ସଶସ୍ତ୍ର ବାହିନୀ ଡିସିପିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ: ସିପାହୀଙ୍କୁ ଯୁବତୀ ଯୋଗାଇବାକୁ ବାଧ୍ୟ କରୁଥିଲେ

ନିର୍ଯାତନା ସହି ନ ପାରି ସିପାହୀଙ୍କ ଆତ୍ମହତ୍ୟା ଉଦ୍ୟମ

କମିସନରଙ୍କ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ
ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ: ଡିସିପି ବିଜୟ ସାହୁ

ଭୁବନେଶ୍ବର : ପୁଲିସ ବିଭାଗରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। କମିସନରେଟ ପୁଲିସର ସଶସ୍ତ୍ର ବାହିନୀ(ଆର୍ମଡ) ଡିସିପିଙ୍କ ବିଜୟ କୁମାର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସପ୍ତମ ବାଟାଲିଅନରେ କାର୍ଯ୍ୟରତ ସିପାହୀ ନିହାର ରଞ୍ଜନ ନାୟକଙ୍କ ପତ୍ନୀ ସୁନୀତା ଲେଙ୍କା। ଯୁବତୀ ଯୋଗାଇ ଦେବା ପାଇଁ ଡିସିପି ଶ୍ରୀ ସାହୁ ବାରମ୍ବାର ନିହାରଙ୍କୁ ବାଧ୍ୟ କରିବା ସହ ଚାପ ପକାଉଥିଲେ ବୋଲି ସୁନୀତା ଆଜି ପୂର୍ବାହ୍ନରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ କମିସନର ଶ୍ରୀ ପିୟଦର୍ଶୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ପୁଲିସ କମିସନର ରେଖା ଲୋହାନୀ ଅଭିଯୋଗର ତଦନ୍ତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ପୁଲିସ କମିସନର। ଏହି ଘଟଣା କମିସନରେଟ ପୁଲିସ ମହଲରେ ହଇଚଇ ସୃଷ୍ଟି କରିଛି।

ସୁନୀତାଙ୍କ ଅଭିଯୋଗ ଅନୁସାରେ, ନିହାର ବାଟାଲିଅନର ପରିବାର କଲ୍ୟାଣ କେନ୍ଦ୍ରରେ ଟେଲରିଂ ସିପାହୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। ସେଠାକୁ ସପ୍ତମ ବାଟାଲିଅନର ସିପାହୀ ଓ ହାବିଲଦାରଙ୍କ ପତ୍ନୀ ଓ ଝିଅମାନେ ତାଲିମ ନେବାକୁ ଆସନ୍ତି। ସେମାନଙ୍କୁ ଡିସିପି ଶ୍ରୀ ସାହୁ ଖରାପ ଦୃଷ୍ଟିରେ ଦେଖନ୍ତି। ସେଠାରେ ତାଲିମ ନେବାକୁ ଆସୁଥିବା ମହିଳା, ଯୁବତୀମାନଙ୍କୁ ତାଙ୍କ ପାଖକୁ ପଠାଇବାକୁ ବିଜୟ ବାରମ୍ବାର ନିହାରଙ୍କୁ ବାଧ୍ୟ କରୁଥିଲେ। ବାଟାଲିଅନ କ୍ୟାମ୍ପସରେ ଖାଲି ପଡ଼ିଥିବା କମାଣ୍ଡାଣ୍ଟ ବଙ୍ଗଳାକୁ ବୁଲାଇ ଆଣିବାକୁ କହୁଥିଲେ। ନିହାର ଥରେ ଦୁଇ ଥର ତାଲିମ ନେଉଥିବା କର୍ମଚାରୀଙ୍କୁ ସେଠାକୁ ବୁଲାଇ ନେଇଛନ୍ତି। ତେବେ ଜଣେ ନିର୍ଦ୍ଦିଷ୍ଟ ମହିଳାଙ୍କୁ ଆଣିବା ପାଇଁ ଡିସିପି ନିହାରଙ୍କ ଉପରେ ଚାପ ପକାଉଥିଲେ ଏବଂ ଯଦି ନ ଆଣନ୍ତି ତାହେଲେ ସସପେଣ୍ଡ କରିଦେବାର ଭୟ ଦେଖାଉଥିଲେ। ଦୁଇ ତିନି ଦିନ ବ୍ୟବଧାନରେ କଲ୍ୟାଣ କେନ୍ଦ୍ରରେ ବୈଠକ କରିବାକୁ ବାଧ୍ୟ କରୁଥିଲେ। ଶ୍ରୀ ସାହୁଙ୍କ ଏଭଳି ନିର୍ଯାତନା ସହି ନ ପାରି ଗତ ୧ ତାରିଖରେ ନିହାର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସୁନୀତା। ଏମିତି ପ୍ରାୟ ଦୁଇମାସ ହେଲା ନିହାର ପ୍ରବଳ ମାନସିକ ଚାପରେ ରହୁଛନ୍ତି। ଏପରିକି ତାଙ୍କୁ ସେଠାରୁ ବଦଳି କରି ଏବେ ଗାର୍ଡ ଦାୟିତ୍ବରେ ନିୟୋଜିତ କରାଯାଇଛି। ଖାଲି ସେତିକି ନୁହେଁ; ଗତ କିଛିଦିନ ହେଲା ତାଲିମ ନେଉଥିବା ମହିଳାମାନେ ଆସୁ ନାହାନ୍ତି ବୋଲି ସୁନୀତା କହିଛନ୍ତି। ଡିସିପିଙ୍କ ବିରୋଧରେ ଅନେକ ଅସନ୍ତୋଷ ରହିଥିଲେ ମଧ୍ୟ ଚାକିରିକୁ ଡରି କେହି ସିଧାସ​ଳଖ ମୁହଁ ଖୋଲୁ ନାହାନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁନୀତା ପୁଲିସ କମିସନରଙ୍କ ନିକଟରେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଡିସିପି ଶ୍ରୀ ସାହୁ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ନିହାରଙ୍କର ବଦଳି ହୋଇଥିବାରୁ ସେ ଏପରି ଅଭିଯୋଗ ଆଣିଛନ୍ତି। ତଦନ୍ତ ହେଲେ ସବୁ ସତ୍ୟାସତ୍ୟ ପଦାକୁ ଆସିବ। ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର