ଶାନ୍ତିପୂର୍ଣ୍ଣ ଧାରଣାରେ ବରିଷ୍ଠ ନାଗରିକ

ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାର ପୋଲ ନିର୍ମାଣ ପ୍ରସଙ୍ଗ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ପୋଲ ନିର୍ମାଣରେ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସମୃଦ୍ଧ ଓଡ଼ିଶା ନେତୃତ୍ବରେ ବରିଷ୍ଠ ନାଗରିକ ସଂଘ ସହଯୋଗରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହ ପୋଲ ନିକଟରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରିଛନ୍ତି। ବରିଷ୍ଠ ନାଗରିକ ସଂଘ ସଭାପତି ଆନନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାରେ ଅଞ୍ଚଳର ବରିଷ୍ଠ ‌ନାଗରିକମାନେ ଯୋଗଦେଇ କହିଲେ ଏହି ନିର୍ମାଣ କାର୍ଯ୍ୟ ବିଳମ୍ବକୁ ଆଉ ଅଧିକ ସମୟ ବରଦାସ୍ତ କରାଯାଇପାରିବ ନାହିଁ। ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ ନ ‌ହୁଏ ତେବେ ଜନସାଧାରଣଙ୍କର ଧୈର୍ଯ୍ୟଚ୍ୟୁତ ଘଟିବ। ଫଳରେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

ଲୋକଙ୍କ ଯାତାୟତ ସମସ୍ୟାର ସମାଧାନ ପାଇଁ ଯେଉଁ ଅଣ ଓସାରିଆ ଲୁହା ପ୍ଲେଟ ପୋଲର ବ୍ୟବସ୍ଥା ହୋଇଛି, ତାହା ଯାତାୟତରେ ସୁବିଧା ପରିବର୍ତ୍ତେ ବିଭିନ୍ନ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛି। ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପାର୍ଶ୍ବରୁ ଗଲେ ଅନ୍ୟ ପାର୍ଶ୍ବରୁ ଆସୁଥିବା ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ଅନେକ ସମୟରେ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହେଉଛି।

ତେଣୁ ଆଉ ଗୋଟିଏ ଲୁହାରେ ନିର୍ମିତ ସେତୁ ଖୁବ୍‌ଶୀଘ୍ର ନିର୍ମାଣ କରିବାକୁ ଦୃଢ଼ ଦାବି କରାଯାଇଛି। ବରିଷ୍ଠ ନାଗରିକ ଶ୍ରୀ ପଟ୍ଟନାୟକଙ୍କ ସମେତ ଯୋଗେଶ ଚନ୍ଦ୍ର ‌ନାୟକ, ପ୍ରଣବ ଛୋଟରାୟ, ଗୋଲକ ବିହାରୀ ସିଂହ, ଦିଲ୍ଲୀପ କୁମାର ମହାପାତ୍ର, ସନାତନ ଦାଶ, ଦୀନବନ୍ଧୁ ଷଡ଼ଙ୍ଗୀ, ଗୁରୁ ଚରଣ ସିଂ, ବୀର କିଶୋର ମିଶ୍ର, ବସନ୍ତ ମଲ୍ଲିକ, ଅଜୟ ମଲ୍ଲିକ, ଅଞ୍ଜନା ସାହୁ, ମଧୂସୁଦନ ବିଶ୍ୱାଳ, ତପନ କୁମାର ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପୋଲ୍‌ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ବର୍ଷା ଦିନ ପୂର୍ବରୁ ଶେଷ କରିବା ଲାଗି ଖୁବ୍‌ଶୀଘ୍ର ରାସ୍ତା ଓ ନିର୍ମାଣର ନିର୍ବାହୀ ଯନ୍ତ୍ରୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର