‘ଶେରା ନରସିଂହ ରେଡ୍ଡୀ’ ଚଳଚ୍ଚିତ୍ରକୁ ସିବିଏଫ୍‌ସିର ଝଟ୍‌କା; ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯିବା ମହଙ୍ଗା ପଡ଼ିଲା

ଭୁବନେଶ୍ବର: ‘ପାଇକ ବିଦ୍ରୋହ’ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ସମଗ୍ର ଦେଶ ଜାଣିବା ପରେ ମଧ୍ୟ ‘ଶେରା ନରସିଂହ ରେଡ୍ଡୀ’ ଚଳଚ୍ଚିତ୍ରରେ ୧୮୪୭ମସିହାର କୃଷକ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦେଖାଯିବା ମହଙ୍ଗା ପଡ଼ିଛି। କର୍ଣ୍ଣୱାଲିସ୍‌ଙ୍କ ସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ୧୮୪୭ ମସିହାରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଯାଇଥିବାରୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫ୍‌ସି) ‘ପ୍ରଥମ’ ଶବ୍ଦଟିକୁ କାଟିବା ପାଇଁ ନିର୍ଦେଶ ଦେଇଛି। ଏଥିସହ ଫିଲ୍ମକୁ ୭ଟି ନିର୍ଦିଷ୍ଟ ବିଷୟରେ କାଣ୍ଟ୍‌ଛାଟ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି।

Hans India

ଅକ୍ଟୋବର ୨ ତାରିଖରେ ଏହି ଚଳଚ୍ଚିତ୍ରଟି ତେଲୁଗୁ, ତାମିଲ୍, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏନେଇ ଓଡ଼ିଶା ପାଇକ ଏକାଡେମିର ସଭାପତି ତଥା ଖୋର୍ଧାର ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ଐତିହାସିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଚଳଚ୍ଚିତ୍ରରେ ଅଯୌକ୍ତିକ ତଥ୍ୟକୁ ନେଇ ଅସେନ୍ତାଷ ପ୍ରକାଶ କରିଥିଲେ। ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଭାରତ ବର୍ଷ ପ୍ରଥମ ସଶସ୍ତ୍ର ଗଣ ବିପ୍ଳବ କରିଥିଲେ ହେଁ କିପରି କୁର୍ଣ୍ଣୁଲରେ ହୋଇଥିବା କୃଷକ ଆନ୍ଦୋଳନକୁ ସମ୍ପୃକ୍ତ ଫିଲ୍ମରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦେଖାଗଲା, ସେନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଶେଷରେ ସିବିଏଫ୍‌ସିର ସମ୍ପୃକ୍ତ ଚଳଚ୍ଚିତ୍ରକୁ ଝଟ୍‌କା ଦେବା ପରେ ଏହା ଓଡ଼ିଆଙ୍କ ପାଇଁ ଆଶ୍ବସ୍ତି ଆଣିଛି।

ସମ୍ବନ୍ଧିତ ଖବର