ନିଶାସକ୍ତ କାର୍‌ ଚାଳକର ଉନ୍ମତ୍ତକାଣ୍ଡ: ୧୦ରୁ ଅଧିକ ଗାଡ଼ିକୁ ପିଟିଲା; ୮ ଆହତ

ଚାଳକ ଅଟକ, କାର୍‌ ଚୂରମାର୍

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଜଣେ ନିଶାସକ୍ତ କାର୍‌ ଚାଳକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହିଦନଗର ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ସାମ୍ନାକୁ ଯିଏ ଆସିଲା ତା’ ଉପରେ ଗାଡ଼ି ଚଢ଼ାଇ ଆଗକୁ ମାଡ଼ି ଚାଲିଲା। ଲୋକେ ଜୀବନ ବିକଳରେ ଗାଡ଼ିମଟର ଛାଡ଼ି ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥି‌ଲେ। ଏମିତି ସିରିଜ୍‌ ଦୁର୍ଘଟଣା ଘଟାଇ ୧୦ଗାଡ଼ି ଭାଙ୍ଗିଥିବାବେଳେ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ପୁଲିସ ଓ ସ୍ଥାନୀୟ ଲୋକ ଗାଡ଼ିକୁ ଅଟକାଇବା ପରେ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇ ପାରିଛି। ଆହତମାନଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିବାବେଳେ ଚାଳକ ଶୁଭେନ୍ଦୁ ଛୋଟରାୟକୁ ଅଟକ ରଖିବା ସହ କାର୍‌କୁ ଜବତ କରିଛି।

ସୂଚନା ମୁତାବକ, ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଶୁଭେନ୍ଦୁ ପ୍ରଥମେ ସହିଦନଗର ଫାଣ୍ଡି ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ସ୍କୁଟିରେ ଆସୁଥିବା ପାର୍ଥରଂଜନ ଦାସ ଓ ମମତାଜ୍‌ ବେଗମ ଗୁରୁତର ଆହତ ହୋଇଥିଲେ। ଏପରିକି ମମତାଜ୍‌ଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ତେବେ ସେମାନଙ୍କୁ ଧକ୍କା ଦେବା ପରେ ବି କାର୍‌ଟି ଅଟକି ନଥିଲା। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ଏମିତି ରାସ୍ତାସାରା ୮/୧୦ଟି ଗାଡ଼ିକୁ ଧକ୍କା ଦେବା ପରେ କାର୍‌ ଚାଳକ ଶୁଭେନ୍ଦୁ ଶେଷରେ ସ୍ପର୍ଶ ହସ୍ପିଟାଲ୍‌ ନିକଟରେ ଏକ ଅଟୋକୁ ଧକ୍କା ଦେବାରୁ ଅଟୋଟି ଓଲଟି ପଡ଼ିଥିଲା ଏବଂ କାର୍‌ର ଆଗପଟ ଭାଙ୍ଗି ଚୂରମାର ହୋଇଯାଇଥିଲା। ଫଳରେ ଶୁଭେନ୍ଦୁ ସମେତ ଅଟୋଚାଳକ ସମୀର ସାହୁ ଏବଂ ଅଟୋରେ ଥିବା ଯାତ୍ରୀ ରାଜଲକ୍ଷ୍ମୀ ବେହେରା ଗୁରୁତର ଆହତ ହୋଇଥିଲେ। ଯାହାକୁ ନେଇ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲା। ଏ ନେଇ ଥାନାରେ ୫ରୁ ଅଧିକ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର