମହାସଂଘ ମୁମ୍ବାଇର ସଭାପତି ଶ୍ରୀ ଚାପ୍‌କେ, କାର୍ଯ୍ୟକାରୀ ସଭାପତି କୃପାସିନ୍ଧୁ ପଣ୍ଡା, ଉପସଭାପତି କୃ‌ଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର କର ଓ ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର