ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ: ଏବେ ପୁଲିସ ପାଇଁ ସାଇବର କ୍ରାଇମ୍‌ ବଡ଼ ଆହ୍ବାନ

ଭୁବନେଶ୍ୱର: ସାଇବର କ୍ରାଇମ୍ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି। ଯେଉଁ ଢଙ୍ଗରେ, ଯେଉଁ ଅନୁପାତରେ ଏହା ବଢ଼ି ଚାଲିଛି ତାହା ସମଗ୍ର ଭାରତ ସହ ଓଡ଼ିଶା ପାଇଁ ବଡ଼ ବିପଦ ହେବାକୁ ଯାଉଛି। ସମସ୍ତ ବିଭାଗ ଡିଜିଟାଇଜ୍‌ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ସାଇବର କ୍ରାଇମ୍‌ ଦ୍ବାରା ହଠାତ୍‌ ସମସ୍ତ କାରବାର ଠପ୍‌ ହେବା ଭଳି ଆଶଙ୍କା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଗୋଆ ପୁଲିସ ଡିଜି ଡ. ମୁକ୍ତେଶ ଚନ୍ଦର। ସ୍ଥାନୀୟ ପୁଲିସ ଭବନରେ ଚାଲିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ବିତୀୟ ଦିନର ପ୍ରଥମ ପର୍ଯ୍ୟାୟରେ ସାଇବର କ୍ରାଇମ୍‌ର ତଦନ୍ତ ଶୀର୍ଷକ ଆଲୋଚନାରେ ଯୋଗଦେଇ ସେ କହିଥିଲେ, ବିଶ୍ବର ଯେ କୌଣସି କୋଣରେ ଥାଇ ଅପରାଧୀ ଏହି ଅପରାଧ ଘଟାଇ ପାରୁଥିବାରୁ ଏହା ଏକ ଆହ୍ବାନ ହୋଇଛି। ଏଥିପାଇଁ ପୁଲିସ ବିଭାଗ ଅନୁରୂପ ଢଙ୍ଗରେ ସଶକ୍ତ ନ ହେଲେ ଆଗକୁ ଏହି ଅପରାଧର ମୁକାବିଲା କରିବା ସମ୍ଭବ ହେବନାହିଁ। ସେ କହିଛନ୍ତି, ଅପରାଧୀମାନେ ଏବେ ସାଇବର କ୍ରାଇମ ଉପରେ ମନୋନିବେଶ କରିଛନ୍ତି। ଏଥିରେ କେବଳ ବୁଦ୍ଧି ଖଟାଇ କମ୍‌ ସମୟ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରି ହେଉଥିବା ବେଳେ ଧରାପଡ଼ିବା ସହଜ ହୋଇ ନଥାଏ। ସାଇବର୍‌ କ୍ରାଇମ୍‌ ଜରିଆରେ ପୁନେର କସ୍‌ମସ୍‌ ବ୍ୟାଙ୍କ୍‌ରୁ ୯୪ କୋଟି ଟଙ୍କା ଦେଶ ବାହାରକୁ ଚାଲି ଯାଇଥିଲା। ଗତ ବର୍ଷ ଅଗଷ୍ଟ ମାସରେ ଦୁଇଟି ଦଫାରେ ହୋଇଥିବା ଏହି ଲୁଟ୍‌ ଘଟଣାରେ ଏ ପର୍ଯ୍ୟନ୍ତ ଆଶାନୁରୂପ ସଫଳତା ମିଳିପାରିନାହିଁ। ଏତେ କୌଶଳ ଓ ସତର୍କତା ଅବଲମ୍ବନ କରି ଏପରି ଲୁଟ୍‌ କରାଯାଇଛି ଯେ, ତାହାକୁ ଧରିବା ସମ୍ଭବପର ହେଉ ନାହିଁ। ସାଇବର ଅପରାଧୀମାନେ ଏଭଳି ନୂଆ ନୂଆ କୌଶଳ ଆପଣାଉଥିବାରୁ ଏପରି ଅପରାଧକୁ କାବୁ କରିବା ଏବେ ଆହ୍ବାନ ହୋଇଛି। ବ୍ୟାଙ୍କ୍‌, ଏୟାର ଟ୍ରାଫିକ୍‌, ଶକ୍ତି ବିଭାଗ ଓ ପରିବହନ ବିଭାଗ ସବୁ ଏବେ ଡିଜିଟାଇଜ୍‌ଡ ହୋଇଛି। ଏହିସବୁ ବିଭାଗକୁ ସାଇବର୍‌ ଅପରାଧୀମାନେ ହ୍ୟାକ୍‌ କରିବାରେ ଯଦି ସଫଳ ହୁଅନ୍ତି ଆଗକୁ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ। ଶକ୍ତି ବିଭାଗର ୱେବ୍‌ସାଇଟ୍‌ ହ୍ୟାକ୍‌ ହେଲେ ଯୋଗାଣ ଠପ୍‌ ହୋଇଯିବାର ଆଶଙ୍କା