ଦଶହରାରେ ଲିଙ୍ଗରାଜ ମନ୍ଦିରରୁ ସିରିଜ୍‌ ଚେନ୍ ଲୁଟ୍‌ : ସିସିଟିଭି ବେକାର, ମହିଳା ନିରାଶ

ପୁରୁଣା ଭୁବନେଶ୍ୱର : ଦଶହରା ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରୁ ସିରିଜ୍‌ ଚେନ୍‌ ଲୁଟ ଘଟଣା ଘଟିଛି। ଜଣକ ପରେ ଜଣେ ମହିଳା ଲୁଟେରା ଗ୍ୟାଙ୍ଗ ହାବୁଡରେ ପଡ଼ିଥିଲେ। ବଡ଼ କଥା ହେଉଛି ସ୍ଥାନୀୟ ଥାନାରେ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କୁ ନିର‌‌ାଶ ହେବାକୁ ପଡ଼ିଥିଲା। ସିସିଟିଭି ଖରାପ ଥିବା ଆଳ ଦେଖାଇ ପୁଲିସ ଚୁପ ହୋଇ ବସି ଯାଇଥିଲା। ଓଲଟି ଅଭିଯୋଗକାରୀଙ୍କୁ ସଫା ସଫା ସିସି କ୍ୟାମେରା ଖରାପ ଅଛି, ଆମେ କିଛି କରି ପାରିବୁ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉକି ଦଶହରା ଦିନ ଶ୍ରୀ ଲିଙ୍ଗରାଜ ମନ୍ଦିର ଭିତରୁ ୪ ଜଣ ମହିଳା ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଦଶହରା ଦିନ ହଂସପାଳ ଅଞ୍ଚଳର ନୀହାରିକା ନାୟକ ନାମକ ମହିଳା ପୂଜା କରିବାକୁ ଶ୍ରୀଲିଙ୍ଗରାଜ ମନ୍ଦିର ଆସିଥିଲେ। ଏହି ସମୟରେ ସେ ଆଡ଼କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ କେହି ଦୁର୍ବୃତ୍ତ ଧକ୍କା ଦେଇଥିଲା। ନୀହାରିକା ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସେ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା। ଯାହାର ଓଜନ ୧୨ ଗ୍ରାମ ହେବ।

ସେହିପରି ପୁରୁଣା ଭୁବନେଶ୍ବର ଆଖଣ୍ଡଳମଣି ମନ୍ଦିର ନିକଟରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିବା ଆଳତି ପହି ନାମକ ମହିଳା ମନ୍ଦିର ଭିତରେ ପଶୁ ପଶୁ ଚେନ୍ ଲୁଟର ଶିକାର ହୋଇଥିଲେ। ତାଙ୍କ ବେକରେ ଥିବା ୨୪ଗ୍ରାମର ସୁନା ଚେନ୍‌କୁ କେହି ଲୁଟି ନେଇଥିଲା

ଖୋର୍ଧାର ସରିକା ସାହୁ ଓ ବାଲିଅନ୍ତାର ରାଜଶ୍ରୀ ମହାପାତ୍ରଙ୍କ ମଧ୍ୟ ମନ୍ଦିର ନିକଟରୁ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦଶହରା ଦିନ ମନ୍ଦିର ଭିତରେ ଭିଡ଼ ଥିବା ବେଳେ ପୁଲିସ କର୍ମଚାରୀ ସଂଖ୍ୟା କମ୍‌ ଥିବାରୁ ଏପରି ସିରିଜ୍‌ ଚୋରି ଘଟଣା ଘଟିଲା ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ତେବେ ଲୁଟ୍‌ର ଶିକାର ହୋଇଥିବା ମହିଳା ନୀହାରିକା ସିସିଟିଭି ଫୁଟେଜ୍‌ ଦେଖିବା ପାଇଁ ବହୁ ନେହୁରା ହୋଇଥିଲେ ମଧ୍ୟ ସେ ନିରାଶ ହୋଇଥିଲେ ବୋଲି କହିଛନ୍ତି।
ଥାନା ନୂଆ କୋଠାକୁ ଯାଇଥିବାରୁ ଥାନାରେ ସିସିଟିଭି ସଂଯୋଗ ବ୍ୟବସ୍ଥା ହୋଇ ନ ଥିବା ପୁଲିସ କହିଥିବା ବେଳେ ମନ୍ଦିର କାର୍ଯ୍ୟାଳୟରେ ଅପରେଟର ନ ଥିବାରୁ ଦେଖେଇ ହେଲା ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର