ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଜଣେ ନିଶାସକ୍ତ କାର୍ ଚାଳକ ଘଟାଇଥିବା ସିରିଜ୍ ଦୁର୍ଘଟଣାକୁ ନେଇ ଶନିବାର ଅପରାହ୍ଣରେ ଜାଭିୟର୍ସ ଛକ ଅଶାନ୍ତ ହୋଇଉଠିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କାର୍ ଚାଳକକୁ ମୁକୁଳାଇବା ଲାଗି ଉଦ୍ୟମ କଲାବେଳେ ପୁଲିସ ବିରୋଧର ସମ୍ମୁଖୀନ ହୋଇଥିଲା। ଏମିତିକି ପୁଲିସ-ଜନତା ଖଣ୍ଡଯୁଦ୍ଧ ପର୍ଯ୍ୟନ୍ତ କଥା ଯାଇଥିଲା। ଦୁଇ ଦୁଇଟି ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନ ହେବାରୁ ୨ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ସେତେବେଳକୁ ପ୍ରାୟ ଦେଢ଼ଘଣ୍ଟା କାଳ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା।
ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଜାଭିୟର୍ସ ଛକରୁ ହାତୀଆସୁଣିକୁ ଲମ୍ବିଥିବା ରାସ୍ତାରେ ବେଶ୍ ଜନଗହଳି ଥାଏ। ଏହି ସମୟରେ ଜାଭିୟର୍ସ ଛକପଟୁ ଏକ କ୍ରେଟା କାର୍ ଦ୍ରୁତଗତିରେ ମାଡ଼ିଆସିଥିଲା। ନିଶାସକ୍ତ ଚାଳକର ଏଭଳି ଗାଡ଼ିଚାଳନା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ନିଶ୍ଚୟ ଦୁର୍ଘଟଣା ଘଟିବ ବୋଲି ସମସ୍ତେ ଆଶଙ୍କା କରିଥିଲେ। ସତକୁ ସତ କାର୍ଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସ୍କୁଲ୍ ଭ୍ୟାନ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଲ୍ ଭ୍ୟାନ୍ଟି ସମ୍ମୁଖରେ ଥିବା ଏକ ଅଟୋକୁ ଏବଂ ଅଟୋଟି ସମ୍ମୁଖରେ ଥିବା ଏକ ମାଲ୍ବୁହା ଗାଡ଼ିକୁ ପିଟିଥିଲା। ଏମିତି ୪ଟି ଗାଡ଼ି ପଛକୁ ପଛ ବାଡ଼େଇ ହେବା ପରେ ଆଗକୁ ଗଡ଼ିଯିବାରୁ ଲୋକମାନେ ଜୀବନ ବିକଳରେ ଦୌଡ଼ାଦୌଡ଼ି କରିଥିଲେ। ଏହି ଦୁର୍ଘଟଣାରେ ୭ରୁ ଊର୍ଧ୍ବ ଲୋକ ଆହତ ହୋଇଥିଲେ।
ଏତିକିବେଳେ କାର୍ ଚାଳକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। କିନ୍ତୁ କିଛି ସ୍ଥାନୀୟ ଯୁବକ ଗୋଡ଼ାଇ ଗୋଡ଼ାଇ କାର୍କୁ ଅଟକାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା କାର୍ ଉପରେ ଆକ୍ରମଣ। ଉତ୍ତ୍ୟକ୍ତ ଲୋକେ କାର୍କୁ ବାଡ଼େଇ ଭାଙ୍ଗିବାକୁ ଚେଷ୍ଟା କରିବା ସହ ନିଶାସକ୍ତ ଚାଳକକୁ ବାହାରକୁ ଟାଣି ଆଣିଥିଲେ। ତାକୁ ନିସ୍ତୁକ ମାଡ଼ମାରିବା ସହ କ୍ଷତିପୂରଣ ଦେବାକୁ କହିଥିଲେ। ରାସ୍ତାରେ ଏମିତି ସ୍ଥିତି ଉପୁଜିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଖବର ପାଇ ମୈତ୍ରୀବିହାର ଓ ନୂଆପଲ୍ଲୀ ଥାନା ପୁଲିସର ଦୁଇଟି ଟିମ୍ ସେଠାରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇଥିଲା। ଏଥିସହିତ ଲୋକଙ୍କ କବଳରୁ କାର୍ ଚାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର କ୍ଷତିପୂରଣ ନଦେଲେ, ସେମାନେ ଚାଳକକୁ ଛାଡ଼ିବେ ନାହିଁ ବୋଲି ଜିଦ୍ରେ ଅଟଳ ଥିଲେ। ଏଥିରୁ ଆରମ୍ଭ ହେଲା ପୁଲିସ-ଜନତା ଖଣ୍ଡଯୁଦ୍ଧ। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିଲେ। ପରେ ଅଧିକ ପୁଲିସ ପହଞ୍ଚିଥିଲା ଏବଂ କାର୍ ଚାଳକକୁ ଥାନାକୁ ନେଇଥିଲା।