ରହିଛି। ସେହିଭଳି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହ୍ୟାକ୍‌ ହେଲେ ଅର୍ଥନୀତି ଭୁଶୁଡ଼ି ପଡ଼ିବା ସମ୍ଭାବନାକୁ ଏଡ଼ାଇ ହେବନି। ସବୁଠାରୁ ବଡ଼କଥା ହେଉଛି ୨୦୧୬ ରେ ୧୨ହଜାର ସାଇବର ଆପରାଧିକ ମାମଲା ରୁଜୁ ହୋଇଛି। ବର୍ଷକୁ ବର୍ଷ ଏପରି ଅଭିଯୋଗ ବଢ଼ି ବଢ଼ି ଚାଲିଛି। ଏହା ପୁଲିସ ପାଇଁ ଏକ ଆହ୍ବାନ ହୋଇଛି। ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏଥିପାଇଁ ଆମେ ପ୍ରସ୍ତୁତ ହେଉଛୁ। ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଡାଟା ପ୍ରୋଟେକ୍ସନ ଲ’ ଉପରେ ଗୁରୁତ୍ବ ଦିଆଯାଉଛି। ଆଇଜିପି(କ୍ରାଇମ୍‌) ଅରୁଣ ବୋଥ୍ରା ଏହାକୁ ସଂଯୋଜନା କରିଥିଲେ।

ଏହା ସହିତ ସୋସିଆଲ ମିଡିଆରେ ଘଟୁଥିବା ଅପରାଧ ଉପରେ ନଜର ରଖିବା ପାଇଁ ଏକ ସ୍ବତନ୍ତ୍ର ସୋସିଆଲ ମିଡିଆ ମନିଟରିଂ ସେଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରତି ମୁହୂର୍ତ୍ତରେ ଏହା ସୋସିଆଲ ମିଡିଆ ଉପରେ ନଜର ରଖିବ ବୋଲି ଏସ୍‌ଆଇଡବ୍ଲୁ ଆଇଜି ଘନଶ୍ୟାମ ଉପାଧ୍ୟାୟ ସୂଚନା ଦେଇଥିବା ବେଳେ ଏହା ଉପରେ ମହାରାଷ୍ଟ୍ର ପୁଲିସ ରାଜ୍ୟ ଗୁଇନ୍ଦା ବିଭାଗ ଅତିରିକ୍ତ ଡିସିପି ଡ. ପ୍ରତୀକ ବି ଦେଶପାଣ୍ଡେ ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ସେହିଭଳି ସମସ୍ତ ଥାନାକୁ ପେପରଲେସ୍‌ କରାଯିବା ପାଇଁ ଯୋଜନା ରହିଥିବା ଏସ୍‌ସିଆରବି ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏହା ଛଡ଼ା ସଡ଼କ ସୁରକ୍ଷା ଏକ ଆହ୍ବାନ ହୋଇଥିବାରୁ ଏହାକୁ ନେଇ ଆଲୋଚନା ସରଗରମ ହୋଇଥିଲା। ଆଶାତୀତ ଭାବରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା କିଭଳି ରୋକାଯାଇ ପାରିବ ସେ ନେଇ କମିସନର ସଞ୍ଜୀବ ପଣ୍ଡା ଆଲୋଚନା କରିବା ସହ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା ଦିଗରେ ମଧ୍ୟ ଆଲୋଚନା ହୋଇଛି। ଏହାକୁ ଆଇଜିପି (ଅଗ୍ନିଶମ) ରାଜେଶ କୁମାର ସଂଯୋଜନା କରିଥିଲେ। ଶେଷରେ ବିଭାଗରେ ବୃଦ୍ଧି ପାଉଥିବା ଦୁର୍ନୀତିକୁ କିଭଳି ରୋକି ହେବ ଓ ଦୁର୍ନୀତି ନିବାରଣ ଆଇନର ସଂଶୋଧନ ଉପରେ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ ଆଲୋଚନା କରିଥିଲା। କନ୍‌ଫରେନ୍‌ସ୍‌ ସମ୍ପାଦକ ସୁଶାନ୍ତ ନାଥ ସ୍ବାଗତ ଭାଷଣ ଦେଇଥିଲେ। ଆସନ୍ତାକାଲି ଏହି ସମ୍ମିଳନୀ ଉଦ୍‌ଯାପନ ହେବାକୁ ଥିବା ବେଳେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର