ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ: ଡରାଉଛନ୍ତି, ଲୋଭ ଦେଖାଉଛନ୍ତି, ଲୁଟୁଛନ୍ତି

୪ ମାସରେ କାର୍ଡ ବନ୍ଦ ଡର ଦେଖାଇ ୧୭୦୦ ଜଣଙ୍କୁ ଲୁଟିଲେଣି

ଭୁବନେଶ୍ବର : ‘ଗୁଡ୍ ଆଫ୍ଟରନୁନ୍ ସାର। ମେ ବ୍ୟାଙ୍କ ହେଡ୍ ଅଫିସ୍ ସେ ବୋଲ ରହା ହୁଁ। ଆପ୍‌କି ଏଟିଏମ୍ କାର୍ଡ ବ୍ଲକ୍ ହୋନେଵାଲା ହେ। ପ୍ଲିଜ୍ ରିନୱାଲ କିଜିଏ।’ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡଧାରୀଙ୍କୁ ସାଇବର ଠକଙ୍କ ଏମିତି ଡରାଇବା ଭଳି ଫୋନ୍ ଆସୁଛି। ଆଉ କଲ୍‌କୁ ବିଶ୍ବାସ କରି ଯଦି କେହି ସେମାନଙ୍କ ଜାଲରେ ପଡ଼ିଗଲେ, ତେବେ ମୁହୂର୍ତ୍ତକ ଭିତରେ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ନେଇଯିବା ସହ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ଠକ। ଏଭଳି ଠକେଇ ଏବେ ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସା‌ଇବର ଠକମାନେ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି। ପୁଲିସ ହାତରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା ସାଇବର ହେଲ୍‌ପଡେସ୍କକୁ ଗତ ୪ ମାସ ଭିତରେ କାର୍ଡ ବ୍ଲକ୍ ଭୟ ଦେଖାଇ ଠକେଇ ସଂକ୍ରାନ୍ତରେ ପ୍ରାୟ ୧୭୦୦ ଅଭିଯୋଗ ଆସିଛି। ଡେବିଟ୍, ଏଟିଏମ୍ କାର୍ଡ ସଂକ୍ରାନ୍ତରେ ୧୨୦୦ ଓ କ୍ରେଡିଟ୍ କାର୍ଡ ଠକେଇ ସଂକ୍ରାନ୍ତରେ ୫ ଶହ ଅଭିଯୋଗ ଆସିଛି।

ଟାଓ୍ୱାର ବସାଇବା ନାଁରେ ଠକେଇ
ବିଭିନ୍ନ ଟେଲିକମ କମ୍ପାନିର ଟାଓ୍ଵାର ବସାଇବା ନାଁରେ ମଧ୍ୟ ସାଇବର ଠକ ଲୁଟୁଛନ୍ତି। ମୁଖ୍ୟତଃ ଗ୍ରାମାଞ୍ଚଳରେ ଟାଵାର ବସାଇବାର ଲୋଭ ଦେଖାଉଛନ୍ତି। ମାସକୁ ହଜାର ହଜାର ଟଙ୍କା ରୋଜଗାର ମିଳିବ ବୋଲି କହୁଛନ୍ତି। ଏଥିପାଇଁ ବିଭିନ୍ନ ଟ୍ୟାକ୍ସ, ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି କହି ଟଙ୍କା ଲୁଟି ନେଉଛନ୍ତି। ଏହି ଭଳି ଠକେଇ ବଢ଼ି ଚାଲିଥିବାରୁ ଚିନ୍ତାର କାରଣ ସାଜିଛି।

ନୂଆ ନୂଆ ବାହାନା କରୁଛନ୍ତି, ସତର୍କ ରୁହନ୍ତୁ: ଡିସିପି
ସାଇବର ଠକମାନେ ନୂଆ ନୂଆ ବାହାନା କରି ଲୁଟୁଛନ୍ତି। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି ଉମାଶଙ୍କର ଦାସ। ଫୋନ୍ କଲରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବା ସହ ଆସୁଥିବା ଲିଙ୍କକୁ କ୍ଲିକ୍ ନ କରିବା ପାଇଁ କହିଛନ୍ତି।

