ଭୁବନେଶ୍ବର : ସିଆର୍ପି ଫ୍ଲାଏଓଭର୍ରେ ବୁଧବାର ଏକ ସିରିଜ୍ ଦୁର୍ଘଟଣାରେ ୬ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ରସୁଲଗଡ଼ ଆଡ଼ୁ ଦ୍ରୁତଗତିରେ ଯାଉଥିବା ଏକ ଇନୋଭା ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ଆଗରେ ଯାଉଥିବା ଆଉ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା। ପୂର୍ବରୁ ଏହି ଇନୋଭା ବାଣୀବିହାର ଛକରେ ଦୁଇଟି ବାଇକ୍କୁ ଧକ୍କା ଦେଇଥିଲା। ଏଭଳି ସିରିଜ୍ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡ଼ିକୁ ଜବତ କରିବା ସହ ଚାଳକ ଓ ତା’ର ସହଯୋଗୀକୁ ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଛି। ଦୁର୍ଘଟଣାରେ ୬ଟି ଯାକ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଓ ସହଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଏକ ଇନୋଭା ଆସୁଥିଲା। ବାଣୀବିହାର ଫ୍ଲାଏ ଓଭର୍ରେ ଦୁଇଟି ବାଇକ୍କୁ ଧକ୍କା ଦେଇଥିଲା। ଏହା ଦେଖି ଉକ୍ତ ଇନୋଭାକୁ ୪ଟି ବାଇକ୍ ପିଛା କରିବାରୁ ଗାଡ଼ିର ଗତି ବଢ଼ାଇ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ତେବେ ଚାଳକଜଣଙ୍କ ହଡ଼ବଡ଼େଇ ଯାଇ ସିଆରପି ଫ୍ଲାଏଓଭର୍ରେ ଆଗପଛ ହୋଇ ଯାଉଥିବା ୩ଟି କାର୍କୁ ଧକ୍କା ଦେଇଥିଲା। ଏହା ଦେଖି ପଛରୁ ଆସୁଥିବା କେତେକ ଗାଡ଼ି ମଧ୍ୟ ଭୟରେ ବ୍ରେକ୍ ମାରିବାରୁ ପଡ଼ି ଆହତ ହୋଇଥିଲେ। ଏହାକୁ ନେଇ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସ୍ବାଭାବିକ କରାଇବା ସହ ଇନୋଭା ଚାଳକ ଓ ତା’ ସହଯୋଗୀକୁ ଥାନାକୁ ନେଇଥିଲା। ଇନୋଭା ଚାଳକ ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉଥିବା ପୁଲିସ୍ ଜାଣିବାକୁ ପାଇଛି।
/sambad/media/post_attachments/wp-content/uploads/2021/02/durghatana-1.jpg)
ବିଳମ୍ବିତ ରାତିରେ ଆଉ ଗୋଟିଏ
ଭୁବନେଶ୍ୱର : ସିଆର୍ପି ଫ୍ଲାଏ ଓଭର୍ରେ ବୁଧବାର ବିଳମ୍ବିତ ରାତିରେ ଆଉ ଗୋଟିଏ ଦୁର୍ଘଟଣା ଘଟିଛି। ବରମୁଣ୍ଡା ପଟୁ ରସୁଲଗଡ଼ ଯାଉଥିବା ୧୦ ଚକିଆ ଏକ ଟ୍ରକ୍କୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି। ଏଥିରେ ପଛ ଟ୍ରକ୍ର ଚାଳକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ର ସମ୍ମୁଖ ଭାଗ ଭାଙ୍ଗରୁଜି ଯାଇଥିବା ବେଳେ ଚାଳକ ସେଥିରେ ଫସି ରହିଥିଲେ। ନୂଆପଲ୍ଲୀ ଥାନା ପୁଲିସ୍ ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ୍ ସ୍ବାଭାବିକ କରାଇଥିଲା। ଆହତ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/durghatana.jpg)