ନନ୍ଦନକାନନ ରୋଡ୍‌ରେ ସିରିଜ୍‌ ଦୁର୍ଘଟଣା

ଚନ୍ଦ୍ରଶେଖରପୁର :ଦିନ ଦିପ୍ରହରରେ ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ। ଆଚାର୍ଯ୍ୟ ବିହାରରୁ ଡମଣା ଛକ ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଛି। ଏହି ସମୟରେ ଟ୍ରକ୍‌ ଚାଳକ ଜଣକ ୩ଟି ବାଇକ୍‌କୁ ପିଟିବା ସହ ଗୋଟିଏ ଅଟୋ ଓ କାର୍‌କୁ ମଧ୍ୟ ଧକ୍କା ଦେଇଛି। ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଟ୍ରକ୍‌ଟିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ମଧ୍ୟାହ୍ନ ୧୨ଟାରେ ଟ୍ରକ୍‌ (ଓଆର୍‌୧୯ଜି୩୯୧୪) ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ଆଡ଼କୁ ଯିବା ସମୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିକଟରେ ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ ଚାଳକ ଦୃତଗତିରେ ଗାଡ଼ିକୁ ନେଇ ପଳାଇ ଯିବା ସମୟରେ ସୈନିକ ସ୍କୁଲ ନିକଟରେ ଏକ ଯାତ୍ରୀବାହୀ କାର୍‌କୁ ଧକ୍କା ଦେଇଥିଲା। କାରରେ ଥିବା ଜଣେ ଯାତ୍ରୀ ଏଥିରେ ସାମାନ୍ୟ ଆହତ ହୋଇଥିଲେ। ତଥାପି ଚାଳକ ଟ୍ରକଟିକୁ ଅଟକାଇ ନ ଥିଲେ। କଳିଙ୍ଗ ହସ୍ପିଟାଲ ଛକ ଆଡ଼କୁ ମାଡ଼ି ଚାଲିଥିଲା। ସେଠାରେ ବି ଏକ ବାଇକ୍‌ ଓ କାର୍‌କୁ ଧକ୍କା ଦେଇଥିଲା ଟ୍ରକ।

ଅନ୍ୟପକ୍ଷରେ ଟ୍ରକ ଚାଳକ ଭାରସାମ୍ୟ ହରାଇ ଗାଡ଼ି ଚଳାଉଥିବା ଦେଖି ଆପୋଲୋ ହସ୍ପିଟାଲ ଛକ ନିକଟରେ ଉପସ୍ଥିତ ଥିବା କେତେଜଣ ଲୋକେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଏହାପରେ ଏକ ପିସିଆର୍‌ ଭ୍ୟାନ୍‌ ଟ୍ରକର ପିଛା କରିଥିଲା। ଡମଣା ଛକ ନିକଟରେ ବି ଟ୍ରକ୍‌ଟି ଡମଣା ଗାଁ ଆଡ଼କୁ ଯିବା ସମୟରେ ପୁଲିସ ସେଠାରେ ତାକୁ ଅଟକାଇଥିଲା। ଟ୍ରକ୍‌ଟି ବିଏମ୍‌ସି ଅଳିଆ ବୁହା ଗାଡ଼ି ବୋଲି ଜଣାପଡ଼ିବା ପରେ ଟ୍ରକ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖି ବିଏମ୍‌ସି ଅଧିକାରୀଙ୍କୁ ଖବର ଦେଇଛି। ଟ୍ରକ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର