ଭୁବନେଶ୍ବର: ଜଣେ ଟ୍ରକ ଚାଳକର ବେପରୁଆ ଗାଡ଼ିଚାଳନା ପାଇଁ ପଳାସୁଣି ଛକରେ ଆଜି ସିରିଜ୍ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏହି ଟ୍ରକଟି ନିୟନ୍ତ୍ରଣ ହରାଇ ଗୋଟିଏ କାର, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ୧୨ ବର୍ଷର ଶିଶୁ ସମେତ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଫଳରେ ଟ୍ରାଫିକ ଜାମ୍ ହେବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକଟି ରାସ୍ତାରେ ଅଟକି ରହିଥିଲା। ସେ ଜାମ୍ ରସୁଲଗଡ଼ ଛକକୁ ସିଧାସଳଖ ପ୍ରଭାବିତ କରି ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିଲା। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତାରୁ ଟ୍ରକକୁ ହଟାଇଥିଲା।
ସୂଚନାନୁସାରେ, ଆଜି ଅପରାହ୍ନ ପ୍ରାୟ ୪ଟା ୨୦ ମିନିଟ ସମୟରେ ୧୬ ନଂ ଜାତୀୟ ରାଜପଥରେ ଖୋର୍ଦ୍ଧା ଆଡ଼ୁ ଦ୍ରୁତଗତିରେ ଆସୁଥିବା ଓଆର୍ ୦୨ ବିବି ୭୭୩୭ ନମ୍ବର ଟ୍ରକ ପଳାସୁଣି ଛକ ନିକଟରେ ପ୍ରଥମେ ଏକ ବୁଲେଟ୍କୁ ଧକ୍କା ଦେଇଥିଲା। ସେତିକିରେ ଅଟକି ନଯାଇ ଟ୍ରକ୍ଟି ପୁଣି ଏକ ସ୍କୁଟି ଏବଂ ତା’ପରେ ଏକ କାରକୁ ଧକ୍କା ମାରିଥିଲା। ଧକ୍କାରେ ସ୍କୁଟି ଓ କାର୍ ଚୁରମାର ହୋଇଯାଇଥିଲା। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ବୁଲେଟ୍ ଚାଳକ, କାର୍ ଚାଳକ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ଅବସ୍ଥା ଏବେ ସ୍ଥିର ରହିଛି।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ। ସେମାନେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ରାସ୍ତାରୁ ହଟାଇବାକୁ ଦେଇ ନଥିଲେ। ଆନ୍ଦୋଳନକାରୀମାନେ କହିଥିଲେ, ପଳାସୁଣି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଫୁଟ୍ ଓଭର୍ ବ୍ରିଜ୍ର ପ୍ରତିଶ୍ରୁତି ମିଳିବା ସହିତ ଶିଳାନ୍ୟାସ ମଧ୍ୟ ସରିଛି। କିନ୍ତୁ କାମ ଆରମ୍ଭ ହେଉନି। ଏହାସହ ବସ୍ଗୁଡ଼ିକ ଲୋକ ଉଠାଇବାକୁ ମନଇଚ୍ଛା ଯେଉଁଠି ଅଟକୁଛନ୍ତି ଓ ରାସ୍ତା ମାଡ଼ି ବସୁଛନ୍ତି। ଲୋକେ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଲୋକମାନେ ଦାବି କରିଥିଲେ। ରାସ୍ତାରୋକ ଫଳରେ ଟ୍ରାଫିକ ଜାମ୍ ହୋଇଥିଲା। ପଳାସୁଣି ଛକରୁ ଜାମ୍ ଆରମ୍ଭ ହୋଇ ରସୁଲଗଡ଼ ଛକ ହୋଇ ଆଚାର୍ଯ୍ୟବିହାର ଓ ଜୟଦେବବିହାର ଛକ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। କଳ୍ପନା ପଟେ ତାହା ପୁରୀରୋଡ୍ର ଅଧାଅଧି ଅଞ୍ଚଳକୁ ପ୍ରଭାବିତ କରିଦେଇଥିଲା। ହଜାର ହଜାର ଗାଡ଼ି ଭିତରେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଥିଲା। ମଞ୍ଚେଶ୍ବର ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୁ ଟ୍ରକ ଓ ଦୁର୍ଘଟଣାଗ୍ରସ୍ତ କାର୍କୁ ହଟାଇବାର ୨ଘଣ୍ଟା ପରେ ଜାମ୍ ଖୋଲିଥିଲା।
ଏମିତି ଦେଖିଲେ ଆଜି ରାଜଧାନୀରେ ଦିନସାରା ଜାମ୍ ସ୍ଥିତି ଲାଗି ରହିଥିଲା। ରାଜଧାନୀବାସୀ ରଜ ପାଇଁ କିଣାକିଣି କରିବାଲାଗି ପରିବାର ସହ ବଜାରକୁ ବାହାରିଥିଲେ। କିନ୍ତୁ ଟ୍ରାଫିକ ଜାମ୍ ସେମାନଙ୍କ ଖୁସିକୁ ପାଣିରେ ମିଶେଇ ଦେଇଥିଲା। ପରିବାର ସହ ଘଣ୍ଟା ଘଣ୍ଟା ଧରି ଲୋକେ ରାସ୍ତାରେ ଅଟକି ରହିଥିଲେ। ଲାଗୁଥିଲା, ପୂରା ରାଜଧାନୀ ଅଟକି ଯାଇଛି! ଟ୍ରାଫିକ କର୍ମଚାରୀ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତିକୁ ସୁଧାରିବାରେ ବିଫଳ ହୋଇଥିଲେ।
ହଂସପାଳ ବ୍ରିଜ୍ର ଡଷ୍ଟିଂ କାମ ଚାଲି ଥିବାରୁ ରାସ୍ତା ଉପରେ ବଡ଼ ବଡ଼ ମେସିନ୍ ରହିଥିଲା। ତେଣୁ ଗାଡ଼ିଗୁଡ଼ିକ ଗୋଟିଏ ଲେନ୍ରେ ହିଁ ଯାଉଥିଲେ। ଫଳରେ ୧୬ ନମ୍ବର ଜାତୀୟରାଜପଥରେ ଜାମ୍ ସ୍ଥିତି ସୃଷ୍ଟି ହୋଇଥିଲା। ହଂସପାଳ ବ୍ରିଜ୍ ଠାରୁ ବରମୁଣ୍ଡା ଯାଏ ଜାମ୍ ଲାଗି ରହିଥିଲା। ଏହାସହିତ ରସୁଲଗଡ଼, ବାଣୀବିହାର, ନୂଆପଲ୍ଲୀ, ଜୟଦେବ ବିହାର ଆଦିରେ ଜାତୀୟରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଜାମ୍ ହୋଇଯାଇଥିଲା। ମାତ୍ର ୧ କିମି ରାସ୍ତାକୁ ଅତିକ୍ରମ କରିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ପ୍ରାୟ ରାତି ୯ଟା ଯାଏ ଜାମ୍ ଲାଗି ରହିଥିଲା। ଏହି ଜାମ୍ର ପ୍ରଭାବ ସମଗ୍ର ରାଜଧାନୀରେ ଦେଖିବାକୁ ମିଳିଥିଲା। ଟ୍ରାଫିକ ଜାମ୍ ସହ ବର୍ଷା ସାଧାରଣ ଲୋକଙ୍କ ଅସୁବିଧା ଆହୁରି ବଢ଼ାଇ ଦେଇଥିଲା। ପରିବାର ସହିତ ବଜାରକୁ ଯାଇଥିବା ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsfshfhsfttt.jpg)