ଭୁବନେଶ୍ୱର: ଶୃଙ୍ଖଳିତ ହୋଇ ଧାଡ଼ିରେ ଛିଡ଼ା ହେଲେ ପ୍ରାୟ ୨ରୁ ୩ ଘଣ୍ଟା, କିନ୍ତୁ ହାତଗୁଞ୍ଜା ଦେଲେ ମାତ୍ର ୩ରୁ ୫ ମିନିଟ୍ ଭିତରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ମିଳୁଛି। ଏଭଳି ଅବ୍ୟବସ୍ଥା ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଦେଖିବାକୁ ମିଳିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗକୁ ନୂଆ ବର୍ଷ। ତେଣୁ ସ୍ବାଭାବିକ ଭାବେ ଏକାମ୍ରକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ମୁଖ୍ୟତଃ ଏକାମ୍ର କ୍ଷେକ୍ଷତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦ୍ବାରଫିଟାଠାରୁ ବଡ଼ସିଂହାର ବେଶ ପର୍ଯ୍ୟନ୍ତ ନାହିଁନଥିବା ଭିଡ଼ ଲାଗି ରହୁଛି। ଏହାର ଫାଇଦା ନେଉଛନ୍ତି କିଛି ସେବାୟତ। ଲିଙ୍ଗରାଜଙ୍କ ସେବକର ଦ୍ବାହି ଦେଇ ଦର୍ଶନ ବ୍ୟବସ୍ଥାରେ ବିଶୃଙ୍ଖଳାର ମଞ୍ଜି ବୁଣୁଛନ୍ତି। ପ୍ରାୟ ସପ୍ତାହେ ହେବ କ୍ରମାଗତ ଭାବେ ଦିଅଁଙ୍କ ଦର୍ଶନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି। ତେଣୁ ଧାଡ଼ି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ମନ୍ଦିର ସିଂହଦ୍ବାର ସମ୍ମୁଖରୁ ଚାହାଣିମଣ୍ଡପ ଦେଇ ଭିତରକୁ ଲମ୍ବୁଛି ଭକ୍ତଙ୍କ ଧାଡ଼ି। ସିଂହଦ୍ବାର ପରେ ଲକ୍ଷ୍ମୀ-ନୃସିଂହ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ଦର୍ଶନ ପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୮୦ ପ୍ରତିଶତ ଶ୍ରଦ୍ଧାଳୁ ନିୟମ ମାନି ଧାଡ଼ିରେ ରହି ଦର୍ଶନ କରୁଛନ୍ତି। କିନ୍ତୁ ଅନ୍ୟମାନେ ଦର୍ଶନ ପାଇଁ ସର୍ଟକଟ୍ ଖୋଜୁଛନ୍ତି। ଏହି ମଉକା ନେଇ କିଛି ସେବାୟତ ବଡ଼ବଡ଼ିଆଙ୍କୁ ଥୋପ ପକାଉଛନ୍ତି। ଦର୍ଶନ ପାଇଁ ଜଣ ପିଛା ୫୦୦ରୁ ୨ ହଜାର ଟଙ୍କା ନେଉଛନ୍ତି।
ସେବାୟତଙ୍କ ମର୍ଜିରେ ଚାଲିଛି ଦର୍ଶନ ବ୍ୟବସ୍ଥା
ଧାଡ଼ିରେ ଛିଡ଼ା ହେଲେ ବିଳମ୍ବ ହେଉଥିବାରୁ ସେବାୟତଙ୍କୁ ଟଙ୍କା ଦେଇ ମନ୍ଦିର ଭିତରକୁ ଯାଉଛନ୍ତି। ସେମାନଙ୍କୁ ସେବାୟତମାନେ ନେଇ ଭିତରେ ଛାଡ଼ି ଆସୁଛନ୍ତି। ବଡ଼ କଥା ହେଲା ଶୃଙ୍ଖଳିତ ଦର୍ଶନ ପାଇଁ ଭିଡ଼କୁ ଦୃଷ୍ଟିରେ ରଖି ୪ ଜଣ ଅଧିକାରୀଙ୍କ ସହ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ହେଲେ ଧାଡ଼ିରେ ଯାଉନଥିବା ଭକ୍ତଙ୍କୁ ପୁଲିସ କର୍ମଚାରୀ ଅତି ସହଜରେ ଛାଡ଼ି ଦେଉଛନ୍ତି। ଏମିତିକି ସେମାନେ ମୋବାଇଲ୍ ଓ କ୍ୟାମେରା ଭିତରକୁ ନେଇ ଗଲେ ମଧ୍ୟ କେହି ପାଟି ଫିଟାଉ ନାହାନ୍ତି। ମନ୍ଦିର ଭିତରେ ପ୍ରସ୍ଥାନ ପାଖରେ ଦୁଇ ଜଣ ପୁଲିସ କର୍ମଚାରୀ ଜଗିଥିଲେ ମଧ୍ୟ ସେବାୟତମାନେ ନେଇ ଆସୁଥିବା ଭକ୍ତଙ୍କୁ ସେହି ବାଟରେ ଯିବାକୁ ଦେଉଛନ୍ତି। ଏହି ବିଶୃଙ୍ଖଳିତ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଆଜି ମନ୍ଦିର ବାହାରୁ ମୁଣ୍ଡିଆ ମାରି ଫେରି ଯାଇଛନ୍ତି। ଧାଡ଼ିରେ ଯାଉଥିବା ଭକ୍ତଙ୍କୁ ୨ରୁ ୩ ଘଣ୍ଟା ସମୟ ଲାଗିଛି। ଅପରାହ୍ନରେ ଲଗାତାର କିଛି ସେବାୟତ ଟଙ୍କା ନେଇ ଭକ୍ତଙ୍କୁ ସିଧାସଳଖ ମନ୍ଦିର ଭିତରେ ପୂରାଇଥିଲେ। ହେଲେ ନିକଟରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ମୋବାଇଲ୍ରେ ବ୍ୟସ୍ତ ରହିଥିଲେ। ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଧାଡ଼ିରେ ଆସିନଥିବା ଲୋକଙ୍କୁ ମନ୍ଦିରକୁ ପ୍ରବେଶ କରାଯାଉଥିବା ନେଇ ବିହାରରୁ ଆସିଥିବା ଜଣେ ଭକ୍ତ ପ୍ରଶ୍ନ କରିଥିଲେ। ଥାନାରୁ ଅନୁମତି ଆଣିଛୁ କହି ସେବାୟତମାନେ ଭକ୍ତଙ୍କୁ ଭୂଆଁ ବୁଲାଇଥିଲେ।