ଭୁବନେଶ୍ବର: ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଓ ୟୁନିଟ୍‌-୯ ବ୍ରହ୍ମାକୁମାରୀ ଆଶ୍ରମର ମିଳିତ ଆନୁକୂଲ୍ୟରେ ବିଶ୍ବ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ, ସଚେତନତା କାର୍ଯ୍ୟକ୍ରମ ଓମ୍‌ ନିବାସ ସଭାଗୃହରେ ପାଳିତ ହୋଇଯାଇଛି। ମହାସଂଘର ସଭାପତି ମଧୁମାଧବ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଓଡ଼ିଶାର ୪୦ଟି ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମାକୁମାରୀ ଗୀତା, ବରିଷ୍ଠ ନାଗରିକମାନଙ୍କ ନିର୍ଯାତନା ଉପରେ ଆଲୋକପାତ କରି କିପରି ବରିଷ୍ଠ ନାଗରିକମାନେ ଖୁସିରେ ରହିବେ ସେ ନେଇ ବକ୍ତବ୍ୟ ରଖିଥିଲେ। ସାଧାରଣ ସଂପାଦକ ଯୁଗଳ କିଶୋର ସାହୁ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ସନ୍‌ସାଇନ ହସପିଟାଲର କାର୍ଡିଓଥୋରାସିକ୍ ସର୍ଜନ ଡାକ୍ତର ଶ୍ବେତାଙ୍କ ଦାସ ବରିଷ୍ଠ ନାଗରିକଙ୍କ ହୃଦ୍‌ରୋଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଦେବନାରାୟଣ ସେଠୀ ଯୋଗଦେଇ ଯୋଗାଭ୍ୟାସ ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ବାଦ’ର ଉପମହାପ୍ରବନ୍ଧକ (ଫିଚର୍ସ) ସିଦ୍ଧାର୍ଥ ମହାପାତ୍ର ମାନସିକ ଶାନ୍ତି ଉପରେ ବକ୍ତବ୍ୟ ରଖିଥିଲେ। ବସନ୍ତ କୁମାର ଆଚାର୍ଯ୍ୟ, କାର୍ତ୍ତିକ ଦାସ, ଗଣେଶ କୁମାର ପ୍ରଧାନ, ବିଦ୍ୟାଧର ମହାରଣା ପ୍ରମୁଖ ମତାମତ ରଖିଥିଲେ।