ଭୁବନେଶ୍ବର: ନିରାପତ୍ତା ପାଇଁ ନିରବତା କେବେ ଭଲ ଜିନିଷ ନୁହେଁ।  ସାମାଜିକ ନିରାପତ୍ତା ପାଇଁ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ଅପରିହାର୍ଯ୍ୟ।  ସମ୍ବିଧାନର ସୁରକ୍ଷା ଲାଗି ସାମ୍ବାଦିକତାକୁ ସୁଦୃଢ଼ କରିବାର ସମୟ ଆସିଛି ବୋଲି ‘ସଂଭାବନା’ର ସ୍ବାଧୀନତା ସ୍ବନକ୍ଷତ୍ର ଉତ୍ସବ ‘ଜୟ ହିନ୍ଦ୍‌’ରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଅନେକ ସମୟରେ ନିରାପତ୍ତା ପାଇଁ ସ୍ବର ଉତ୍ତୋଳନର ଆବଶ୍ୟକତା ରହିଥାଏ। ସାମ୍ବାଦିକମାନେ ଏଥିପାଇଁ ବାଟ ପ୍ରସ୍ତୁତ କରିବା ଜରୁରି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସାମ୍ବାଦିକମାନେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ କୁଲଦୀପ ନାୟାର ସ୍ମୃତିସମ୍ମାନ-୨୦୨୫
‘ସଂଭାବନା’ର ସ୍ବାଧୀନତା ସ୍ବନକ୍ଷତ୍ର ଉତ୍ସବ ‘ଜୟ ହିନ୍ଦ୍‌’ ସଙ୍ଗୀତ ସନ୍ଧ୍ୟା

ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ, ପୂର୍ବରୁ ମଧ୍ୟ ଅନେକ ସାମ୍ବାଦିକ ଗଣତନ୍ତ୍ରର ରକ୍ଷା ଲାଗି କାରାବରଣ କରିଛନ୍ତି। ତଥାପି ନିଜର ଲକ୍ଷ୍ୟରୁ ସେମାନେ ବିଚ୍ୟୁତ ହୋଇ ନଥିଲେ। ସେମାନଙ୍କ ଆଦର୍ଶକୁ ପାଥେୟ କଲେ ସୁସ୍ଥ ଗଣତନ୍ତ୍ର ଗଠନ ସମ୍ଭବ ବୋଲି ଶ୍ରୀ ତ୍ରିପାଠୀ ମତ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ ଯେ ସାମ୍ବାଦିକମାନେ ‌ହିଁ ବିପ୍ଳବ ଆଣନ୍ତି। ସେମାନେ ଯେଉଁ ପରିବର୍ତ୍ତନj ସ୍ବର ବହନ କରନ୍ତି ତାହା ଜନସାଧାରଣଙ୍କୁ ଜାଗ୍ରତ କରେ। ନିଜର ଶାଣିତ ସ୍ବର ପାଇଁ ‘ସଂଭାବନା’ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଦାଶ ବେନହୁର କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ୨୦୨୫ର ଶ୍ରେଷ୍ଠ ଓଡ଼ିଆଣୀ ରୀତା ଶଙ୍ଖୁଆ ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ କୁଲଦୀପ ନାୟାର ସ୍ମୃତିସମ୍ମାନ-୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକା ସୁପ୍ରିୟା ଦାଶଙ୍କୁ ସଂଭାବନା ସ୍ବନକ୍ଷତ୍ର ସମ୍ମାନ-୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର କାର୍ଯ୍ୟକ୍ରମର [kଭିମୁଖ୍ୟ ବର୍ଣ୍ଣନା କରିଥିଲେ। ସମ୍ପାଦକ ଦେବପ୍ରସାଦ ପରିଜା ସ୍ବାଗତ ଭାଷଣ ଦେଇଥିଲେ। ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।