ଭୁବନେଶ୍ବର: ଘରର ଏକ ମାତ୍ର ଅଲିଅଳି ଝିଅ ରାଣୀ। ଜୀବନକୁ ନେଇ ଦେଖେ ରଙ୍ଗିନ ସ୍ବପ୍ନ। ମାତ୍ର ରତନା ନାମକ ଜଣେ ଯୁବକକୁ ବିବାହ କରିବା ପରେ ସେ ହେଉଛି ନିର୍ଯାତିତା। ଲମ୍ପଟ ସ୍ବାମୀ ତା’କୁ ଘରେ ବନ୍ଦୀ କରି ରଖିବା ସହ ଅନ୍ୟ ନାରୀଙ୍କ ସହିତ ରାତି ପରେ ରାତି ବିତାଏ। ତେବେ ତା’ର ଏଭଳି ଦୁଃଖ ସମୟରେ ସାହାରା ସାଜିଛି ଜଣେ ବୁଢ଼ୀ ଅନ୍ଧୁଣୀ- ଗାନ୍ଧାରୀ। ସ୍ବାମୀକୁ ବଶ କରିବା ପାଇଁ ରାଣୀକୁ ଗାନ୍ଧାରୀ ଏକ ଚେରମୂଳି ଦିଏ। ଏହାକୁ ଖାଦ୍ୟରେ ମିଶାଇ ସ୍ବାମୀକୁ ଦେବାକୁ ପରାମର୍ଶ ଦିଏ। ରାଣୀ ତରକାରିରେ ଚେରମୂଳି ପକାଇବା ମାତ୍ରେ ଏହା ରକ୍ତବର୍ଣ୍ଣ ପାଲଟିଯାଏ। ସେ ଭୟରେ ସେହି ତରକାରିକୁ ଘର ପାଖରେ ଥିବା ଉଈହୁଙ୍କାରେ ଢାଳିଦିଏ।
ଫଳରେ ହୁଙ୍କାରେ ରହୁଥିବା ଏକ ନାଗସାପ ତାହା ଖାଇ ରାଣୀର ପ୍ରେମରେ ପଡ଼ିଯାଏ। ନାଗସାପଟି ରାତିରେ ଗାଧୁଆଘର ନଳା ବାଟେ ପଶି ରାଣୀକୁ ପ୍ରେମବନ୍ଧନରେ ଆବଦ୍ଧ କରେ। ସମୟକ୍ରମେ ରାଣୀ ହୁଏ ଅନ୍ତସତ୍ତ୍ବା। ସ୍ବାମୀ ରତନା ରାଣୀର ଚରିତ୍ରକୁ ସନ୍ଦେହ କରି ନିର୍ଯାତନା ଦେବା ସହ ଗାଁ ମୁଖିଆଙ୍କ ଦ୍ବାରସ୍ଥ ହୁଏ। ଗାଁ ନିଶାପରେ ସତୀତ୍ବ ପରୀକ୍ଷା ଲାଗି ରାଣୀକୁ ତତଲା ଲୁହା କିମ୍ବା ନାଗସାପ ହାତରେ ଧରି ନିୟମ କରିବାକୁ ନିର୍ଦ୍ଦେଶ ଦିଆଯାଏ। ଅପମାନରେ ଜର୍ଜରିତ ରାଣୀ ହୁଙ୍କାରେ ହାତ ପୂରାଇ ନାଗସାପକୁ ଟାଣି ଆଣେ। ତେବେ ପ୍ରେମିକ ନାଗସାପ ତା’କୁ ଦଂଶନ କରିବା ବଦଳରେ ହାତରେ ଗୁଡ଼େଇ ହୋଇ ପୁନର୍ବାର ଗାତକୁ ଫେରିଯାଏ। ଏଥିରେ ଚମତ୍କୃତ ଗ୍ରାମବାସର ରାଣୀର ଜୟ ଜୟକାର କରନ୍ତି। ରତନା ନିଜର ଭୁଲ୍ ବୁଝିପାରି କ୍ଷମା ମାଗିବା ସହିତ ରାଣୀକୁ ନେଇ ସମ୍ମାନର ସହ ସଂସାର ଗଢ଼େ। ଏହି କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ପ୍ରଖ୍ୟାତ ନାଟ୍ୟକାର ଗିରୀଶ କନ୍ନଡ଼ଙ୍କ ରଚିତ ନାଟକ ‘ନାଗମଣ୍ଡଳ’ ଦର୍ଶକଙ୍କୁ ଆମୋଦିତ କରିଛି।
ପ୍ରାଧ୍ୟାପକ ରମାକାନ୍ତ ମିଶ୍ର ନାଟକର ଓଡ଼ିଆ ଅନୁବାଦ କରିଥିଲା ବେଳେ ନିର୍ଦ୍ଦେଶକ ଦର୍ପନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଛନ୍ତି। ନାଟକରେ ବିଜୟ, ଅପୂର୍ବ, ବିୟୁଟି, ସହସ୍ରାକ୍ଷ, ସସ୍ମିତା, ତ୍ରିଲୋଚନ, ରାଜେନ୍ଦ୍ର, ବିମଳ, ସାରେଗାମା, କାରଣ, ଲକ୍ଷ୍ମୀକାନ୍ତ, ସିଦ୍ଧାନ୍ତ, ରଞ୍ଜିତା, ନର୍ମଦା, ଲି, ଏରିନା ଓ ଚନ୍ଦନ ଅଭିନୟ କରିଥିଲେ। ସଙ୍ଗୀତ ସଂଯୋଜନାରେ ଶକ୍ତି, ଆଲୋକ ସମ୍ପାଦନରେ ବିକାଶ ଓ ଅମିୟ, ମଞ୍ଚସଜ୍ଜାରେ ପ୍ରଜ୍ଞା, ରୂପସଜ୍ଜାରେ ବାଞ୍ଛାନିଧି, ପୋଷାକରେ କାର୍ତ୍ତିକ, ମଞ୍ଚ ପରିଚାଳନାରେ ସୌଭାଗ୍ୟ ଏବଂ ସହନିର୍ଦ୍ଦେଶନାରେ ସନ୍ତୋଷ ଦାୟିତ୍ବ ତୁଲାଇଥିଲେ।