କେମିତି ହେଉଛି ଠକେଇ
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ଲକ୍ ହୋଇଯିବା ଭୟ ଦେଖାଇ ସାଇବର କାର୍ଡଧାରୀଙ୍କୁ ଏସ୍ଏମ୍ଏସ୍ ପଠାନ୍ତି ଏବଂ ଫୋନ୍ କଲ୍‌ କରନ୍ତି। ଏମିତି କରି ସେମାନେ ପ୍ରଥମେ କାର୍ଡ ସମ୍ପର୍କରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ନେଇଯାନ୍ତି। ବେଳେବେଳେ ସେମାନେ ଏନି ଡେସ୍କ ଭଳି ଆପ୍ ଡାଉନଲୋଡ୍ କରିବାକୁ କହି ମୋବାଇଲ ଫୋନରୁ ସମସ୍ତ ତଥ୍ୟ ଚୋରି କରିନିଅନ୍ତି। ଆଉ ଏହା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନିଅନ୍ତି।

ରିଵାର୍ଡ, କ୍ୟାସବ୍ୟାକ୍, ଲଟେରି ନାଁରେ ୩ ଶହ ଫୋନ୍ କଲ୍
ଅନଲାଇନ୍ ବ୍ୟାଙ୍କିଙ୍ଗ, ପେମେଣ୍ଟ ବ୍ୟବହାର କରିଥିବାରୁ ରିଵାର୍ଡ ପଏଣ୍ଟ ଓ କ୍ୟାସବ୍ୟାକ୍ ଆସିଥିବା ନେଇ ଗ୍ରାହକଙ୍କୁ ଫୋନ୍ କଲ୍ ଆସୁଛି। ଏହି ରିଵାର୍ଡ ଓ କ୍ୟାସ୍‌ବ୍ୟାକ୍ ପାଇବାକୁ ହେଲେ ଏକ କ୍ୟୁଆର୍ କୋଡ୍ ପଠାଇ ଏହାକୁ ସ୍କାନ୍ କରିବା ପାଇଁ କହୁଛି ଠକ। ସ୍କାନ୍ କରିବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଉଛି। ଠିକ୍ ସେହିପରି ଲଟେରି ଜିତିବା ନାଁରେ ମଧ୍ୟ ସମାନ ଧରଣର ଠକେଇ ହେଉଥିବା ଅଭିଯୋଗ ଆସୁଛି। ଗତ ୪ ମାସ ଭିତରେ ଫୋନ୍ କଲ୍ ମାଧ୍ୟମରେ ଏଭଳି ପ୍ରାୟ ତିନି ଶହରୁ ଅଧିକ କଲ୍ ଆସିଛି।

ଯୁବତୀଙ୍କ ସହ ଅଶ୍ଳୀଳ ଚାଟିଂ ନାଁରେ ଲୁଟୁଛନ୍ତି
ଭିଡିଓ କଲିଂ କରି ଅଶ୍ଳୀଳ ଭିଡିଓ ଚାଟିଂ କରିବା ଆଳରେ ମଧ୍ୟ ଠକ ଲୋକଙ୍କୁ ଜାଲରେ ପକାଉଛନ୍ତି। ବିଶେଷ କରି ଯୁବକମାନେ ଏହାର ଶିକାର ହେଉଛନ୍ତି। ସୁନ୍ଦରୀ ଯୁବତୀଙ୍କ ଅଶ୍ଳୀଳ ଚାଟିଂ ନାଁରେ ଲୁଟୁଛନ୍ତି। ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସହ ଯୁବକମାନଙ୍କର ଫଟୋକୁ ସ୍କ୍ରିନ୍ ରେକର୍ଡିଂ କରି ବ୍ଲାକମେଲିଂ କରୁଛନ୍ତି। ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେବାକୁ ଧମକ ଦେଉଛନ୍ତି।

ସମ୍ବନ୍ଧିତ ଖବର