ଭୁବନେଶ୍ୱର: ଆଜି ପୂର୍ବାହ୍ଣରେ ନୂଆପଲ୍ଲୀ ଥାନା ଶିରିପୁର ଅଞ୍ଚଳରେ ଘଟିଥିବା ସିରିଜ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକରିବାକୁ ଯାଉଥିବା ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଚନ୍ଦନ କୁମାର ମହାପାତ୍ର(୩୧)ଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀଙ୍କ ନାମ ଘୋଷଣା ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଚନ୍ଦନଙ୍କ ଅକାଳ ବିୟୋଗ ଘଟିଛି। ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ରହୁଥିବା ଚନ୍ଦନଙ୍କ ଏଭଳି ମୃତ୍ୟୁ ଆଜି ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇଦେଇଛି।
ଆଜି ପ୍ରାୟ ୧୧ଟା ବେଳେ ଡେଲ୍ଟା ଛକ ଅତିକ୍ରମ କରିବା ପରେ ଏକ କାର୍ ଭାରସାମ୍ୟ ହରାଇ ଆଗେଆଗେ ଯାଉଥିବା ଚନ୍ଦନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ସହ ଚନ୍ଦନ କିଛି ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। କାର୍ଟି ପୁଣି ଦ୍ରୁତଗତିରେ ଆଗକୁ ମାଡ଼ିଯାଇ ଆଉ ୨ଟି ବାଇକ୍ ଓ ଗୋଟିଏ କାର୍କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ୍ ଚାଳକ ଓ କାର୍ରେ ଥିବା ଜଣେ ମହିଳା ଆହତ ହୋଇଥିଲେ। ଏଣେ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଚନ୍ଦନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ସେ ଆଖି ବୁଜିଦେଇଥିଲେ।